ମାଟିକୁ ମହକାଇ,ବାସକୁ ଚହଟାଇ ଆସିଛି ରଜ । ଓଡିଆ ମନରେ କେତେ ଯେ ଆଗ୍ରହ,କେଡେ ଉନ୍ମାଦନା ! ଏ ନିଆରା ରଜପର୍ବ ପାଳନ କରିବା ପାଇଁ ବର୍ଷ ସାରା ସମସ୍ତେ ଅନାଇଁ ରହିଥାନ୍ତି । ଓଡ଼ିଶାର ସଂସ୍କୃତି,ପରମ୍ପରା କେତେ ଯେ ମହାନ୍ ,କେଡେ ସୁନ୍ଦର ଏହା ଏହି ରଜପର୍ବ ଦେଖିଲେ ଜଣାପଡେ ।
କ‘ଣ ଏଇ ରଜପର୍ବ ?
ଆମ ଉତ୍କଳୀୟ ପରମ୍ପରାରେ ଵାରମାସକୁ ତେର ପର୍ବ ପାଳନ କରାଯାଏ । ସେଇ ତେର ପର୍ବ ମଧ୍ୟରେ “ରଜପର୍ବ” ଏକ ପାରମ୍ପାରିକ ଗଣପର୍ବ ଅଟେ । ରଜପର୍ବ ବର୍ଷାଋତୁ ଆଗମନର ସୂଚନା ଦେଇଥାଏ । ଏହି ପର୍ବ ଜ୍ୟେଷ୍ଠ ମାସରେ ,ମିଥୁନ୍ ସଂକ୍ରାନ୍ତିରେ ପଢିଥାଏ । ସ୍କନ୍ଦ ପୁରାଣ ଅନୁସାରେ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ସମୟରେ ଏହି ରଜପର୍ବକୁ ଓଡ଼ିଶାରେ ପାଳନ କରାଯାଇଥିଲା । “ରଜ” ଶବ୍ଦଟି “ରଜସ୍ଵଳା” ଶବ୍ଦରୁ ଆନୀତ । ରଜର ପ୍ରଥମ ଦିବସକୁ “ପହିଲି ରଜ” ,ଦ୍ଵିତୀୟ ଦିବସକୁ ” ରଜ ସଂକ୍ରାନ୍ତି”,ତୃତୀୟ ଦିଵସକୁ ” ଭୂମି ଦାହ ବା ଭୂମି ଦହନ” ,ଚତୁର୍ଥ ତଥା ରଜର ଶେଷ ଦିବସକୁ ” ବସୁମତୀ ” ଭାବରେ ପାଳନ କରାଯାଏ ।
ରଜ ପର୍ବର ବିଶେଷତ୍ବ :-
କିମ୍ବଦନ୍ତୀ ଅନୁସାରେ ମାତା ବସୁମତୀ ବର୍ଷାଋତୁ ଆଗମନର ସୂଚନା ରୂପକ ପ୍ରାରମ୍ଭରେ ରଜସ୍ଵଳା ହୋଇଥାନ୍ତି । ତାଙ୍କୁ ସମ୍ମାନ ଦେବାପାଇଁ ନାରୀମାନେ ଚାରିଦିନ ଧରି ଏହି ପର୍ବ ପାଳନ କରିଥାନ୍ତି । ଜଣେ କୁମାରୀ ଯେପରି ରଜସ୍ଵଳା ହେବାପରେ ଗର୍ଭ ଧାରଣ କରିଥାଏ,ଠିକ୍ ଅନୁରୂପ ସଦୃଶ ଧରଣୀ ରାଣୀ ଗର୍ଭରେ ଶସ୍ୟ ଧାରଣ କରିବା ପାଇଁ ରଜସ୍ଵଳା ହୋଇ ଉପଯୁକ୍ତା ହୋଇଥାଏ । ଆହୁରି ବି କୁହାଯାଏ ସାଧବ ପୁଅମାନେ ବାଣିଜ୍ୟ,ବ୍ୟବସାୟ କରି ଏହି ସମୟରେ ଘରେ ରୁହନ୍ତି ଓ ସୁଖ ,ସମ୍ଭୋଗରେ ଦିନ ବିତାଇ ଥାଆନ୍ତି । ମହାକଵି କାଳିଦାସ “ମେଘଦୂତ” ମହାକାବ୍ୟରେ ଯକ୍ଷର ବାର୍ତ୍ତାକୁ ଵିଧୂର,ବିରହୀ ପ୍ରିୟା ପାଖକୁ ମେଘକୁ ଦୂତ ସଜାଇ ଵାତେନି ଦେବାପାଇଁ ପଠାଇଥିଲେ ବୋଲି ଉଲ୍ଲେଖ ଅଛି ।ମାତୃଜାତି ସର୍ବଦା ଵନ୍ଦନୀୟା । ମାତୃ ଜାତିକୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ଏହି ରଜପର୍ବର ସୃଷ୍ଟି ହୋଇଥାଇପାରେ ବୋଲି ଅନେକେ ମତବ୍ୟକ୍ତ କରିଥାନ୍ତି । ନାରୀଟିଏ ମନରେ ଉତ୍ସାହ,ଉନ୍ମାଦନା ,ସ୍ନେହ,ପ୍ରେମ ଭଲପାଇବା ଯୋଗାଇଦେବା ଓ ଧୈର୍ଯ୍ୟର ସହିତ ନିଜର କର୍ତ୍ତବ୍ୟକୁ ପାଳନ କରିବା ପାଇଁ ଏହିପର୍ବ ପ୍ରେରଣା ଯୋଗାଇଥାଏ । ଅବିବାହିତ ପୁଅ/ଝିଅ ମାନଙ୍କ ମନରେ ଆଗାମୀ ସଂସାର ଗଢିବାରେ ପ୍ରେରଣାଦାୟକ ପର୍ବ ଏହି ରଜପର୍ବ । ଝିଅଟିଏ ଓଡିଆ ଘରର ଚଳଣୀ,ପରମ୍ପରା,ସଂସ୍କୃତି,ଆଚାର ଵ୍ୟଵହାରକୁ ବିଧି ଭାବରେ ପାଳନ କରି ଆଗାମୀ ଦିନରେ ମାଆ ହୋଇ ନିଜର ପରିବାରକୁ ସୁରୁଖୁରୁରେ ଚଳାଇବା ପାଇଁ ନିଜକୁ ପ୍ରସ୍ତୁତ କରିବା ପାଇଁ ରଜପର୍ବ ଶିକ୍ଷାଦାନ କରିଥାଏ । ଜଣେ ଝିଅ ରଜସ୍ଵଳା ହେବାପରେ ଯେପରି ଛଅ/ସାତ ଦିନ କଷ୍ଟ ଅନୁଭବ କରେ ଓ ଗର୍ଭଧାରଣ କରିବା ପାଇଁ ପ୍ରସ୍ତୁତ ହୋଇଥାଏ , ଆମମାନଙ୍କ ପାଇଁ ଠିକ୍ ସେହିପରି ବସୁମତୀ ମାଆ ରଜସ୍ଵଳା ସମୟରେ କଷ୍ଟ ପାଇଥାନ୍ତି । ତାଙ୍କୁ ବିଶ୍ରାମ ଦେବା ଏହି ରଜପର୍ବର ସୃଷ୍ଟି ।ବସୁମତୀ ମାତାଙ୍କୁ କର୍ଷଣ,ଖନନ,କାଟିବା ,ବାଟି ବିଶ୍ରାମ ବିଶ୍ରାମ କରି ବିଶ୍ରାମ ଦିଆଯାଏ । ଏହି ଦିବସ ଗୁଡ଼ିକରେ ଥିବା ଅନୁଭଵ ଓ ଅନୁଭୂତିକୁ ନେଇ କୁଆରୀ ଝିଅମାନେ ନିଜନିଜର ସଂସାର ଗଢିବାରେ ସକ୍ଷମ ହେବା ସହିତ ସନ୍ତାନ ସନ୍ତତି ମାନଙ୍କୁ ଉପଯୁକ୍ତ ଭାବରେ ଗଢିତୋଳିବା ରେ ସକ୍ଷମ ହୋଇଥାନ୍ତି ।
ରଜରେ ଖାଦ୍ୟ ଓ ପୋଷାକ :-
ପହିଲି ରଜଦିନ ମହିଳାମାନେ ବିଭିନ୍ନ ପ୍ରକାରର ସୁସ୍ଵାଦୁ ପିଠାପଣା କରି ରଖିଥାନ୍ତି । ଏହି ସମୟରେ ମାତା ବସୁମତୀ ରଜସ୍ଵଳା ହୋଇ ଯେହେତୁ ବିଶ୍ରାମ ନେଇଥାନ୍ତି ,ସମସ୍ତ ନାରୀ ତଥା ଝିଅ ବୋହୂ ମାନେ ମଧ୍ୟ ମଜାମଜଲିସ୍ କରି ଆରାମରେ ବିଶ୍ରାମ ନିଅନ୍ତି । ନୂଆ ପୋଷାକରେ ସମସ୍ତେ ଝଲମଲ ଦେଖାଯାଆନ୍ତି । ଝିଅମାନେ ପାଦରେ କଦଳୀପଟୁଆ ବାନ୍ଧି ,ଅଳତା ନାଇ ,ନବ ବସନ ପରିଧାନ କରିଥାନ୍ତି । ବୋହୂମାନେ ନବଵସ୍ତ୍ର ସହିତ ଅଳତା ,ସିନ୍ଦୂରରେ ସଜେଇ ହୋଇ ଅତିସୁନ୍ଦର ଦେଖାଯାଉଥାନ୍ତି । ବିଭିନ୍ନ ପ୍ରକାରର ପିଠାପଣା ନିଜେ ଖାଇ ପାଖ,ପଡୋଶୀ ,ବନ୍ଧୁବାନ୍ଧବ ମାନଙ୍କୁ ମଧ୍ୟ ବଣ୍ଟନ କରି ଭାଇଚାରା ଭାଵ ପୋଷଣ କରନ୍ତି ।ଚକୁଳି ପିଠା,ପୋଡପିଠା,ଏଣ୍ଡୁରୀ ,ଆରିସା ,ମଣ୍ଡାପିଠା ଇତ୍ୟାଦି ପ୍ରତ୍ୟେକଙ୍କ ଘରେ ତିଆରି କରାହୁଏ । ଏଇ ପିଠାପଣାର ବାସ୍ନା ଗାଁ ସାରା ଚାରିଆଡ଼େ ମହକି ଯାଏ । “ରଜପାନ ” ଖାଇବା ଓ ଅନ୍ୟକୁ ସାଦରେ ବଣ୍ଟନ କରିବା ଏକ ନିଆରା ପରମ୍ପରା ରଜପର୍ବର ଏ ଦେଖାଯାଏ । ପାନ ସାଧାରଣତଃ କୃମି ନାଶକ ଓ କ୍ୟାଲସିୟମ ଯୁକ୍ତ । ଏହା ଖାଇବା ଦ୍ଵାରା ହାଡ ଶକ୍ତ ରହେ ଓ ଦେହ ସୁସ୍ଥ ରହିଥାଏ ।ବିଭିନ୍ନ ପ୍ରକାରର ମସଲା,ଗୁଜୁରାତି,ଖଇର,ନଡ଼ିଆ,ଗୁଆ ,ଚୁନା ଇତ୍ୟାଦି ଦେଇ ଭଳିକି ଭଳି ପାନ ତିଆରି କରାଯାଏ । ଏଥିସହିତ ଵିଭିନ୍ନ ଫଳମୂଳ ମଧ୍ୟ ବଣ୍ଟନ କରିବା ସହିତ ଘରେ ଖାଇଥାନ୍ତି ।
ରଜଦୋଳି:-
କେବଳ କୁଆଁରୀ ଝିଅମାନେ ଯେ ମଜା କରନ୍ତି ତାହା ନୁହେଁ ,କୁମାର ପୁଅମାନେ ମଧ୍ୟ ଦୋଳି ବାନ୍ଧିବା,ବିଭିନ୍ନ ପ୍ରତିଯୋଗିତାରେ ଭାଗନେବା ,ରଜପାନ ଖାଇବା ଇତ୍ୟାଦି କରି ରଜମଉଜ କରନ୍ତି । ରଜଦୋଳି ଉପରେ ବସି ଝିଅମାନେ ଗାଉଥାନ୍ତି-
“ବନସ୍ତେ ଡାକିଲା ଗଜ
ବରଷକୁ ଥରେ ଆସିଛି ରଜ
ଆସିଛି ରଜ ଲୋ
ଘେନି ନୂଆ ସଜବାଜ
ବଉଳ ଲୋ
ଘେନି ନୂଆ ସଜବାଜ ।”
ରଜ ପାଇଁ ଗାଁ ଠୁ ସହର ଚାରିଆଡେ ଚଳଚଞ୍ଚଳ ।ପନ୍ଦର ଦିନ ପୂର୍ବରୁ ଘରଦ୍ଵାର ସଜବାଜ ହେଲାଣି । ଚୁଡ଼ା,ଚିନି ,ମୁଢ଼ି ,ଡାଲି,ପିଠାପଣା ସବୁ ବିଭିନ୍ନ ଜିନିଷ ସଜାଡି ରଖି ମଜା କରନ୍ତି । ଆଜିକାଲି ରଜ ପୂର୍ଵ ଭଳି ଆଉ ପାଳନ କରାଯାଉନାହିଁ ।ପରମ୍ପରା ଭିତରେ ଆଧୁନିକତା ପ୍ରଵେଶ କରିସାରିଛି । ପୋଷାକ ପରିଧାନ ରେ ବୈଦେଶୀୟ ଢାଞ୍ଚା । ତଥାପି ସରକାର,ବିଭିନ୍ନ ସ୍ଵେଚ୍ଛାସେଵକ, ବିଜ୍ଞ ଲୋକ ପିଲାଙ୍କୁ ବିଭିନ୍ନ ପ୍ରତିଯୋଗିତାରେ ସାମିଲ କରାଇ ଅନ୍ତଃର୍ନିହିତ ଗୁଣାବଳୀର ବିକାଶ କରିବା ପାଇଁ ପ୍ରୟାସ ଜାରି ରହିଛି ।ନୃତ୍ୟ,ଖେଳ, ଗୀତ,ପିଠାପଣା,ଝୋଟି ଚିତା ଇତ୍ୟାଦି ପ୍ରତିଯୋଗିତା କରାଇ କୃତୀ ପିଲାଙ୍କୁ ପୁରସ୍କାର ବିତରଣ କରାଯାଉଛି । ରଜପର୍ବ ପାଳନ କରି ସଂସ୍କୃତି,ପରମ୍ପରାକୁ ଉଜ୍ଜୀବିତ କରିବା ରଜପର୍ବର ଲକ୍ଷ୍ୟ ଅଟେ ।କୁମାରୀ ଝିଅମାନେ ରଜଦୋଳି ଖେଳି କଦଳୀ ପଟୁଆ ପାଦରେ ଵାନ୍ଧିଥାନ୍ତି ।
ରଜପର୍ବର ଶେଷଦିନ ହେଉଛି ,ବସୁମତୀ ସ୍ନାନ ” । ଏହିଦିନ ମାଆ ରଜସ୍ଵଳା ପରେ ଶୁଦ୍ଧସ୍ନାନ କରନ୍ତି ।ପ୍ରତ୍ୟେକ ପରିଵାରର ସ୍ତ୍ରୀଲୋକମାନେ ମଧ୍ୟ ଏହିପର୍ବ କୁ ଅତି ଆନନ୍ଦର ସହିତ ପାଳନ କରିଥାନ୍ତି । ଏହି ସ୍ନାନପୂର୍ଣ୍ଣିମା ଦିନ ପ୍ରଭୁ ଜଗନ୍ନାଥ ଗଜାନନ ବେଶ ଧାରଣ କରି ଅପୂର୍ବ ମନୋହର ଦେଖାଯାଆନ୍ତି ।ସ୍ନାନ ପୂର୍ଣ୍ଣିମାକୁ ଜଗନ୍ନାଥଙ୍କର ଜନ୍ମଦିନ ବୋଲି ବିବେଚନା କରାଯାଏ । ଏହିଦିନ ପ୍ରଭାତରେ ପ୍ରଥମେ ସୁଦର୍ଶନ,ତାପରେ ବଡଠାକୁର ବଳଭଦ୍ର ,ଶେଷରେ ଚକାଡୋଳା ସ୍ନାନମଣ୍ଡପକୁ ବିଜେକରି ସୁଗନ୍ଧିତ ଜଳରେ ସ୍ନାନ କରିଥାନ୍ତି ।ଵରାବଡୁ ସେବକମାନେ ଶ୍ରୀମନ୍ଦିରର ଉତ୍ତରପଟ କୂଅରୁ ସୁବର୍ଣ୍ଣ ଗ୍ରାମରେ ଜଳ ଆଣି ଜଗନ୍ନାଥଙ୍କୁ ୩୩ ଗଡୁ,ବଳଭଦ୍ରଙ୍କୁ ବାଇଶି ଓ ସୁଦର୍ଶନଙ୍କୁ ଅଠର ଗଡୁ ଜଳରେ ସ୍ନାନ କରାଇବା ବିଧି ରହିଛି । ସ୍ନାନପରେ ଗଜପତି ମହାରାଜା ସ୍ନାନମଣ୍ଡପକୁ ଆସି ଛେରାପହଁରା କରିଥାନ୍ତି । ଗଣପତି ଭଟ୍ଟ ନାମରେ ଜଣେ ଭକ୍ତ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ପୁରୀକୁ ଆସିଥିଲେ । ମେ ଜଗନ୍ନାଥଙ୍କ ଖଣ୍ଡିଆ ହାତ ଦେଖି ମ୍ରିୟମାଣ ହୋଇ ଦର୍ଶନ ନକରି ଫେରିଯିବାକୁ ବସିଥିଲେ । ଗଣପତି ଗଜାନନଙ୍କ ପ୍ରିୟ ଭକ୍ତ ଥିଲେ ।ଏଣୁ ଭକ୍ତର ଭଗବାନ ତାଙ୍କୁ ଗଜାନନ ବେଶରେ ଏହିଦିନ ଦର୍ଶନ ଦେଇଥିଲେ ବୋଲି କିମ୍ବଦନ୍ତୀ କହେ ।ପ୍ରଭୁ ସ୍ନାନପରେ ଅଣସର ଘରକୁ ବିଜେ କରନ୍ତି । ଏଥିସହିତ ରଜପର୍ବର ସମାପନ ହୋଇଥାଏ ।
Naxatra News is now on Whatsapp
Join and get latest news update delivered to you via whatsapp
Join Now