ଗର୍ଭବତୀଙ୍କ ସୁରକ୍ଷା ପାଇଁ ସରକାରଙ୍କ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଉଛି। କର୍ମକ୍ଷେତ୍ରରେ ବି ଗର୍ଭବତୀଙ୍କ ଚିକିତ୍ସା, ଯତ୍ନ ନେଇ ଅନେକ ଗୁରୁତ୍ୱ ଦିଆଯାଉଛି। ହେଲେ ଏହାସତ୍ତ୍ୱେ ଜଣେ ଗର୍ଭବତୀ କର୍ମଚାରୀଙ୍କୁ ଉପରିସ୍ଥ ଅଧିକାରୀଙ୍କ ଅସହଯୋଗ ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳିବା ପରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଗର୍ଭ ଯନ୍ତ୍ରଣାରେ ଛଟପଟ ହେଉଥିବା ମହିଳା କର୍ମଚାରୀଙ୍କୁ ସିଡିପିଓ ଡାକ୍ତରଖାନା ଛାଡିନଥିବାରୁ ତାଙ୍କ ଗର୍ଭସ୍ଥ ଶିଶୁର ମୃତ୍ୟୁ ହୋଇଥିବା ଭଳି ସାଂଘାତିକ ଅଭିଯୋଗ ଆସିଛି କେନ୍ଦ୍ରାପଡା ଡେରାବିଶରୁ। ଅଭିଯୋଗ ଅନୁସାରେ, ଡେରାବିଶ ବ୍ଲକ ମହିଳା ଓ ଶିଶୁ ସମନ୍ୱୟ ବିଭାଗରେ କାର୍ଯ୍ୟରତ ବରିଷ୍ଠ ମହିଳା କିରାଣୀ ବର୍ଷା ପ୍ରିୟଦର୍ଶିନୀ ମହାପାତ୍ରଙ୍କୁ ଗତ ଶୁକ୍ରବାର କାର୍ଯ୍ୟାଳୟରେ ଥିବାବେଳେ ହଠାତ୍ ଗର୍ଭ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ୭ ମାସର ଗର୍ଭବତୀ ଥିଲେ ବର୍ଷା। ଯେତେବେଳେ ସେ, ସିଡିପିଓ ସ୍ନେହଲତା ସାହୁଙ୍କୁ ଡାକ୍ତରଖାନା ଯିବାକୁ ଅନୁମତି ମାଗିଥିଲେ, ସେ ଅନୁମତି ଦେଇ ନଥିଲେ ବରଂ ଦୁର୍ବ୍ୟବହାର ପ୍ରର୍ଦଶନ କରିଥିଲେ। ପରେ ଖବର ପାଇ ବର୍ଷାଙ୍କ ପରିବାର ଲୋକ ସେଠାରେ ପହଞ୍ଚି ତାଙ୍କୁ ଗୁରୁତର ଅବସ୍ଥାରେ କେନ୍ଦ୍ରାପଡ଼ାର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ସେତେବେଳକୁ ବହୁତ ବିଳମ୍ବ ହୋଇଯାଇଥିଲା, ଗର୍ଭସ୍ଥ ଶିଶୁଟିର ମୃତ୍ୟୁ ହୋଇ ସାରିଛି ବୋଲି ଡାକ୍ତର କହିଥିଲେ। ସିଡିପିଓଙ୍କ ପାଇଁ ବର୍ଷାଙ୍କର ଏଭଲି ଅବସ୍ଥା ହୋଇଛି ବୋଲି ଦାବି କରିଛନ୍ତି ପରିବାର ଲୋକ।
ସିଡିପିଓଙ୍କ ଏଭଳି କାର୍ଯ୍ୟ ବିରୋଧରେ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ବର୍ଷାଙ୍କ ପରିବାର ଲୋକେ। ତେବେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ସିଡିପିଓ ସ୍ନେହଲତା ସାହୁ। ତେବେ ଜଣେ ଉଚ୍ଚ ପଦସ୍ଥ କର୍ମଚାରୀଙ୍କ ଆଚରଣ ଯୋଗୁଁ ଆଉ ଜଣେ କର୍ମଚାରୀଙ୍କ ଏଭଳି ଅବସ୍ଥା ହେବା ସାରାରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ତେବେ ଏହାର ସତ୍ୟତା ସାମ୍ନାକୁ ଆସୁ ବୋଲି ଦାବି ହୋଇଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now