ନର୍ସିଂ ଅଫିସରଙ୍କୁ ଆନ୍ଦୋଳନରୁ ଓହରିବାକୁ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ନିବେଦନ

ନର୍ସିଂ ଅଫିସରଙ୍କ ଦାବି ପ୍ରତି ସରକାର ସକାରାତ୍ମକ ବିଚାର କରୁଛନ୍ତି । ରାଜ୍ୟ ବ୍ୟାପୀ ନର୍ସିଂ ସଂଘର ଆନ୍ଦୋଳନ ଜାରି ରହିଥିବା ବେଳେ ଏଥିରୁ ଓହରିବାକୁ ନିବେଦନ କରିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ନର୍ସିଂ ସଂଘର ଦାବି ଉପରେ ସରକାର ପଦକ୍ଷେପ ନେଉଛନ୍ତି । ପ୍ରଥମ ଦଫାରେ ୧୦୨୨ଜଣକୁ ପ୍ରମୋଶନ ଦେଇଛନ୍ତି । ସେମାନଙ୍କ ଦାବି ପ୍ରତି ସରକାର ସକାରାତ୍ମକ ବିଚାର କରୁଛନ୍ତି । ଏନେଇ ଏକ ଉଚ୍ଚ ସ୍ତରୀୟ କମିଟି ଗଠନ କରାଯାଇଛି । ଏଭଳି ସ୍ଥିତିରେ ସ୍ୱାସ୍ଥ୍ୟ ସେବା ଯେପରି ଆଉ ବାଧାପ୍ରାପ୍ତ ନହୁଏ ତାକୁ ଦୃଷ୍ଟିରେ ରଖି ଆନ୍ଦୋଳନରୁ ଓହରିଯିବାକୁ ନିବେଦନ କରିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ । ଯାଜପୁର ଜିଲ୍ଲା ଧର୍ମଶାଳାରେ ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ମେଗା ସ୍ୱାସ୍ଥ୍ୟ ଶିବିରରେ ଯୋଗଦେଇ ସେ ଏହି ନିବେଦନ କରିଛନ୍ତି। ଅନ୍ୟପଟେ ଦ୍ବିତୀୟ ଦିନରେ ପହଞ୍ଚିଛି ନର୍ସିଂ ଅଫିସରଙ୍କ ସଂପୂର୍ଣ୍ଣ କାର୍ଯ୍ୟବନ୍ଦ ଆନ୍ଦୋଳନ। କୌଣସି ଜରୁରୀ ସେବାରେ ଯୋଗ ଦେଉନାହାନ୍ତି ନର୍ସିଂ ଅଫିସର । ଏସମା ଲାଗୁ ସତ୍ତ୍ବେ ନର୍ସିଂ ଅଫିସର ସଂଘ ଦାବି ପୂରଣ ନେଇ ନିଜ ଜିଦରେ ଅଟଳ ରହିଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରୀ ଗଣମାଧ୍ୟମରେ ବିବୃତ୍ତି ନୁହେଁ ନର୍ସିଂ ଅଫିସରଙ୍କ ସହିତ ଆଲୋଚନା କରି ସମସ୍ୟାର ସମାଧାନ କରନ୍ତୁ ବୋଲି ନର୍ସିଂ ଅଫିସର ସଙ୍ଘ ସଭାନେତ୍ରୀ କହିଛନ୍ତି ।

ରାଜ୍ୟରେ ରୋଗୀ ସେବା ସଠିକ ଭାବେ ଚାଲିବା ସରକାରଙ୍କର ଉତ୍ତର ଦାୟିତ୍ବ । ନର୍ସିଂ ଅଫିସର ସଙ୍ଘ ଦେଇଥିବା ୧୦ ଦଫା ଦାବି ଯୁକ୍ତିଯୁକ୍ତ। ଏଥିରେ ରାଜ୍ୟର ୧୫ ହଜାର ନର୍ସିଂ ଅଫିସରଙ୍କ ସ୍ୱାର୍ଥ ନିହିତ ରହିଛି । ଅଧିକାଂଶ ଦାବିକୁ ସରକାର ଚାହିଁଲେ ଗୋଟିଏ ଘଣ୍ଟା ଭିତରେ ପୂରଣ କରି ପାରିବେ । ଏଥିରେ କୌଣସି ପଲିସି ନିଷ୍ପତ୍ତି ହେବାର ନଥିବା ବେଳେ ସରକାରଙ୍କ ଉପରେ ସେଭଳି ଆର୍ଥିକ ବୋଝ ପଡିବାର ମଧ୍ୟ ନାହିଁ । ତେଣୁ ସରକାର ଟାଳଟୁଳ ନୀତି ଅବଲମ୍ବନ ନ କରନ୍ତୁ ବୋଲି ନର୍ସିଂ ଅଫିସର ସଙ୍ଘ ଦାବି କରିଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *