ରାୟଗଡ଼ା ଜିଲ୍ଲା ସଦର ପୌରପରିଷଦ ଅଞ୍ଚଳ ରିଙ୍ଗରୋଡ ସ୍ଥିତ ସହରାଂଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର-୧ରେ ଗତ ୨୯ ତାରିଖ ଦିନ ଚୋରି ହୋଇଥିବା ଘଟଣାରେ ସେଠାରେ କାର୍ଯ୍ୟ କରୁଥିବା ପୂର୍ବତନ ମେଡିକଲ ଅଫିସର ଡାକ୍ତର ରୋହିତ କୁଣ୍ଡୁଙ୍କ ସମେତ ୩ଜଣଙ୍କୁ ଗତ କାଲି ରାତିରେ ରାୟଗଡା ପୋଲିସ ଗିରଫ କରିଛି। ଗିରଫ ହୋଇଥିବା ଅନ୍ୟମାନେ ହେଲେ ସେଠାରେ କାର୍ଯ୍ୟ କରୁଥିବା ଲେବ ଟେକ୍ନସିଆନ ଅବିନାଶ ସାଉନ୍ତା ଏବଂ ଦେବାଶିଷ ଗରଡିଆ । ଏହି ଚୋରୀ ଘଟଣା ସଂପର୍କରେ ବର୍ତ୍ତମାନ କାର୍ଯ୍ୟ କରୁଥିବା ମେଡିକାଲ ଅଫିସର ଡାକ୍ତର ସଂଗ୍ରାମ କିଶୋର ନିମାଲ ରାୟଗଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଉକ୍ତ କେନ୍ଦ୍ରର ସଭାଗୃହରେ ଥିବା ଲାପଟପ,ସିସିଟିଭି ହାର୍ଡଡିସ୍କ ସହ ଗୁରୁତ୍ୱପୂର୍ଣ୍ଣ କିଛି ରେଜିଷ୍ଟାର ମଧ୍ୟ ଚୋରି ହୋଇଥିବା ଅଭିଯୋଗରେ ଉଲ୍ଲେଖ କରିଥିଲେ । ମେଡିକଲ ଅଫିସରଙ୍କ ଅଭିଯୋଗକୁ ଭିତି କରି ରାୟଗଡ଼ା ଥାନା ଆରକ୍ଷୀ ନିରୀକ୍ଷକ ଘଟଣାସ୍ଥଳରେ ପଂହଚି ତଦନ୍ତ କରିଥିଲେ । ଚୋରି ଘଟଣାକୁ ନେଇ ଉକ୍ତ ସ୍ୱାସ୍ଥ୍ୟ କେନ୍ଦ୍ରର ଷ୍ଟାଫଙ୍କୁ ଥାନାକୁ ଆଣି ପଚରାଉଚୁରା କରାଯାଇଥିଲା ।ଗତ ୨୯ତାରିଖ ଦିନ ଉକ୍ତ କେନ୍ଦ୍ର ପରିସରରେ ଥିବା ଏକ ବଡ ଗାତ ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ଅନ୍ୟାନ୍ୟ ରେଜିଷ୍ଟ୍ରାର,ଫାଇଲଗୁଡିକ ଫୋପାଡି ଦିଆଯାଇଥିବା ପୋଲିସ ତଦନ୍ତ ବେଳେ ଦେଖିବାକୁ ପାଇଥିବା ବେଳେ ପରେ କେନ୍ଦ୍ର କର୍ମଚାରୀମାନେ ତାହାକୁ ଉକ୍ତ ସ୍ଥାନରୁ ଆଣି ରଖିଥିବା ଦେଖିବାକୁ ମିଳିଥିଲା । ଏହି ଚୋରି ଘଟଣାରେ ସ୍ୱାସ୍ଥ୍ୟ କେନ୍ଦ୍ରର କର୍ମଚାରୀଙ୍କ ହାତ ଥିବା ପୋଲିସ ପ୍ରାଥମିକ ତଦନ୍ତରୁ ସନ୍ଦେହ କରି , ସମସ୍ତ ଷ୍ଟାଫଙ୍କ ମୋବାଇଲ ଫୋନ ଟ୍ରାକ କରି ଜାଞ୍ଚ କରୁଥିଲା ।
Naxatra News is now on Whatsapp
Join and get latest news update delivered to you via whatsapp
Join Now