ବସ୍ ଭିତରେ ଦୁଷ୍କର୍ମ- ପୁନେରେ ହଇଚଇ

ବସ୍ ଭିତରେ ଦୁଷ୍କର୍ମ..

ବସଷ୍ଟାଣ୍ଡରେ ମହିଳାଙ୍କୁ ଦୁଷ୍କର୍ମ। ୨୬ ବର୍ଷୀୟା ମହିଳାଙ୍କୁ ପୁନେର ସ୍ୱରଗେଟ ବସଷ୍ଟାଣ୍ଡରେ ଦୁଷ୍କର୍ମ କରିଛି ଦୁର୍ବୃତ୍ତ। ବୁଧବାର ଭୋରରୁ ଏହି ଅଘଟଣ ଘଟିଥିଲା। ବ୍ୟସ୍ତବହୁଳ ଏହି ବସଷ୍ଟାଣ୍ଡ ଆଗରେ ହିଁ ପୁଲିସ ଫାଣ୍ଡି ଅଛି। ତା ସତ୍ତ୍ୱେ ମାତ୍ର ଶହେ ମିଟର ଦୂରରେ ଏଭଳି ଅମାନବୀୟ କାଣ୍ଡ କଲା ଦୁର୍ବୃତ୍ତ। ନିଜ ଗାଁକୁ ଯିବାକୁ ଷ୍ଟାଣ୍ଡରେ ଅପେକ୍ଷାରତ ଯୁବତୀକୁ ଦିଦି ବୋଲି ସମ୍ୱୋଧନ କରି ଆଗ ସମ୍ପର୍କ ବଢ଼ାଇଥିଲା ଅଭିଯୁକ୍ତ। ତା ପରେ ଯେଉଁ ବସକୁ ଅପେକ୍ଷା କରିଛ, ତାହା କିଛି ଦୂରରେ ବୋଲି ମିଛ କହି ଶୂନଶାନ ଜାଗାକୁ ନେଇ ଏମଏସଆରଟିସି ଏସି ବସ୍‌ ଭିତରେ ପାଶବିକ ଅତ୍ୟାଚାର କରିଥିଲା। ବସ୍ ଭିତର ଅନ୍ଧାର ଥିଲା। ଦୁଷ୍କର୍ମ କରି ଫେରାର୍ ହୋଇଯାଇଥିଲା। ଅଭିଯୁକ୍ତକୁ ଚିହ୍ନଟ କରିଛି ପୁଲିସ। ସିସିଟିଭିରେ ପୁରା ଘଟଣା କଏଦ ହୋଇଛି। ଅଭିଯୁକ୍ତ ଜଣେ ଅଭ୍ୟାସଗତ ଅପରାଧୀ। ତା ନାଁ ଦତ୍ତାତ୍ରେୟ ରାମଦାସ। ୨୦୧୯ରେ ଜାମିନରେ ଜେଲରୁ ବାହାରିଥିଲା। ଚୋରୀ, ଡକାୟତି ଓ ଚେନ୍‌ ସ୍ନାଚିଂ ଭଳି ଅଧା ଡଜନରୁ ଅଧିକ ମାମଲା ରାମଦାସ ନାଁରେ ରହିଛି। ରାମଦାସକୁ ଗିରଫ କରିବାକୁ ପୁଲିସ ୧୩ଟି ଟିମ୍ ଗଠନ କରି ତଲାସି ଜାରି ରଖିଛି। ଅପରାଧୀଙ୍କ ବାବଦରେ ସୂଚନାଦାତାଙ୍କୁ ୧ ଲକ୍ଷ ଟଙ୍କାର ପୁରଷ୍କାର ଘୋଷଣା କରିଛି ପୁଲିସ୍। ଏହି ଘଟଣାରେ ୨୩ ସୁରକ୍ଷାଗାର୍ଡଙ୍କୁ ନିଲମ୍ୱିତ କରାଯାଇଛି। ଗୁରୁବାରରୁ ନୂଆ ସୁରକ୍ଷାକର୍ମୀଙ୍କୁ ଡ୍ୟୁଟି ସମ୍ଭାଳିବାକୁ ନିର୍ଦେଶ ଦେଇଛନ୍ତି ପରିବହନ ମନ୍ତ୍ରୀ ପ୍ରତାପ ସରନାଏକ। ସ୍ୱରଗେଟ୍ ଡିପୋ ପ୍ରବନ୍ଧକଙ୍କ ବିରୁଦ୍ଧରେ ତଦନ୍ତ ଆରମ୍ଭ ହୋଇଛି। ସପ୍ତାହକ ଭିତରେ ପରିବହନ କମିଶନରଙ୍କୁ ରିପୋର୍ଟ ଦେବାକୁ କୁହାଯାଇଛି। ରିପୋର୍ଟ ଆଧାରରେ ପରବର୍ତ୍ତୀ ଆକ୍ସନ ହେବ। ମହାରାଷ୍ଟ୍ର ଉପ-ମୁଖ୍ୟମନ୍ତ୍ରୀ ଅଜିତ ପାଓ୍ୱାର ଘଟଣାକୁ ଲଜ୍ଜାଜନକ, ଅକ୍ଷମଣୀୟ ଅପରାଧ କହିବା ସହ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି। ମୃତ୍ୟୁଦଣ୍ଡ ଛଡା ଆଉ କୌଣସି ଦଣ୍ଡ ହୋଇପାରିବନି। ସେପଟେ ଏଭଳି ଘଟଣାକୁ ନେଇ ମହାରାଷ୍ଟ୍ର ରାଜନୀତି ଘମାସାନ ହୋଇଛି। ମହାୟୁତି ସରକାରଙ୍କୁ ଘେରିଛନ୍ତି ବିରୋଧୀ। ଶିବସେନା ୟୁବିଟି କାର୍ଯ୍ୟକର୍ତ୍ତା ଏଥିରେ ଉତକ୍ଷିପ୍ତ ହୋଇ ବସଷ୍ଟାଣ୍ଡରେ ଥିବା ସୁରକ୍ଷାଗାର୍ଡ କେବିନ ଭଙ୍ଗାରୁଜା କରିଥିଲେ। ସୁରକ୍ଷା କେବିନ୍ ସାମ୍ନାରେ ଦୁଷ୍କର୍ମ ହୋଇଥିବାରୁ ଏଠାରେ ଏହା ରହିବାର ଅଧିକାର ନାହିଁ କହି ବର୍ଷିଥିଲେ କର୍ମୀ। ମୁଖ୍ୟମନ୍ତ୍ରୀ ଫଡନାଭିସଙ୍କ ଇସ୍ତଫା ଦାବି କରିଛନ୍ତି ବିରୋଧୀ। ଅପରାଧରେ ବିହାରରୁ ବଳିଗଲାଣି ପୁନେ। ଏନସିପି(ଏସପି) ସାଂସଦ ସୁପ୍ରିୟା ସୁଲେ କହିଛନ୍ତି, ଏହା ଦୁର୍ଭାଗ୍ୟଜନକ। ବସଷ୍ଟାଣ୍ଡ ସାମ୍ନାରେ ଥାନା ଥିଲେ ବି ଏଭଳି ଘଟଣା ଘଟିଲା। ଅଭିଯୁକ୍ତକୁ ତୁରନ୍ତ ଗିରଫ ସହ ମକଦ୍ଦମା ଫାଷ୍ଟ ଟ୍ରାକ୍ କୋର୍ଟରେ କରିବାକୁ ଦାବି କରିଛନ୍ତି ସୁପ୍ରିୟା। ରାଜ୍ୟରେ ମହିଳା ଅସୁରକ୍ଷିତ କହି ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି ମହାରାଷ୍ଟ୍ର କଂଗ୍ରେସ । ଶିବସେନା ୟୁବିଟି ନେତା ସଞ୍ଜୟ ରାଉତ କହିଛନ୍ତି, ଏହା ଦିଲ୍ଲୀର ନିର୍ଭୟା କାଣ୍ଡ ସଦୃଶ। ଲାଡଲି ବେହେନା କଥା କହୁଥିବା ସରକାର ନୀରବ। ସାଂସ୍କୃତିକ ସହର ପୁନେରେ ଏଭଳି ଘଟଣା ଲଜ୍ଜିତ କରିଦେଲା। ପୁଲିସ ବିଜେପି ନେତାଙ୍କ ପେ-ରୋଲରେ ରହି କୌଣସି ଆକ୍ସନ ନେଉନି। ଆଇନକୁ ଅପରାଧୀଙ୍କ ଭୟ ରହୁନି। ଜାତୀୟ ମହିଳା କମିଶନ ବି ଏହି ଘଟଣାକୁ ନିଜ ଆଡ଼ୁ ସଂଜ୍ଞାନ ନେଇ ମହାରାଷ୍ଟ୍ର ପୁଲିସକୁ ତତ୍କାଳ କାର୍ଯାନୁଷ୍ଠାନ ଲାଗି ଚିଠି ଲେଖିଛନ୍ତି। ଏନସିପି-ସିପିର ନେତା ଓ କର୍ମୀ ସ୍ୱରଗେଟ ଥାନା ଆଗରେ ବିକ୍ଷୋଭ କରିଛନ୍ତି। ପୁନେ ସରକାରୀ ବସ ଡିପୋ ଭିତରେ ଏଭଳି ଦୁଷ୍କର୍ମ ଘଟଣା ଚାରିଆଡ଼େ ହଇଚଇ ଖେଳାଇଦେଇଛି।

ପ୍ରଦୀପ ନାୟକଙ୍କ ରିପୋର୍ଟ, ନକ୍ଷତ୍ର ନ୍ୟୁଜ୍..।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *