ହୋଲିରେ ରାଜନୀତି। ଦଳର ବିପର୍ଯ୍ୟୟ ପରେ ବରିଷ୍ଠ ବିଜେଡି ନେତା ଅଶୋକ ପଣ୍ଡା ଧର୍ମପଦ ଉପାଖ୍ୟାନ ଶୁଣାଇଛନ୍ତି। ବିଜେଡିର ତଥାକଥିତ ଆଗଧାଡ଼ିର ନେତାଙ୍କୁ ଟାର୍ଗେଟ କରିଛନ୍ତି ଅଶୋକ। ୧୨ଶହ ବଢ଼େଇରେ ଦାୟୀ ନା ପୁଅରେ ଦାୟୀ ମନ୍ତ୍ର କହି ନେତାଙ୍କୁ ଫ୍ରି ହ୍ୟାଣ୍ଡ୍ ଦିଅନ୍ତୁ କହି ଅପିଲ୍ କରିଛନ୍ତି ଅଶୋକ। ଆଗଧାଡ଼ିର ନେତା ଓହରିଯାଆନ୍ତୁ। ନବୀନ ସୁଦୃଢ଼ ରହିଲେ ଦଳ ବଳିଷ୍ଠ ହେବ। ନବୀନ ନେତୃତ୍ୱ ଜାରି ରଖିବାକୁ ହେଲେ ତ୍ୟାଗ କରିବାକୁ ପଡ଼ିବ। ପରବର୍ତ୍ତୀ ପୀଢିକୁ ବାଟ ଛାଡ଼। ମତାନ୍ତର ଓ ମନାନ୍ତର ଭୁଲି ଲୋକଙ୍କ ପାଖକୁ ଯିବାକୁ ପଡ଼ିବ। ଅସନ୍ତୁଷ୍ଟ କର୍ମୀଙ୍କୁ କ୍ଷମା ମାଗିବାକୁ ପଡ଼ିବ।ତେବେ ବବି ନା ପାଣ୍ଡିଆନ୍, କାହାକୁ ଇଙ୍ଗିତ କଲେ ଅଶୋକ।ଅଶୋକଙ୍କୁ କାଉଣ୍ଟର କରିଛନ୍ତି ସଞ୍ଜୟ ଦାସବର୍ମା। ଅନୁଭବୀ ଓ ଯୁବପୀଢ଼ି ସମସ୍ତଙ୍କୁ ନେଇ ଦଳ ଚାଲିବାକୁ ପଡ଼ିବ। ବିପର୍ଯ୍ୟୟ ଲାଗି କିଏ ଦାୟୀ, ଏଯାଏଁ ଏହାର ରହସ୍ୟ ଖୋଲିନି। ବିଜେଡି ସମସ୍ତ କମିଟି ଭାଙ୍ଗିଦେଇଥିବା ସତ୍ତ୍ୱେ ପୁରୁଖା ନେତା ଏବେ ବି ବିଜେଡିର ମଙ୍ଗ ଧରିଛନ୍ତି ବୋଲି ଚର୍ଚ୍ଚା ହେଉଥିବା ବେଳେ ଅଶୋକଙ୍କ ଏଭଳି ପ୍ରତିକ୍ରିୟା ଦଳରେ ହଇଚଇ ଖେଳାଇଛି। ସେପଟେ ବିଜେଡି ବିଦ୍ରୋହୀ ଭାବେ ଚିତ୍ରଣ କରାଯାଉଥିବା କର୍ପୋରେଟର ଅମରେଶ ଜେନାଙ୍କ ଘରେ ହୋଲିର ଆସର ଦେଖିବାକୁ ମିଳିଥିଲା। କଟକରେ ସବୁ ମତଭେଦ ଭୁଲି ନେତାଏ ହୋଲି ପାଳିଛନ୍ତି। ପ୍ରଭାତ ବିଶ୍ୱାଳଙ୍କଠୁ ନେଇ ମେୟର ସୁବାସ ସିଂଙ୍କ ଯାଏ। ସୁବାଷ କହିଛନ୍ତି ଦଳ ଏକଜୁଟ୍ ରହିଛି। ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲିବାର ମାନସିକତା ବିଜେଡିର ରହିଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହ ହୋଲି ଖେଳିଛନ୍ତି। ଭାଇଚାରାର ପର୍ବ ହୋଲିରେ ସମସ୍ତଙ୍କ ସୁଖ, ଶାନ୍ତିର କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ। ନଗର ଉନ୍ନୟନ ମନ୍ତ୍ରୀ ନିଜ ସରକାରୀ ବାସଭବନରେ ପୂଜା ପାଠ କରିବା ପରେ ହୋଲି ପାଳିଛନ୍ତି। ଓଡିଆ ଅସ୍ମିତାର ଅନନ୍ୟ ରୂପ ହୋଲି ବୋଲି କହିଛନ୍ତି ମନ୍ତ୍ରୀ। ବିକଶିତ ଓଡ଼ିଶା ଲାଗି ନିରନ୍ତର ପରିକଳ୍ପନା ଓ ଏହାକୁ ସାକାର କରିବାକୁ ମୋହନ ସରକାର ସଂକଳ୍ପବଦ୍ଧ ବୋଲି କହିଛନ୍ତି ମନ୍ତ୍ରୀ। ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଢେଙ୍କାନାଳ ଟାଉନ ହଲରେ ହୋଲି ଖେଳିବା ଅବସରରେ ବରା ଖାଇଛନ୍ତି। ଆଉ ସର୍ବତ ପିଇ ପାଳିଛନ୍ତି ହୋଲି। ଚାନ୍ଦବାଲିରେ ଦଳୀୟ କର୍ମୀ ଓ ସହଯୋଗୀଙ୍କ ସହ ହୋଲି ଖେଳିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ସେପଟେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ନିଜ ସରକାରୀ ବାସଭବନରେ ହୋଲି ପାଳିଛନ୍ତି। ଆଗାମୀ ଦିନରେ କଂଗ୍ରେସ ଅଧିକ ମଝବୁତ୍ ହେବ ବୋଲି କହିବା ସହ ନାରୀ ନିର୍ଯାତନା ପ୍ରସଙ୍ଗରେ ସରକାରଙ୍କ ଆଭିମୁଖ୍ୟକୁ ପରିବର୍ତ୍ତନ ନ କଲା ଯାଏ ନିଜ ଜିଦରେ ଅଡ଼ି ରହିବ ବୋଲି ଚେତେଇ ଦେଇଛନ୍ତି କାଡ଼ାମ। ଭୀମ ଭୋଇ ଦୃଷ୍ଚିହୀନ ସ୍କୁଲରେ ହୋଲି ପାଳିଛନ୍ତି ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ। ସୁର ରାଉତରାୟ ସବୁ ବର୍ଷ ଭଳି ଏଥର ବି ଜମାଣିଆ ହୋଲି ଖେଳିବା ସହ କଂଗ୍ରେସ କମିଂ ବୋଲି ଚିରାଚରିତ ଡାଇଲଗରେ ସମସ୍ତଙ୍କୁ ମସଗୁଲ ରଖିଥିଲେ। ହୋଲି ଅବସରରେ ତେଜିଛି ରାଜନୀତି। ରାଜନୀତିର ରଙ୍ଗ ନଥିଲା ସତ। କିନ୍ତୁ ଆବରଣ ବାରି ହୋଇପଡ଼ିଥିଲା ଯେମିତି।


Naxatra News is now on Whatsapp
Join and get latest news update delivered to you via whatsapp
Join Now