ଭୁବନେଶ୍ଵର : ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେଇଛି । ଏହା ସଂନ୍ଧ୍ୟା ସୁଦ୍ଧା ଗଭୀର ଅବପାତରେ ପରିଣତ ହେବ । ଉତ୍ତର ବଙ୍ଗୋପସାଗର କେନ୍ଦ୍ରୀୟ ଅଞ୍ଚଳରେ ଏହା କେନ୍ଦ୍ରୀଭୂତ ରହିଛି । ଯାହାର ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା । ଆଗାମୀ ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଯାହାକୁ ଦୃଷ୍ଟିରେ ରଖି ଆସନ୍ତା ୨୪ ଘଣ୍ଟା ପାଇଁ (ଆଜି ସକାଳ ୮ଟା ୩୦ ଠାରୁ ଆସନ୍ତାକାଲି ସକାଳ ୮ଟା ୩୦ ପର୍ଯ୍ୟନ୍ତ) ପ୍ରବଳ ବର୍ଷା ନେଇ ୧୩ ଜିଲ୍ଲାକୁ ଅରେଞ୍ଜ୍ ୱାର୍ଣ୍ଣିଂ ଓ ୧୧ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରୀ କରିଛି ପାଣିପାଗ ବିଭାଗ ।
ଅରେଞ୍ଜ୍ ୱାର୍ଣ୍ଣିଂ ଜାରୀ କରାଯାଇଥିବା ୧୩ ଜିଲ୍ଲା ହେଲା, ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ଢ଼େଙ୍କାନାଳ, ଯାଜପୁର, ଭଦ୍ରକ, ବାଲେଶ୍ଵର ଦେବଗଡ଼, ସମ୍ବଲପୁର, ସୋନପୁର, ବୌଦ୍ଧ, ସୁନ୍ଦରଗଡ଼ ଏବଂ କଟକ । ଏହି ସମୟରେ ସମ୍ପୃକ୍ତ ଅଞ୍ଚଳରେ ୭ରୁ ୨୦ ସେ.ମି. ପର୍ଯ୍ୟନ୍ତ ବର୍ଷା ହୋଇପାରେ । ସେହିପରି ୟେଲୋ ୱାର୍ଣ୍ଣିଂ ଜାରୀ କରାଯାଇଥିବା ୧୧ ଜିଲ୍ଲା ହେଲା, କେନ୍ଦ୍ରାପଡ଼ା,ଜଗତସିଂହପୁର, ବରଗଡ଼, ଝାରସୁଗୁଡ଼ା, ନୟାଗଡ଼, ଖୋର୍ଦ୍ଧା, ପୁରୀ, କନ୍ଧମାଳ, କଳାହାଣ୍ଡି, ବଲାଙ୍ଗିର ଏବଂ ନୂଆପଡ଼ା । ଏହି ସମୟରେ ସମ୍ପୃକ୍ତ ଅଂଚଳରେ ୭ରୁ ୧୧ ସେ.ମି. ପର୍ଯ୍ୟନ୍ତ ବର୍ଷା ହୋଇପାରେ । ଭୁବନେଶ୍ଵର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରୀ ହୋଇଥିବା ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now