ଦୁବାଇ ଫେରାର୍ ହୋଇଗଲା ଗ୍ୟାଙ୍ଗଷ୍ଟର ଗୁଡ୍ଡୁ..

ଜାଲି ପାସପୋର୍ଟ ଜରିଆରେ ତଦନ୍ତ ଏଜେନ୍ସିକୁ ଚକମା ଦେଇ ଦୁବାଇ ଫେରାର୍ ହୋଇଗଲା ଗ୍ୟାଙ୍ଗଷ୍ଟର ଗୁଡ୍ଡୁ ମୁସଲିମ୍। ଗୁଡ୍ଡୁ ଉପରେ ୫ଲକ୍ଷ ଟଙ୍କାର ପୁରଷ୍କାର ଘୋଷଣା କରିଥିଲା ୟୁପି ପୁଲିସ। କିନ୍ତୁ ଗୁଡ୍ଡୁ ସୟେଦ ଓ୍ୱସିଉଦ୍ଦିନ ନାଁରେ ନକଲି ପାସପୋର୍ଟ କରି ଦୁବାଇ ପଲାଇବାକୁ ସକ୍ଷମ ହୋଇଛି। କୋଲକାତା ଏୟାରପୋର୍ଟରୁ ଡିସେମ୍ୱର ୬ରୁ ଏତିହାଦ ଫ୍ଲାଇଟରେ ବସି ଦୁବାଇ ଫେରାର ହୋଇଗଲାଣି। ଫେବୃଆରୀ ୨୦୨୩ରେ ଉମେଶ ପାଲ ଓ ୨ ସରକାରୀ ଗନମ୍ୟାନଙ୍କୁ ହତ୍ୟା ମାମଲାରେ ମୋଷ୍ଟ ଓ୍ୱାଣ୍ଟେଡ୍ ଥିଲା ଗୁଡ୍ଡୁ।  ଉମେଶ ପାଲ ହତ୍ୟାକାଣ୍ଡ ବେଳେ ଗୁଡ୍ଡୁ ମୁସଲିମ ବୋମା ଫିଙ୍ଗିଥିଲା। ଗ୍ୟାଙ୍ଗଷ୍ଟର ଆତିକର ଡାହାଣ ହାତ ଥିଲା ଗୁଡ୍ଡୁ। ଆତିକ ଓ ତା ଭାଇକୁ ସାର୍ପସୁଟର ସର୍ବସମ୍ମ଼ୁଖରେ ଗୁଳି କରି ହତ୍ୟା କରିଥିଲେ। ଯେତେବେଳେ ଦୁଇ ଗ୍ୟାଙ୍ଗଷ୍ଟର ବାଇ ପୁଲିସ ହେପାଜତରେ ଆସି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଉଥିଲା ବେଳେ ଅଚାନକ ସାର୍ପସୁଟର ଉଭୟଙ୍କୁ ଗୁଳି କରି ମର୍ଡର କରିଥିଲେ। ଏପଟେ ପୁଲିସ-ଏସଟିଏଫକୁ ଚକମା ଦେଇ ଦୁବାଇ ଫେରାର୍ ହୋଇଗଲା ଗୁଡ୍ଡୁ। ବିଏସପି ବିଧାୟକ ରାଜୁ ପାଲ ହତ୍ୟାକାଣ୍ଡରେ ସାକ୍ଷୀ ଥିବା ଉମେଶ ପାଲଙ୍କୁ ହତ୍ୟା କରିଥିଲେ ମାଫିଆ ଆତିକ ଅହମ୍ମଦ। ଆଉ ଏହି ହତ୍ୟାକାଣ୍ଡ ବେଳେ ବୋମା ଫୁଟାଇ ଆତଙ୍କ ରଚିଥିଲା ଆତିକର ଘନିଷ୍ଠ ସହଯୋଗୀ ଗୁଡ୍ଡୁ। ଗୁଡ୍ଡୁକୁ ଦୁବାଇ ଫେରାର୍ କରାଇବା ପଛରେ କାହାର ହାତ ରହିଛି, ତାହାର ତଦନ୍ତ ଜାରି ରଖିଛି ପୁଲିସ। ଏହା ସହ ଆତିକର ପତ୍ନୀ ସାଇସ୍ତା ଓ ତା ଭାଇ ଅସରଫର ପତ୍ନୀ ଜୈନବ ଗୁଡ୍ଡୁ ସହ ଦୁବାଇ ଫେରାର୍ ହୋଇଯାଇନାହାନ୍ତି ତ। ଏମିତିରେ ୟୁପିର ବହୁ କୁଖ୍ୟାତ ଅପରାଧୀ ପୂର୍ବରୁ ଦୁବାଇରେ ଆଶ୍ରୟ ନେଇଛନ୍ତି। ଏମାନଙ୍କ ଭିତରେ ସହରନପୁରର ଖଣି ମାଫିଆ ହାଜି ଇକବାଲ, ସାଇନ ସିଟି କେଳେଙ୍କାରୀର ମାଷ୍ଟରମାଇଣ୍ଡ ରସିଦ୍ ନସିମ, ଏଲୟୁସିସି ଚିଟଫଣ୍ଡ ଘୋଟାଲାର ମାଷ୍ଟରମାଇଣ୍ଡ ସମୀର ଅଗ୍ରଓ୍ୱାଲ ଦୁବାଇରେ ଲୁଚିଛନ୍ତି। ଉମେଶ ପାଲ ହତ୍ୟାକାଣ୍ଡ ପରେ ଅତିକର ପୁଅ ଅସଦକୁ ପୁଲିସ ଏନକାଉଣ୍ଟର କରିଥିଲା। ଏହା ପରେ ଆତିକ ଓ ତା ଭାଇ ଅସରଫକୁ ପୁଲିସ କଷ୍ଟଡିରେ ସାର୍ପସୁଟର ମାରିଦେଲେ। ଏହା ପରଠୁ ଗୁଡ୍ଡୁ ଓ ଆତିକର ପତ୍ନୀ ସାଇସ୍ତା ପୁଲିସର ମୋଷ୍ଟ ଓ୍ୱାଣ୍ଟେଡ୍ ଲିଷ୍ଟରେ ଅଛନ୍ତି। ଗୁଡ୍ଡୁ ୧୫ ବର୍ଷରୁ ବୋମା ତିଆରିରେ ଧୁରନ୍ଧର ଥିଲା। ଚୋରୀ, ବୋମା ଫିଙ୍ଗି ଆତଙ୍କ ଖେଳାଇବାରେ ମାହିର୍ ଥିଲା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *