ବଲାଣି ସରକାରୀ ମଦ ଦୋକାନରେ ମିଳୁଛି ନକଲି ମଦ, ଉଚ୍ଚ ସ୍ତରୀୟ ତଦନ୍ତ ଓ ମାନ ଯାଞ୍ଚ କରିବାକୁ ଦାବି

ବଲାଣ : ବଡ଼ବିଲ ଅବକାରୀ ଥାନା ଅନ୍ତର୍ଗତ ଯୋଡ଼ା ବ୍ଲକ ବାଲାଗୋଡ଼ା ପଞ୍ଚାୟତର ଆରୟା କଲୋନୀ କୁ ଲାଗି ରହିଥିବା ଠାକୁର ପ୍ରସାଦ ସାଓ ଆଣ୍ଡ ସନ୍ସ ୱାଇନ୍ସ ପ୍ରାଇଭେଟ ଲିମିଟେଡ଼ ନାମରେ ଥିବା ଅଞ୍ଚଳର ଏକ ମାତ୍ର ସରକାରୀ ସ୍ୱୀକୃତି ପ୍ରାପ୍ତ ଠିପି ବନ୍ଦ ମଦ ଦୋକାନରେ ନକଲି ମଦ ବିକ୍ରି ହେଉଥିବା ନେଇ ଅଭିଯୋଗ ହେଉଛି । ଏ ନେଇ କିଛି ସଙ୍ଗଠନ ଜିଲା ପ୍ରଶାସନର ଧ୍ୟାନ ଆକର୍ଷଣ କରିବାକୁ ପ୍ରସ୍ତୁତ ହେଉଛନ୍ତି । ତେବେ ଉକ୍ତ ମଦ ଦୋକାନର କିଛି ନିତିଦିନିଆ ଗ୍ରାହକ ନିଜର ପରିଚୟ ଗୁପ୍ତ ରଖିବା ସର୍ତ୍ତରେ କହିଛନ୍ତି ଯେ କିଛି ଦିନ ହେବ ଉକ୍ତ ମଦ ଦୋକାନରେ ନକଲି ମଦ ବିକ୍ରି ହେଉଥିବା ଅନୁମାନ କରାଯାଉଛି । ଦୋକାନରୁ ମଦ ବୋତଲ କିଣିବା ସମୟରେ କିଛି ମଦ ବୋତଲରୁ ସିଲ ଥିବା ମଦ ବୋତଲରୁ ଅଧା ଭର୍ତ୍ତି ମଦ ବାହାରୁ ଥିବା ବେଳେ କିଛି ବୋତଲର ସିଲ ପୂର୍ବରୁ ଭଙ୍ଗା ବାହାରିବା ସହିତ କିଛି ବୋତଲ ରେ ସରକାରୀ ଷ୍ଟିକର ରହୁ ନାହିଁ । ତେବେ ବିଭିନ୍ନ କମ୍ପାନୀର ବିଭିନ୍ନ ବର୍ଗର ମଦ ବୋତଲ ଅବିକଳ ଅସଲି ଭଳି ଦେଖା ଯାଉଥିବା ବେଳେ ଏହା ଭିତରେ ନକଲି ମଦ ଚଢା ଦରରେ ବିକ୍ରି କରାଯାଉଛି । ଏହା ବ୍ୟତୀତ କିଛି ଗ୍ରାହକ ସ୍ୱାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି । ଉକ୍ତ ସ୍ୱୀକୃତି ପ୍ରାପ୍ତ ମଦ ଦୋକାନ ବ୍ୟତୀତ ଉକ୍ତ ଦୋକାନରୁ ମଦ କଳା ବଜାରୀ କରାଯାଇ ବଲାଣି ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢା ଦରରେ ଅତି ସହଜରେ ନକଲି ମଦ ବିକ୍ରି ହେଉଥିବା ନେଇ ଅଭିଯୋଗ କରିଛନ୍ତି କିଛି ଗ୍ରାହକ । ପ୍ରକାଶ ଯୋଗ୍ୟଯେ, ବହୁ ଅଞ୍ଚଳରେ ଏପରି ନକଲି ମଦ ପ୍ରସ୍ତୁତ ହେଉଥିବା ବେଳେ ସ୍ୱୀକୃତି ପ୍ରାପ୍ତ ମଦ ଦୋକାନ ରେ ସହଜରେ ଏପରି ନକଲି ମଦ ବିକ୍ରି ହେଲେ ଗ୍ରାହକଙ୍କ ସହ ଏହା ଠକେଇ ହେବା ସହିତ ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛି । ତେବେ ନକଲି ମଦ ପାଇଁ ଏହି ଅଞ୍ଚଳର ନିତିଦିନିଆ ଗ୍ରାହକ ଏବେ ଚିନ୍ତାଗ୍ରସ୍ତ ହୋଇଥିବା ବେଳେ ଉକ୍ତ ସରକାରୀ ମଦ ଦୋକାନର ଉଚ୍ଚସ୍ତରୀୟ ତଦନ୍ତ ହେବା ସଂଗେ ସଂଗେ ମାନ ଯାଞ୍ଚ କରିବାକୁ ଜନସାଧରଣରେ ଦାବି ହେଉଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *