ପୂରଣ ହେଲା ଦୀର୍ଘ ଦିନର ଦାବୀ : ବରଗଡ଼ରୁ ନୂଆପଡ଼ାକୁ ଗଡିବ ନୂତନ ରେଳପଥରେ ରେଳ

Spread the love

ବରଗଡ଼ : ବରଗଡ଼ ଜିଲ୍ଲାବାସୀଙ୍କ ଦୀର୍ଘ ଦିନର ଦାବୀ ବରଗଡ଼-ନୂଆପଡ଼ା ଭାୟା ପଦ୍ମପୁର ନୂତନ ରେଳପଥ ଏବେ ପୂରଣ ହେବାକୁ ଯାଉଛି । ଏହାଦ୍ୱାରା ଚିର ଅବହେଳିତ ପଦ୍ମପୁର ଉପଖଣ୍ଡରେ ବିକାଶର ମାର୍ଗ ପ୍ରଶସ୍ତ ହୋଇପାରିଛି । ଆମ ଜିଲ୍ଲାର ମୁଖ୍ୟ ପର୍ଯ୍ୟଟନସ୍ଥଳୀ ନୃସିଂହନାଥ ରେଳଲାଇନ ଦ୍ୱାରା ଯୋଡ଼ି ହୋଇଯିବ । କିନ୍ତୁ, ଏହି ରେଳ ପ୍ରକଳ୍ପର ସ୍ୱୀକୃତି ପାଇବା ସେତେ ସହଜ ନ ଥିଲା । ଏଥିପାଇଁ ବିଭିନ୍ନ ସମୟରେ ଆମର ସାଂସଦ, ବିଭିନ୍ନ ଅନୁଷ୍ଠାନ ତଥା ବ୍ୟକ୍ତିବିଶେଷ ପ୍ରୟାସ କରିଛନ୍ତି । ଏଥିପାଇଁ ତତ୍କାଳୀନ ସାଂସଦ ସ୍ୱର୍ଗତ କୃପାସିନ୍ଧୁ ଭୋଇ, ପ୍ରସନ୍ନ ଆଚାର୍ଯ୍ୟ, ପ୍ରଭାସ ସିଂହ ତଥା ବର୍ତମାନ ସାଂସଦ ସୁରେଶ ପୂଜାରୀ ଓ ବସନ୍ତ ପଣ୍ଡାଙ୍କ ଯଥେଷ୍ଟ ଭୂମିକା ରହିଛି । ତେବେ, ଏହି ରେଳ ଲାଇନ ସ୍ୱୀକୃତି ପାଇବା ଖୁସି ଅବସରରେ ଏହି କଂଟକିତ ପଥକୁ ସୁଗମ କରିବା ପ୍ରୟାସରେ ହାତ ବଢେଇଥିବା ବ୍ୟକ୍ତିମାନଙ୍କ ବିଷୟରେ ସମସ୍ତଙ୍କୁ ଜଣାଇବାକୁ ଏକ ପ୍ରୟାସ କରାଯାଇଛି ।

ଚାରି ଦଶକରୁ ଊର୍ଦ୍ଧ୍ୱ ସମୟରୁ ତତ୍କାଳୀନ ସାଂସଦ ସ୍ୱର୍ଗତ କୃପାସିନ୍ଧୁ ଭୋଇଙ୍କ ଦ୍ୱାରା ଉତଥାପିତ ଏହି ଦାବୀକୁ ରେଳବାଇ ଦ୍ୱାରା ସର୍ଭେ କରାଯାଇ ଆବଶ୍ୟକ ପ୍ରତିଫଳ ଦର ଅଭାବରୁ ସ୍ୱୀକୃତ ହୋଇ ପାରିନଥିଲା । ପରେ ଏହି ରେଳ ଲାଇନ୍ ପାଇଁ ଆହୁରି ଦୁଇଥର ସର୍ଭେ କରାଯାଇଥିଲା; କିନ୍ତୁ ଫଳ ସେଇ ସମାନ । ପ୍ରତିଫଳ ଦର ସର୍ବଦା ୩ ପ୍ରତିଶତରୁ କମ୍ । ପରେ ସାଂସଦ ପ୍ରଭାସ ସିଂହଙ୍କ ଉଦ୍ୟମରେ ଚତୁର୍ଥ ଥର ସର୍ଭେ କରାଯାଇଥିଲା । ଏହାର ମଧ୍ୟ ପୂର୍ବଭଳି ସମଦଶା ହୋଇଥାନ୍ତା; କିନ୍ତୁ ତତ୍କାଳୀନ ଜିଲ୍ଲାପାଳ ଇନ୍ଦ୍ରମଣି ତ୍ରିପାଠୀଙ୍କ ଆନ୍ତରିକ ଉଦ୍ୟମ ଯୋଗୁଁ ଆଜି ଆମକୁ ରେଳବାଇ ତରଫରୁ ଏହି ଉପହାର ମିଳିଛି । ଶ୍ରୀ ତ୍ରିପାଠୀ ବରଗଡ଼ ଜିଲ୍ଲା ରେଳ ଉପଭୋକ୍ତା ସଂଘକୁ ବିଶ୍ୱାସକୁ ନେଇ କରିଥିବା ପ୍ରୟାସ ପାଇଁ ଏହାର ପ୍ରତିଫଳ ଦର ପ୍ରାୟ ୧୮ ପ୍ରତିଶତ ହୋଇପାରିଲା ।

ଦ୍ୱିତୀୟତଃ, ତାହାର ଅନେକ ଦିନପରେ ରାଜ୍ୟସଭାରେ ବିଜେଡି ସାଂସଦ ଅମର ପଟ୍ଟନାୟକ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ବରଗଡ଼-ନୂଆପଡ଼ା ରେଳପଥ ସମ୍ବନ୍ଧରେ ପ୍ରଶ୍ନ କରିଥିଲେ । ମନ୍ତ୍ରୀ କହିଥିଲେ, ଏହି ପ୍ରସ୍ତାବ ଉପରେ ରେଳ ମନ୍ତ୍ରାଳୟରୁ ରାଜ୍ୟ ସରକାରଙ୍କୁ ପତ୍ର ପଠାଯାଇଛି, ଯଦି ରାଜ୍ୟ ସରକାର ଏହି ପ୍ରକଳ୍ପ ପାଇଁ ମାଗଣା ଜମି ତଥା ବିସ୍ଥାପନ ଖର୍ଚ୍ଚ ବହନ କରିବେ, ତେବେ ରେଳବାଇ ଏହା ଉପରେ ବିଚାର କରିବ । ଏହି ଖବରକୁ ଆଧାର କରି ବରଗଡ ରେଳ ଉପଭୋକ୍ତା ସଂଘ ବିଧାୟକ ଦେବେଶ ଆଚାର୍ଯ୍ୟଙ୍କ ସହ ସମ୍ପର୍କ କରିଥିଲା ଏବଂ ତତ୍କାଳୀନ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କୁ ଭେଟିବାର ଇଚ୍ଛା ପ୍ରକାଶ କରିଥିଲା । ସୌଭାଗ୍ୟବଶତଃ, ମନ୍ତ୍ରୀ ଶ୍ରୀ ବେହେରାଙ୍କ ତା.୪/୪/୨୦୨୧ ଦିନ ବରଗଡ଼ କୋର୍ଟ ସମ୍ମୁଖରେ ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ପ୍ରତିମୂର୍ତି ଅନାବରଣ କରିବାର କାର୍ଯ୍ୟକ୍ରମ ଥିଲା । ରେଳ ଉପଭୋକ୍ତା ସଂଘର ସଦସ୍ୟମାନେ ବିଧାୟକ ଶ୍ରୀ ଆଚାର୍ଯ୍ୟଙ୍କ ସହ ଯାଇ ମନ୍ତ୍ରୀଙ୍କୁ ଭେଟି ଏହି ରେଳ ଲାଇନ ସମ୍ପର୍କୀତ ଚିଠି କଥା କହିଥିଲେ । ମନ୍ତ୍ରୀ ଶ୍ରୀ ବେହେରା ପ୍ରତିଶ୍ରୁତି ଦେଇଥିଲେ ଯେ, ସେ ଭୁବନେଶ୍ୱର ଫେରିବା ପରେ ସଂଗେ ସଂଗେ ଉକ୍ତ ଚିଠିର ଉତର ପଠାଇବେ ଏବଂ ପ୍ରତିଶ୍ରୁତି ରକ୍ଷା କରି ରାଜ୍ୟ ସରକାରଙ୍କ ତରଫରୁ ତା.୨୧/୪/୨୦୨୧ ରେ ରେଳ ମନ୍ତ୍ରାଳୟକୁ ମାଗଣା ଜମିପ୍ରଦାନ ଓ ବିସ୍ଥାପନ ଖର୍ଚ୍ଚ ବହନ ପ୍ରସ୍ତାବରେ ସମ୍ମତି ପ୍ରକାଶ ସମ୍ବନ୍ଧିତ ଚିଠି ପଠା ଯାଇଥିଲା । ରେଳବିଭାଗ ଏହାକୁ ଅନୁଧ୍ୟାନ କରି ତା.୩୧/୧୨/୨୦୨୧ ଦିନ ନୀତିଗତ ସ୍ୱୀକୃତି ପ୍ରଦାନ କରିଥିଲା । ପୁଣି, ତା.୨୦/୩/୨୦୨୩ ରେ ରେଳ ଉପଭୋକ୍ତା ସଂଘ ଭୁବନେଶ୍ୱର ଯାଇ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁଙ୍କ ବାସଭବନରେ ସାକ୍ଷାତ କରି ଏହି ରେଳପଥ ପାଇଁ ଆବଶ୍ୟକ ପ୍ରାଥମିକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଅନୁରୋଧ କରିଥିଲା । ମନ୍ତ୍ରୀ ଶ୍ରୀମତୀ ସାହୁ ଏହା ଉପରେ ଶୀଘ୍ର ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

ଏହାକୁ ଓରିଡ଼ିଲକୁ (ଓଡ଼ିଶା ରେଳ ଇନଫ୍ରାଷ୍ଟ୍ରକଚର ଡେଭଲପମେଂଟ ଲିମିଟେଡ), ଯାହାକି ୫୧ ପ୍ରତିଶତ ରାଜ୍ୟ ସରକାର ଓ ୪୯ ପ୍ରତିଶତ ରେଳ ବିଭାଗର ସେଆରକୁ ନେଇ ଗଠିତ, ଉକ୍ତ କାମକୁ ଆଗେଇ ନେବା ପାଇଁ ଦାୟିତ୍ୱ ଦିଆଯାଇଛି । ଏବେ ଏହି ପ୍ରକଳ୍ପକୁ ଭାରତ ସରକାରଙ୍କ ଗେଜେଟ ମାଧ୍ୟମରେ ସମ୍ପୂର୍ଣ୍ଣ ସ୍ୱୀକୃତି ପ୍ରଦାନ କରାଯାଇଥିବାରୁ ଲୋକଙ୍କ ମନରେ ରହିଥିବା ସମସ୍ତ ପ୍ରକାରର ଦ୍ୱନ୍ଦ ଦୂର ହୋଇଛି ।

ବରଗଡ଼ ଜିଲ୍ଲା ରେଳ ଉପଭୋକ୍ତା ସଂଘର ସଭାପତି ପ୍ରଦୀପ ଦେବତା ବରଗଡ ଜିଲ୍ଲାବାସୀଙ୍କୁ ଏଥିପାଇଁ ଅଭିନନ୍ଦନ ଜଣାଇବା ସହ ଏଥିପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ତଥା ଏଥିରେ ଜଡିତ ସମସ୍ତ ମନ୍ତ୍ରୀ ଓ ଜନ ପ୍ରତିନିଧିଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଅଜିତ ଶତପଥୀଙ୍କ ଆବାହକତ୍ୱରେ ପଦ୍ମପୁର, ପାଇକମାଳ ଓ ବିଜେପୁର ବାସୀଙ୍କ ଦ୍ୱାରା ଗଠିତ ରେଲୱେ ମିଳିତ କ୍ରିୟାନୁଷ୍ଠାନ କମିଟିକୁ ମଧ୍ୟ ଧନ୍ୟବାଦ ଜ୍ଞାପନ କରିଛନ୍ତି । ବରଗଡର ପୂର୍ବତନ ଜିଲ୍ଲାପାଳ ଇନ୍ଦ୍ରମଣି ତ୍ରିପାଠୀଙ୍କ ଭୂମିକା ଏହି ପ୍ରକଳ୍ପରେ ସର୍ବୋପରି ହୋଇଥିବାରୁ ଶ୍ରୀ ଦେବତା ତାଙ୍କୁ ବିଶେଷ କୃତଜ୍ଞତା ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *