ମୁଖ୍ୟମନ୍ତ୍ରୀଙ୍କୁ ଥଣ୍ଡା ଚା’ ଦେଇଥିଲେ ଅଫିସର,,,ମିଳିଲା କାରଣ ଦର୍ଶାଅ ନୋଟିସ୍

ମଧ୍ୟପ୍ରଦେଶରେ ଘଟିଛି ଏଭଳି ଘଟଣା । ଜାତୀୟ ଗଣମାଧ୍ୟମ ଖବର ଆଧାରରେ ଏଭଳି ଏକ ରିପୋର୍ଟ ପ୍ରକାଶ ପାଇଛି । ରିପୋର୍ଟ ଅନୁସାରେ, ସୋମବାର ନଗର ନିଗମ ନିର୍ବାଚନ ପ୍ରଚାର ସରିବା ପରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ୍ ଖଜୁରାହୋ ବିମାନବନ୍ଦର ଭିଆଇପି ଲାଉଞ୍ଜକୁ ଜଳଖିଆ ପାଇଁ ଯାଇଥିଲେ। ଏହି ସମୟରେ ତାଙ୍କୁ ଥଣ୍ଡା ଚା ପରସାଯାଇଥିଲା। ହେଲେ ଅଳ୍ପ ସମୟ ପାଇଁ ସେଠାରେ ଅଟକିଥିବାରୁ ଚା’ ପିଇ ନଥିଲେ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କୁ ଥଣ୍ଡା ଚା’ ଦେବା ଅଫିସରଙ୍କୁ ପଡ଼ିଲା ମହଙ୍ଗା। ମୁଖ୍ୟମନ୍ତ୍ରୀ ଚାଲିଯିବା ପରେ ଆସିଲା ଲମ୍ବା ନୋଟିସ୍। କାହିଁକି ଥଣ୍ଡା ଚା’ ଦେଲେ ତାର କାରଣ ଦର୍ଶାଅ।

ନୋଟିସ୍ ପାଇବା ପରେ ଡରିଲେ ଅଫିସର। ଶେଷରେ ଏମିତି ହେଲା ଯେ ନୋଟିସ୍ ଫେରାଇନେଲେ ଜିଲ୍ଲାପାଳ। ଥଣ୍ଡା ଚା’ ପାଇଁ କିନ୍ତୁ ଜୁନିୟର ସପ୍ଲାଏ ଅଫିସର ରାକେଶ କନଉହ୍ୱାଙ୍କୁ କାରଣ ଦର୍ଶାଅ ନୋଟିସ ପଠାଇଥିଲା ଜିଲ୍ଲା ପ୍ରଶାସନ। ସବ ଜିଭିଜୋନାଲ ମାଜିଷ୍ଟ୍ରେଟ୍‌ ଡିପି ଦ୍ୱିବେଦୀ ରାକେଶଙ୍କୁ ନୋଟି୍ସ କରିଥିଲେ। ଯେଉଁଥିରେ ଲେଖାଥିଲା “ଆପଣଙ୍କୁ ଚା’ ଜଳଖିଆର ଦାୟିତ୍ୱ ଦିଆଯାଇଥିଲା। ହେଲେ ଦିଆଯାଇଥିବା ଚା’ର ମାନ ଅତି ନିମ୍ନାମାନର ଥିଲା। ଥଣ୍ଡା ଚା’ ପରସାଯାଇଥିଲା। ଏହାଦ୍ୱାରା ଭିଆଇପି ପ୍ରୋଟକଲ ଭଙ୍ଗ ହୋଇଛି। ”

ପ୍ରଶାସନର ଏଭଳି ନୋଟିସ୍‌ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା। ଏହାକୁ ନେଇ ନାନା ସମାଲୋଚନାର ଶିକାର ହେବା ପରେ ଜିଲ୍ଲା କଲେକ୍ଟର ନୋଟିସ୍ ଫେରାଇ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ନୋଟିସ୍ ରଦ୍ଦ କରିବାକୁ ଏସ୍‌ଡିଏମ୍‌କୁ କୁହାଯାଇଛି। ଏହାକୁ ନେଇ ବିରୋଧୀ ମଧ୍ୟ ଶିବରାଜ ସରକାରଙ୍କୁ ତୀବ୍ର ସାମାଲୋଚନା କରିଛନ୍ତି। ଏଭଳି ତ୍ରୁଟି ପାଇଁ କାହିଁକି ଆପଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ ବୋଲି ନୋଟିସ୍‌ରେ ପ୍ରଶ୍ନ କରାଯାଇଥିଲା। ୩ ଦିନ ଭିତରେ ଏହାର ଉତ୍ତର ରଖିବାକୁ କୁହାଯାଇଥିଲା। ଉତ୍ତର ନଦେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଥିଲା।

  • ଅଭିଷେକ ପୁରୋହିତଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *