ନିର୍ବାଚନ ଅଧିକାରୀଙ୍କୁ ମାଗିଲେ ମିଳୁନି ତଥ୍ୟ

ଇଭିଏମରେ ପଡ଼ିଥିବା ଭୋଟ ଓ ଗଣତି ଭୋଟ ଭିତରେ ତାଳମେଳ ନାହିଁ। ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ତଥ୍ୟ ମାଗିଲେ ମିଳୁନି। ଏହାର ଅନୁଧ୍ୟାନ ଲାଗି ସିଇଓଙ୍କୁ କେନ୍ଦ୍ର ନିର୍ବାଚନ କମିଶନ ନିର୍ଦେଶ ଦିଅନ୍ତୁ କହି ଫେରାଦ୍ ହୋଇଛି ବିଜେଡି। ନିର୍ବାଚନରେ ସ୍ୱଛତା ବଜାୟ ରଖିବାକୁ ଇସିଆଇଙ୍କ ନିକଟରେ ଦାବି କରିଛି ଦଳ। ଭୋଟ୍ ଦିନ ସଂଧ୍ୟା ୫, ରାତି ୧୧ଟା ୪୫ ଗଣତି ବେଳର ତଥ୍ୟ ଭିନ୍ନ ଦର୍ଶାଉଛି। ବିଭିନ୍ନ ବୁଥ୍‌ରେ ତାରତମ୍ୟ ୨୦ ପ୍ରତିଶତରୁ ନେଇ ସର୍ବାଧିକ ୩୦ ପ୍ରତିଶତ ରହିଛି। ଯାହାକି ଦେଶର ନିର୍ବାଚନ ଇତିହାସରେ ପ୍ରଥମ। ଯେବେକି ପୂର୍ବ ନିର୍ବାଚନରେ ତାରତମ୍ୟ ମାତ୍ର ୦.୫ ପ୍ରତିଶତରୁ ୧.୫ ପ୍ରତିଶତ ଭିତରେ ସୀମିତ ରହୁଥିଲା। ଅମର ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡିର ରାଜ୍ୟସଭା ସାଂସଦଙ୍କ ଏକ ପ୍ରତିନିଧି ଦଳ ଇସିଆଇଙ୍କୁ ଲିଖିତ ଅଭିଯୋଗ କରିଛି।

୩୮ ବିଧାନସଭା ଆସନରେ ମତଦାନ ହାରର ତାରତମ୍ୟ ୧୫ରୁ ୨୨ ପ୍ରତିଶତ। ୧୦ଟି ଆସନରେ ଏହି ତାରତମ୍ୟ ୨୦ରୁ ୨୫ ପ୍ରତିଶତ ରହିଛି। କନ୍ଧମାଳ, ତଳସରା, ଏକାମ୍ର ଭୁବନେଶ୍ୱର, ଟିଟିଲାଗଡ଼, ସମ୍ୱଲପୁର, ବାଲେଶ୍ୱର ବିଧାନସଭାର ନଜିର ଦେଇଛି ବିଜେଡି। କଣ୍ଟାମାଳ ଓ କେନ୍ଦୁଝର ବିଧାନସଭାରେ ସର୍ବାଧିକ ତାରତମ୍ୟ ୨୯ରୁ ୩୧ ପ୍ରତିଶତ ରହିଛି। ଅବଶିଷ୍ଟ ୯୭ ବିଧାନସଭା ଆସନରେ ମତଦାନ ହାର ତାରତମ୍ୟ ୩ରୁ ୧୫ ପ୍ରତିଶତ ଭିତରେ ରହିଛି। ସେଭଳି ଢେଙ୍କାନାଳ, ଯାଜପୁର, ବଲାଙ୍ଗୀର ଓ କନ୍ଧମାଳ ସଂସଦୀୟ କ୍ଷେତ୍ରରେ ଭୋଟ ଦାନ ଓ ଭୋଟ ଗଣତି ଭିତରେ ବଡ଼ ତାରତମ୍ୟ ଥିବା ଦର୍ଶାଇଛି ବିଜେଡି। ପ୍ରିଜାଇଡିଂ ଅଫିସର ଏମିତି ରିପୋର୍ଟ କେମିତି ଦେଲେ। ପ୍ରିଜାଇଡିଂ ଅଫିସର ଓ ରିଟର୍ଣ୍ଣିଂ ଅଫିସରଙ୍କ ଦୁଇ ତଥ୍ୟ କେମିତି ଏତେ ଅଲଗା। ଇଭିଏମରେ ୭ଶହ ଭୋଟ ପଡ଼ିଥିଲା ବେଳେ ଗଣତି ବେଳେ ୭୩୫ ବା ୬ଶହ କେମିତି ହୋଇଗଲା। ଯଦି ଜାଲିଆତି ହୋଇନି, ପ୍ରମାଣ ଦିଅନ୍ତୁ। ନବୀନ ଜିତିବା ପକ୍କା ଥିଲା। ଲୋକଙ୍କ ସନ୍ଦେହ ଦୃଷ୍ଟିରୁ ୬ ମାସ ରିସର୍ଚ୍ଚ ପରେ ଏହି ତଥ୍ୟ ପାଇଛି ବିଜେଡି। ସେପଟେ ଶାସକ ଦଳ କହିଛି, ପରାଜୟର କୋମାରୁ ବାହାରୁପାରୁନି ବିଜେଡି। ଜନାଦେଶକୁ ସମ୍ମାନ ଦେବା ବଦଳରେ ନିରନ୍ତର ଅପମାନିତ କରି ଚାଲିଛି। ଜନତାଙ୍କ ଦ୍ୱାରା ପ୍ରତ୍ୟାଖ୍ୟାନ ପରେ ବାଉଳା ହୋଇପଡ଼ିଲାଣି ବିଜେଡି। ନିର୍ବାଚନରେ ଅନିୟମିତତାର ଆରୋପ ଆଣି ଏଥିରେ ସ୍ୱଛତାର ପ୍ରମାଣ ମାଗିଛି ବିଜେଡି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *