ଓଡ଼ିଶାକୁ କଲବଲ କରିବା ଆରମ୍ଭ କଲାଣି ଖରା

ରାଜ୍ୟର ଅଧିକାଂଶ ଅଞ୍ଚଳରେ ମାତ୍ରାଧିକ ଗରମ ଯୋଗୁଁ ବାହାରକୁ ଯାଇ ହେଉନି। ଗୁରୁବାର ରାଜ୍ୟର ୮ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ପାର୍ କରିଛି। ଆଗକୁ ରାଜ୍ୟର ଏକାଧିକ ଅଞ୍ଚଳରେ ହିଟୱେଭ୍ ହେବାର ସମ୍ଭାବନା ରହିଛି। ଏନେଇ ଶନିବାର ୭ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏନେଇ ଭୁବନେଶ୍ଵରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଗୁରୁବାର ଝାରସୁଗୁଡ଼ାରେ ୪୧.୪ ଡିଗ୍ରୀ ସହ ରାଜ୍ୟର ସର୍ବୋ‌ଚ୍ଚ ତାପମାତ୍ରା ରେକର୍ଡ କରାଯାଇଛି। ସେହିପରି ବୌଦ୍ଧରେ ୪୦.୮ ଡିଗ୍ରୀ, ବଲାଙ୍ଗିରରେ ୪୦.୪ ଡିଗ୍ରୀ, ଭଦ୍ରକରେ ୪୦.୧ ଡିଗ୍ରୀ, ଟିଟିଲାଗଡ଼ ଓ ହୀରାକୁଦରେ ୪୦.୧ ଡିଗ୍ରୀ ଏବଂ ବାରିପଦା ଓ ସମ୍ବଲପୁରରେ ୪୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା। ଶନିବାର ହିଟୱେଭ୍ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲାଗୁଡ଼ିକ ମଧ୍ୟରେ ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବଲାଙ୍ଗିର, ବୌଦ୍ଧ, କଳାହାଣ୍ଡି ଓ ସୁନ୍ଦରଗଡ଼ ଜିଲ୍ଲା ସାମିଲ ଅଛି। ଅନ୍ୟପଟେ ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ ଆସନ୍ତା ସପ୍ତାହରେ ଓଡ଼ିଶାରେ ହିଟୱେଭ ହେବାର ସମ୍ଭାବନା ରହିଛି। ବିଶେଷ କରି ଓଡ଼ିଶାର ଆଭ୍ୟନ୍ତରୀଣ ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ ରହିବ ବୋଲି ପୂର୍ବାନୁମାନ କରାଯାଇଛି। ଏବେ ରାଜ୍ୟରେ ଆକାଶ ମେଘମୁକ୍ତ ରହୁଥିବାରୁ ଖରା ବଢ଼ି ଚାଲିଛି। ଆସନ୍ତା ୪ ଦିନ ପର୍ଯ୍ୟନ୍ତ ପାଗ ମୁଖ୍ୟତଃ ଶୁଖିଲା ରହିବାର ସମ୍ଭାବନା ରହିଛି। ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶାରେ ଦିନ ତାପମାତ୍ରା ଅଧିକ ବଢ଼ିବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *