ଦୋଳ ପୂର୍ଣ୍ଣମା ବା ଫଗୁଣ ପୂର୍ଣ୍ଣିମାରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ମନ୍ଦିର ମାନଙ୍କରେ ଲାଗିହୋଇଥାଏ ଚଳିତବର୍ଷର ପ୍ରଥମ ଜଙ୍ଗଲ ଜାତ ଦ୍ରବ୍ୟ। ଋତୁରାଜା ବସନ୍ତର ଆଗମନ ପରେ ଶୀତର ପ୍ରଭାବ କମି ଗ୍ରୀଷ୍ମର ପ୍ରଭାବ ଆରମ୍ଭ ହୋଇଥାଏ । ଏହି ସମୟରେ ଗଛ ମାନଙ୍କରେ ଆମ୍ୱ ଚାର ପରି ଫଳର ସମ୍ଭାର ସହ ପଳାଶ ଫୁଲର ସୌନ୍ଦର୍ଯ୍ୟ ଓ ମହୁଲ ଫୁଲର ବାସ୍ନା ପ୍ରକୃତି ରାଣୀ ଜୀବ ଜଗତକୁ ଉପହାର ଦେଇଥାଏ । ତେବେ ପ୍ରାଚୀନ କାଳରୁ ପଶ୍ଚିମ ଓଡ଼ିଶାରେ ଆଦିବାସୀ ସଂସ୍କୃତି ଚଳି ଆସୁଥିବାରୁ ଏହି ଜଙ୍ଗଲ ଜାତ ଦ୍ରବ୍ୟକୁ ପ୍ରଥମେ ନିଜ ଇଷ୍ଟ ଦେବାଦେବୀଙ୍କୁ ଅର୍ପଣ ପରେ ନିଜେ ଗ୍ରହଣ କରିବାର ପରମ୍ପରା ରହିଆସିଛି। ଯାହା ଆଜି ମଧ୍ୟ ଦେଖିବାକୁ ମିଳେ ଏହି ଫଗୁଣ ପୂର୍ଣ୍ଣମୀରେ । ଆଜି ସମସ୍ତ ଗା ଗଣ୍ଡା ତଥା ସହରରେ ଥିବା ଦେବାଦେବୀଙ୍କ ଠାରେ ଜଙ୍ଗଲ ଜାତ ଦ୍ରବ୍ୟ ଯଥା, ଆମ୍ବ,ଚାର,ମହୁଲ ,ପଳାଶ ଫୁଲ ସହ ଚଣା ଓ ସାକରପଟି ଭୋଗ ରୂପେ ଲଗାଯାଇଛି । ଯାହାକୁ କି ଗୁଣିଖିଆ ପର୍ବ କୁହାଯାଏ । ମନ୍ଦିର ମାନଙ୍କରେ ପୂଜକ ମାନେ ଭୋଗ ଲଗାଉ ଥିବାବେଳେ ଘର ମାନଙ୍କରେ ପରିବାରର ମୂରବୀ ଏହି ଭୋଗ ଲଗାଇଥାନ୍ତି । ନିଜ ଇଷ୍ଟଦେବୀଙ୍କୁ ରଙ୍ଗ ବୋଳିବା ପରେ ନିଜ ନିଜ ମଧ୍ୟରେ ରଙ୍ଗ ଖେଳିବା ଆରମ୍ଭ କରିଥାନ୍ତି ।ପ୍ରଥମ ଫଳକୁ ଏହି ତିଥିରେ ଭଗବାନଙ୍କ ଠାରେ ଅର୍ପଣ କରିବାର ପରମ୍ପରା ରହି ଆସିଛି । ତେବେ ଏହି ପରମ୍ପରା ପଛରେ ରହିଛି ମହତ ଉଦେଶ୍ୟ, ମଣିଷ ଓ ଉଦ୍ଭିଦ ମଧ୍ୟରେ ରହିଥିବା ନିବିଡ଼ ସମ୍ପର୍କକୁ ମଜବୁତ୍ କରିବା ତଥା ପରିବେଶ ବିନା ଜୀବଜଗତ କିପରି ମୂଲ୍ୟହୀନ ତାହା ଏହି ଗୁଣିଖିଆ ପର୍ବରୁ ଅନୁମାନ କରିହୁଏ । ତେବେ ବସନ୍ତ ଋତୁ ସହ ଫଗୁଣ ପୂର୍ଣ୍ଣମୀରେ ପ୍ରକୃତିର ଶୋଭାରାଜି କବିଙ୍କୁ ମତୁଆଲା କରିଥିବା ବେଳେ ଏହି ଗୁଣିଖିଆ ପର୍ବ ସମସ୍ତଙ୍କ ଉତ୍ସାହକୁ ଦ୍ଵିଗୁଣିତ କରିଛି ।ସମୟର ସ୍ରୋତରେ ଅନେକ ପର୍ବ ପର୍ବାଣୀ ହଜିଯିବାକୁ ବସିଲାଣି। ମାତ୍ର ଆଜିବି ବଞ୍ଚି ରହିଛି ପଶ୍ଚିମ ଓଡ଼ିଶାର ଗୁଣି ଖିଆପର୍ବ ,ଯାହା ମଣିଷ ଓ ଉଦ୍ଭିଦ ମଧ୍ୟରେ ଥିବା ନିବିଡ଼ ସମ୍ପର୍କର ସେତୁ ରୂପେ ରହି ଆସିଛି ।

Naxatra News is now on Whatsapp
Join and get latest news update delivered to you via whatsapp
Join Now