ଆୟୁଷ୍ମାନ ଭାରତ ପଲିଟିକ୍ସ
ରାଜନୈତିକ ଦୃଷ୍ଟିକୋଣରୁ ଓଡ଼ିଶା ବାସୀଙ୍କୁ ଆୟୁଷ୍ମାନ ଭାରତରୁ ବଞ୍ଚିତ କରାଯାଉଥିଲା। ପୂର୍ବ ସରକାରର ହୀନମନ୍ୟତାରୁ ଏହାକୁ ଲାଗୁ କରାଯାଉନଥିଲା। ଉଚ୍ଚମାନର ସ୍ୱାସ୍ଥ୍ୟସେବା ଦେବାକୁ କିନ୍ତୁ ବିଜେପି ସରକାର ସଂକଳ୍ପବଦ୍ଧ। ଦେଶର ୩୦ହଜାର ହସ୍ପିଟାଲରେ ଚିକିତ୍ସା ପାଇପାରିବେ ଲୋକେ। ବୟସ୍କ ଓ ମହିଳା ଅଧିକ ଉପକୃତ ହେବେ। ପ୍ରତି ପଞ୍ଚାୟତରେ ବି ଆୟୁଷ୍ମାନ ମନ୍ଦିର ଖୋଲିବ। ଯେଉଁଠି ଯୋଗ ଶିକ୍ଷକ ଓ ସ୍ୱାସ୍ଥ୍ୟକର୍ମୀ ରହିବେ। ଦିଲ୍ଲୀ ବିଜ୍ଞାନ ଭବନରେ କେନ୍ଦ୍ର-ରାଜ୍ୟ ଭିତରେ ଆୟୁଷ୍ମାନ ଭାରତ ଲାଗି ବୁଝାମଣାପତ୍ର ସ୍ୱାକ୍ଷରିତ ପରେ ଦିଲ୍ଲୀରୁ ଫେରି ଏଭଳି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏଥିରେ ରାଜ୍ୟର ୧ କୋଟି ୩ଲକ୍ଷ ପରିବାର ଉପକୃତ ହେବେ। ଏଥିରେ ବାଇପାସ୍ ସର୍ଜରୀ, ଆଣ୍ଠୁ ପ୍ରତିରୋପଣ ଭଳି ୨୭ଟି ବିଶେଷଜ୍ଞ କ୍ଷେତ୍ର ସହ ପ୍ରାୟ ୨ଶହ ଚିକିତ୍ସା ପଦ୍ଧତି ଅନ୍ତର୍ଭୁକ୍ତ ହୋଇଛି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ବି କହିଥିଲେ, ଓଡ଼ିଶାରେ ଏଭଳି ଜନକଲ୍ୟାଣ ଯୋଜନାରେ ଲମ୍ୱା ସମୟ ଧରି ଗ୍ରହଣ ଲାଗିଥିଲା। ରାଜନୈତିକ ଅହଂକାର ଲାଗି ଏଭଳି ଲୋକାଭିମୁଖୀ ଯୋଜନାକୁ ଗୌଣ କରିଦେଇଥିଲେ ନବୀନ ସରକାର। ସଂଘୀୟ ବ୍ୟବସ୍ଥାରେ ବିଶ୍ୱାସ କରୁନଥିଲେ ନବୀନ ସରକାର। ଦୂରଗାମୀ ପ୍ରଭାବକୁ ହତାଦର କରୁଥିଲେ। ପ୍ରଧାନମନ୍ତ୍ରୀ ମୋଦି ବି ଏକ୍ସରେ ଅଭିନନ୍ଦନ ଜଣାଇବା ସହ ପୂର୍ବ ସରକାରଙ୍କୁ ସମାଲୋଚନା କରିଥିଲେ।
ଶାସକ ଦଳ କହିଛି, ବିଜୁ ସ୍ୱାସ୍ଥ୍ୟକଲ୍ୟାଣ କାର୍ଡ ଥାଇ ବି ଲୋକେ ପ୍ରତ୍ୟାଖିତ ହେଉଥିଲେ। ବହୁ ସ୍ଥାନରେ ଲୋକେ ଶୋଷିତ ହେଉଥିଲେ। ମନଇଛା ହସ୍ପିଟାଲ୍ ବିଲ୍ କରୁଥିଲେ। ଏଥିଲାଗି ପୂର୍ବ ସରକାରର ଅନେକ ଲୋକ ଦୁର୍ନୀତିରେ ଲିପ୍ତ ଥିଲେ। ସେ ବାବଦରେ ଖୁବଶୀଘ୍ର ତଦନ୍ତ ହେବ। ବିଜେଡି କହିଛି, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଲୋକେ ଅଧିକ ଉପକୃତ ହେଉଥିଲେ। ଆୟୁଷ୍ମାନ ଭାରତରେ ସେ ସବୁ ସୁବିଧା ନାହିଁ। ରାଜ୍ୟବାସୀଙ୍କ ସ୍ୱାସ୍ଥ୍ୟ ସକାଶେ ନବୀନ ସରକାର ଯେଭଳି ପଦକ୍ଷେପ ନେଇ ବିଜୁ ସ୍ୱାସ୍ଥ୍ୟକାର୍ଡରେ ସୁବିଧା ଖଞ୍ଜିଥିଲେ, ତାହା ଥିଲା ଅନନ୍ୟ। ବିଜେପି ପ୍ରତି କଥାରେ ପୂର୍ବ ସରକାରକୁ ଦୋଷ ଠେଲୁଛି। ସତସାହସ ଥିଲେ ତଦନ୍ତ କରନ୍ତୁ। ଏଯାଏଁ କେତେଟା ତଦନ୍ତ କଲେଣି କହି ପ୍ରଶ୍ନ କରିଛି ବିଜେଡି। କଂଗ୍ରେସ କହିଛି, ଯୋଜନାକୁ ନେଇ ଭାଷଣବାଜି ଓ ପ୍ରଚାରରେ ମାତିଛି ବିଜେପି। ସ୍ୱାସ୍ଥ୍ୟ ଭିତ୍ତିଭୂମି ଉପରେ ସରକାର ଧ୍ୟାନ ଦିଅନ୍ତୁ। ପ୍ରଚାର ପ୍ରସାରରୁ ଦୂରେଇ ରୁହନ୍ତୁ। ଗୋପବନ୍ଧୁ ଜନଆରୋଗ୍ୟ ଯୋଜନା ସହ ଆୟୁଷ୍ମାନ ଭାରତ ଉଭୟ ଜାରି ରହୁ।
ହିତାଧିକାରୀଙ୍କୁ ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନଆରୋଗ୍ୟ ଯୋଜନା ଲୋଗୋ ସହ ଗୋଟିଏ କାର୍ଡ ମିଳିବ।

Naxatra News is now on Whatsapp
Join and get latest news update delivered to you via whatsapp
Join Now