ପଦ୍ମଶ୍ରୀ କାର୍ତ୍ତିକ ମହାରାଜାଙ୍କ ବିରୁଦ୍ଧରେ ସଙ୍ଗୀନ ଆରୋପ। ଜଣେ ମହିଳାଙ୍କୁ ଯୌନ ନିର୍ଯ୍ୟାତନା, ଗର୍ଭପାତ ଲାଗି ବାଧ୍ୟ କରିବା ସହ ଶାରୀରିକ ସମ୍ପର୍କ ରଖିବାକୁ ଚାପ ପ୍ରୟୋଗ ଭଳି ଅଭିଯୋଗ ଆସିବା ପରେ ସବୁଠି ହଇଚଇ ଖେଳିଯାଇଛି। ପୀଡ଼ିତାଙ୍କ ଅଭିଯୋଗ ଅନୁସାରେ ୨୦୧୩ରୁ କାର୍ତ୍ତିକ ତାଙ୍କୁ ଅନେକ ଥର ଦୁଷ୍କର୍ମ କରିଆସୁଛନ୍ତି। ପୀଡ଼ିତାଙ୍କୁ ଆଶ୍ରମର ଏକ ସ୍କୁଲରେ ଚାକିରୀ ଦେବାର ମିଛ ପ୍ରଲୋଭନ ଦେଖାଇ ଏଭଳି ଦୁଷ୍କର୍ମ କରିଆସୁଥିଲେ। କାର୍ତ୍ତିକ ମହାରାଜ ତାଙ୍କୁ ଆଶ୍ରମର ହଷ୍ଟେଲରେ ରଖିଥିଲେ। ପ୍ରତିଦିନ ବିଲଡିଂର ପଞ୍ଚମ ମହଲାକୁ ନେଇ କରୁଥିଲେ ଶାରୀରିକ ଶୋଷଣ। ୬ ମାସ ଭିତରେ ୧୨ଥର ଦୁଷ୍କର୍ମ କରିଥିଲେ। ସେ ଗର୍ଭବତୀ ବି ହୋଇଥିଲେ। ଆଉ ଗର୍ଭବତୀ ଜାଣିବା ପରେ ବରହାମପୋରର ଏକ ପ୍ରାଇଭେଟ୍ ନର୍ସିଂ ହୋମକୁ ନେଇ ବାଧ୍ୟ କରି ଗର୍ଭପାତ କରାଇଥିଲେ। ବାରମ୍ୱାର ଏଭଳି ଅତ୍ୟାଚାର ସହି ବି ସେ ଭୟରେ ଚୁପ୍ ରହିଥିଲେ। କାରଣ ଏ କଥା କାହାରିକୁ କହିଲେ, ସେ ପୀଡ଼ିତାଙ୍କ କ୍ଷତି କରିବା ସହ ନିଜେ ବି ଆତ୍ମହତ୍ୟା କରିଦେବେ ବୋଲି କାର୍ତ୍ତିକ ଧମକ ଦେଇଥିଲେ। ପାଟି ବନ୍ଦ କରି ରଖିଲେ ପ୍ରତିମାସରେ ତାଙ୍କ ପାଖକୁ ଟଙ୍କା ପଠାଇବେ ବୋଲି କହିଥିଲେ କାର୍ତ୍ତିକ। ଚାକିରୀ ନ ପାଇ ଯୌନ ଅତ୍ୟାଚାରର ଶୀକାର ମହିଳା ଜଣକୁ ଜୁନ୍ ୧୩ରେ କାର୍ତ୍ତିକଙ୍କ ପକ୍ଷରୁ ଦୁଇ ଜଣ ଆସି ଧମକାଇଥିଲେ। ଗାଡ଼ିରେ ବସାଇ ଆଉ କେବେ ବି କାର୍ତ୍ତିକଙ୍କ ସହ ସମ୍ପର୍କ ନ ରଖିବାକୁ ଧମକ ଦେଇ ଗାଡ଼ିରୁ ଠେଲିଦେଇଥିଲେ। ମହିଳା ଜଣକ ମୁର୍ସିଦାବାଦ ଜିଲ୍ଲାର ନବଗ୍ରାମ ଥାନାରେ ଏତଲା ଦେଇଛନ୍ତି। ପୁଲିସ ଏତଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସ୍ୱାମୀ ପ୍ରଦୀପ୍ତାନନ୍ଦ ଏଭଳି ଅଭିଯୋଗକୁ ନିରାଧାର କହିଛନ୍ତି। ତାଙ୍କୁ ବଦନାମ କରିବାକୁ ଏହା ଷଡ଼ଯନ୍ତ୍ରକାରୀଙ୍କ କାମ ବୋଲି କହିଛନ୍ତି। ଆଶ୍ରମରେ ରହୁଥିବା ମହିଳାଙ୍କୁ ଯଥେଷ୍ଟ ସମ୍ମାନ ଦିଆଯାଏ। ସମୟ ଆସିଲେ ସବୁ ସତ ସମସ୍ତଙ୍କ ସାମ୍ନାକୁ ଆସିବ। ପଶ୍ଚିମବଙ୍ଗର ମୁର୍ସିଦାବାଦ ଜିଲ୍ଲାରେ ଥିବା ଭାରତ ସେବାଶ୍ରମ ସଂଘର ମୁଖ୍ୟ ଅଟନ୍ତି ପ୍ରଦୀପ୍ତାନନ୍ଦ ଓରଫ କାର୍ତ୍ତିକ ମହାରାଜା। ଚଳିତବର୍ଷ କାର୍ତ୍ତିକ ମହାରାଜାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ ମହାମହିମ ରାଷ୍ଟ୍ରପତି। ପଦ୍ମଶ୍ରୀ ବିଜେତା ସ୍ୱାମୀ ପ୍ରଦୀପ୍ତାନନ୍ଦ ଓରଫ କାର୍ତ୍ତିକ ମହାରାଜାଙ୍କ ଆଶ୍ରମରେ ଏଭଳି ଜଘନ୍ୟକାଣ୍ଡର ଆରୋପ ଆସିବା ପରେ ଏହାକୁ ନେଇ ରାଜନୀତି ବି ତେଜ୍ ହୋଇଛି। ଟିଏମସି କହିଛି, ଧର୍ମକୁ କଳୁଷିତ କରିଛନ୍ତି କାର୍ତ୍ତିକ। ସତସାହସ ଥିଲେ କାର୍ତ୍ତିକ ମହାରାଜାଙ୍କ ବିରୁଦ୍ଧରେ ଆସିଥିବା ଅଭିଯୋଗ ଉପରେ ବି ବିଜେପି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଗଠନ କରୁ। କାର୍ତ୍ତିକଙ୍କ ସହ କେଉଁ ଦଳ ଓ କେଉଁ ନେତାଙ୍କ ଘନିଷ୍ଠତା ଅଛି, କାହାରିକୁ ଅଛପା ନାହିଁ। କାହିଁକି କାର୍ତ୍ତିକ ଏଯାଏଁ ଗିରଫ ହୋଇନାହାନ୍ତି। କିଏ କାର୍ତ୍ତିକଙ୍କୁ ଘଣ୍ଟ ଘୋଡ଼ାଉଛି। ୨୪ ନିର୍ବାଚନରେ କାର୍ତ୍ତିକ ମହାରାଜାଙ୍କୁ ବିଜେପିର ଏଜେଣ୍ଟ ବୋଲି କହି ଆକ୍ଷେପ କରିଥିଲେ ଦିଦି। ଆଶ୍ରମ ଆଳରେ ମୁର୍ସିଦାବାଦରେ ଦଙ୍ଗା କରାଇଥିଲେ କାର୍ତ୍ତିକ। କିନ୍ତୁ ଟିଏମସି ସବୁ କରାଉଛି କହି ହିନ୍ଦୁ ଭୋଟରଙ୍କୁ ଭ୍ରମରେ ରଖିଥିଲେ କାର୍ତ୍ତିକ। ବିଜେପି କହିଛି, ଯିଏ ଦୋଷୀ ସେ ଦଣ୍ଡ ପାଉ। କିନ୍ତୁ ହିନ୍ଦୁ ସାଧୁଙ୍କୁ ବଦନାମ କରିବାକୁ ଯେମିତି ପଣ କରିଛି ଟିଏମସି। ବିନା ତଦନ୍ତରେ କାହାକୁ ଦୋଷୀ ସଜାଇବା ଟିଏମସିର ଚେହେରା। ପଦ୍ମଶ୍ରୀ କାର୍ତ୍ତିକ ମହାରାଜଙ୍କ ବିରୁଦ୍ଧରେ ଯୌନବ୍ୟଭିଚାର ମାମଲା ଆଗକୁ କି ମୋଡ଼ ନେବ, ତା ଉପରେ ସମସ୍ତଙ୍କ ନଜର।


Naxatra News is now on Whatsapp
Join and get latest news update delivered to you via whatsapp
Join Now