୨୦୨୩ ଡିସେମ୍ବର ମାସ ସୁଦ୍ଧା ସମସ୍ତ ଡାକ୍ତର ପଦବୀ ପୂରଣ କରାଯିବ : ସ୍ୱାସ୍ଥ୍ୟମନ୍ତ୍ରୀ

Spread the love

ଭୁବନେଶ୍ୱର : ୨୦୨୩ ଡିସେମ୍ବର ମାସ ସୁଦ୍ଧା ରାଜ୍ୟର ସମସ୍ତ ଖାଲିଥିବା ଡାକ୍ତର ପଦବୀ ପୂରଣ କରାଯିବ । ସ୍ୱାସ୍ଥ୍ୟ ବିଭାଗର ଉପଲବ୍ଧି ସଂପର୍କରେ ସୂଚନା ଦେଇ ସୋମବାର ଏହି ସୂଚନା ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ ।

ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ପୂଜାରୀ କହିଲେ ଯେ ରାଜ୍ୟରେ ଆବଶ୍ୟକତାଠାରୁ କମ୍ ସଂଖ୍ୟକ ମେଡ଼ିକାଲ ଶିକ୍ଷା ପ୍ରତିଷ୍ଠାନ ଥିବା ଯୋଗୁ ଡାକ୍ତର, ପାରାମେଡିକାଲ କର୍ମଚାରୀ, ନର୍ସିଂ ଅଫିସର ଆଦିଙ୍କର ଘୋର ଅଭାବ ପରିଲକ୍ଷିତ ହେଉଥିଲା । ସେଥିପାଇଁ ପ୍ରାଥମିକତା ଭିତିରେ ଗତ ୧୦ ବର୍ଷରେ ଆଠଟି ନୂଆ ମେଡ଼ିକାଲ କଲେଜ ଓ ଦୁଇଟି ପୋଷ୍ଟ ଗ୍ରାଜୁଏଟ ଇନଷ୍ଟିଚ୍ୟୁଟ ସ୍ଥାପନ, ନର୍ସିଂ ସ୍କୁଲଗୁଡିକୁ କଲେଜରେ ରୂପାନ୍ତରଣ, ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଆଦି କାମ ଯୁଦ୍ଧକାଳୀନ ଭିତିରେ ସମାପ୍ତ ହୋଇଛି । ଓଡ଼ିଶାରେ ୨୦୦୦ ମସିହାରେ ମାତ୍ର ୩୨୧ ଏମ୍‌.ବି.ବି.ଏସ୍‌. ଡାକ୍ତର ଏବଂ ୨୫୪ ଜଣ ବିଶେଷଜ୍ଞ ଡାକ୍ତର ବାହାରୁଥିବାବେଳେ ବର୍ତମାନ ତାହା ଯଥାକ୍ରମେ ୨୨୦୦ ଓ ୮୨୬ କୁ ବୃଦ୍ଧି ପାଇଛି । ଡାକ୍ତର ଆବଶ୍ୟକତା ଦୃଷ୍ଟିରୁ ସମ୍ପ୍ରତି ଓଡ଼ିଶା ଏକ ଉଦ୍‌ବୃତ  ରାଜ୍ୟରେ ପରିଣତ ହୋଇଛି ଏବଂ ୨୦୨୩ ଡିସେମ୍ବର ମାସ ସୁଦ୍ଧା ରାଜ୍ୟର ସମସ୍ତ ଖାଲିଥିବା ଡାକ୍ତର ପଦବୀ ପୂରଣ କରାଯିବ ।

                କର୍କଟ ରୋଗୀଙ୍କର ଅସହାୟତାକୁ ହୃଦୟଙ୍ଗମ କରି ନିରାଶ ଜୀବନରେ ଆଶାର ସଂଚାର କରିବାର ମାନବୀୟ ଲକ୍ଷ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମରେ ପ୍ରତିଷ୍ଠା ହେଉଛି ବାଗଚି ଶ୍ରୀଶଙ୍କର କର୍କଟ ରୋଗ ଚିକିତ୍ସା ପ୍ରତିଷ୍ଠାନ, ବାଗଚି କରୁଣାଶ୍ରୟ ପାଲିଏଟିଭ କେୟାର ସେଂଟର ଏବଂ ନାଇଜର ପରିସରରେ ଷ୍ଟେଟ ଅଫ ଆର୍ଟ କ୍ୟାନସର ହସପିଟାଲ । ଏଥିସହ ସମସ୍ତ ଜିଲ୍ଲା ଚିକିତ୍ସାଳୟରେ ମାଗଣା କେମୋଥେରାପି ସୁବିଧା କରାଯାଇଛି । ସମସ୍ତ ଜିଲ୍ଲା ଚିକିତ୍ସାଳୟରେ ଡାୟାଲିସିଶ ସେବା ଉପଲବ୍ଧ ହୋଇଛି ।

                ସାର୍ବଜନୀନ ସ୍ୱାସ୍ଥ୍ୟସେବାକୁ ଆହୁରି ଲୋକାଭିମୁଖୀ କରିବା ଉଦ୍ଦେଶ୍ୟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ମାଧ୍ୟମରେ ସରକାରୀ ସ୍ୱାସ୍ଥ୍ୟ ଅନୁଷ୍ଠାନମାନଙ୍କରେ ସମସ୍ତଙ୍କ ପାଇଁ ନିଃଶୁଳ୍କ  ସେବା ଯୋଗାଇ ଦିଆଯାଉଥିବାବେଳେ ରାଜ୍ୟର ୯୬.୫ ଲକ୍ଷ ପରିବାରର ୩.୩. କୋଟିରୁ ଅଧିକ ଉପଭୋକ୍ତାଙ୍କ ପାଇଁ ରାଜ୍ୟ ତଥା ରାଜ୍ୟ ବାହାରର ୭୦୦ ପ୍ରମୁଖ ତଥା ନାମକରା ଘରୋଇ ଚିକିତ୍ସାଳୟରେ ପୁରୁଷଙ୍କ ପାଇଁ ବାର୍ଷିକ ୫ ଲକ୍ଷ ଟଙ୍କା ଓ ମହିଳାଙ୍କ ପାଇଁ ୧୦ ଲକ୍ଷ ଟଙ୍କା ମୂଲ୍ୟର ଚିକିତ୍ସା ଉପଲବ୍ଧ କରାଯାଇଛି । ଏଥିରେ ପ୍ରତିମାସରେ ପ୍ରାୟ ୨୨୫ କୋଟି ଟଙ୍କା ମୂଲ୍ୟର ସେବା ପାଖାପାଖି ୧ ଲକ୍ଷ ରୋଗୀ ପାଇ ପାରୁଛନ୍ତି ।

                ଏହି ଅବସରରେ ସ୍ୱସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶାସନ ସଚିବ ଶ୍ରୀମତୀ ଶାଳିନୀ ପଣ୍ଡିତ କହିଲେ ଯେ ମେଡ଼ିକାଲ କଲେଜର ସ୍ୱାସ୍ଥ୍ୟସେବା ଏବେ ରାଜ୍ୟର କଳାହାଣ୍ଡି, ନୂଆପଡ଼ା, ନବରଙ୍ଗପୁର ଓ ମାଲକାନଗିରି ଭଳି ଉପାନ୍ତ ଜିଲ୍ଲାରେ ଉପଲବ୍ଧ । “ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବା’’ ଅଧୀନରେ ମେଡ଼ିକାଲ କଲେଜର ବିଶେଷଜ୍ଞ ଡାକ୍ତରମାନଙ୍କୁ ଉଡାଜାହାଜ ଯୋଗେ ନେଇ ସମ୍ପୃକ୍ତ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟରେ ଉନ୍ନତମାନର ସେବା ଯୋଗାଇ ଦିଆଯାଉଛି । ରାଜ୍ୟ ସମଗ୍ର ଦେଶରେ ସର୍ବାଧିକ ଶିଶୁମୃତ୍ୟୁ ହ୍ରାସ, ଦ୍ୱିତୀୟ ସର୍ବାଧିକ ମାତୃମୃତ୍ୟୁ ହରାସ, ସର୍ବାଧିକ ଟିକାକରଣ, ସର୍ବାଧିକ ମ୍ୟାଲେରିଆ ନିୟନ୍ତ୍ରଣ, ଦ୍ୱିତୀୟ ସର୍ବାଧିକ ଯକ୍ଷ୍ମା ନିୟନ୍ତ୍ରଣ, ପ୍ରଜନନ ହାରରେ ଆଶାତୀତ ହ ୍ରାସ, ମହିଳାମାନଙ୍କ ଋତୁସ୍ରାବ ସମ୍ପର୍କିତ ସ୍ୱଚ୍ଛତା କ୍ଷେତ୍ରରେ ଜାତୀୟ ହାର ଅପେକ୍ଷା ଅଧିକ ସଫଳତା ଆଦି ପ୍ରାପ୍ତ ହୋଇଛି । ଓଡ଼ିଶାକୁ ଉଭୟ ଜାତୀୟ ଓ ଅନ୍ତର୍ଜାତୀୟ ସମ୍ମାନର ସୁଅ ଛୁଟିଛି ।

                ୨୦୨୩-୨୪ ସ୍ୱାସ୍ଥ୍ୟ ବଜେଟରେ ମୋଟ ୧୫,୭୫୬ କୋଟି ଟଙ୍କାର ବ୍ୟୟ ବ୍ୟବସ୍ଥା କରାଯାଇଛି, ଯାହା ୨୦୦୦-୨୦୦୧ ବଜେଟ(୫୫୦ କୋଟି ଟଙ୍କା ) ତୁଳନାରେ ୩୦ ଗୁଣ ଅଧିକ । ଚଳିତ ବର୍ଷର ସମୁଦାୟ ବଜେଟ ପରିମାଣର ୭% ହେଉଛି ସ୍ୱାସ୍ଥ୍ୟ ବଜେଟ ବୋଲି ଶାସନ ସଚିବ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *