୨୦୦୬ ମୁମ୍ୱାଇ ଟ୍ରେନ ବିସ୍ଫୋରଣରେ ସମସ୍ତ ୧୨ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରି ରିଲିଜ୍ କରିବା ରାୟ ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ। ମାମଲାର ଗମ୍ଭୀରତା ଦୃଷ୍ଟିରୁ ସୁପ୍ରିମକୋର୍ଟ ରହିତାଦେଶ ଲଗାଇଛନ୍ତି। ସମସ୍ତ ୧୨ ଅଭିଯୁକ୍ତଙ୍କୁ ରିଲିଜ୍ କରିବାକୁ ବମ୍ୱେ ହାଇକୋର୍ଟ ଆଦେଶ ଦେଇଥିଲେ। ୩ ଦିନ ଆଗରୁ ହିଁ ସମସ୍ତ ଅଭିଯୁକ୍ତ ରିଲିଜ୍ ହୋଇଥିଲେ। ସମସ୍ତ ପକ୍ଷର ଦଲିଲ ପୁଣି ଥରେ ଦାଖଲ ଲାଗି ନିର୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଜଷ୍ଟିସ ଏମଏମ ସୁନ୍ଦ୍ରେଶ ଓ ଜଷ୍ଟିସ ଏନ କୋଟେଶ୍ୱର ସିଂଙ୍କ ଖଣ୍ଡପୀଠ ମହାରାଷ୍ଟ୍ର ସରକାରଙ୍କ ଦଲିଲକୁ ବି ଗ୍ରହଣ କରିଛନ୍ତି। ଯେଉଁଠି କୁହାଯାଇଛି, ହାଇକୋର୍ଟଙ୍କ ଏଭଳି ନିଷ୍ପତ୍ତି ରାଜ୍ୟରେ ମହାରାଷ୍ଟ୍ର କଣ୍ଟ୍ରୋଲ ଅଫ ଅର୍ଗାନାଇଜଡ୍ କ୍ରାଇମ୍ ଆକ୍ଟ ଆଧାରରେ ଚାଲୁଥିବା ମାମଲା ଉପରେ ନକରାତ୍ମକ ପ୍ରଭାବ ପକାଉଛି। ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ଲଢ଼ୁଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଅଦାଲତଙ୍କୁ ଅନୁରୋଧ କରିଥିଲେ, ସେ ଅଭିଯୁକ୍ତଙ୍କ ମୁକ୍ତିକୁ ନେଇ ଚ୍ୟାଲେଞ୍ଜ୍ କରୁନାହାନ୍ତି। ଅଭିଯୁକ୍ତଙ୍କୁ ସରେଣ୍ଡର କରିବାକୁ ବି କହୁନାହାନ୍ତି। ଫୈସଲାର କିଛି ଟିପ୍ପଣୀ ଲମ୍ୱିତ ମାମଲାକୁ ପ୍ରଭାବିତ କରିପାରେ। ସୁପ୍ରିମକୋର୍ଟ କହିଛନ୍ତି, ଅଭିଯୁକ୍ତଙ୍କୁ ଆଉ ଥରେ ଜେଲ୍ ପଠାଇବା ଜରୁରୀ ନୁହେଁ। ମହାରାଷ୍ଟ୍ରର ମନ୍ତ୍ରୀ ଚନ୍ଦ୍ରଶେଖର ବଓ୍ୱନକୁଲେ କହିଛନ୍ତି, କୋର୍ଟରେ ନିଜ ପକ୍ଷ ତଦନ୍ତକାରୀ ଏଜେନ୍ସି ଦୃଢ଼ ଭାବେ ରଖିବେ। ଆଉ କୋର୍ଟରୁ ନ୍ୟାୟ ମିଳିବ। ଏଆଇଏମଆଇଏମ ମୁଖ୍ୟ ଅସାଦୁଦ୍ଦିନ ଓଓ୍ୱେସି ପଚାରିଛନ୍ତି, କୋର୍ଟ ଅଭିଯୁକ୍ତଙ୍କୁ ଦୋଷମୁକ୍ତ ପରେ କେନ୍ଦ୍ର ସରକାର ଓ ମହାରାଷ୍ଟ୍ର ସରକାର ଏମିତି ଅପିଲ କଲେ କାହିଁକି। ଆତଙ୍କବାଦକୁ ଖତମ କର। କିନ୍ତୁ ଅଭିଯୁକ୍ତଙ୍କ ଧର୍ମ ଦେଖି ଅପିଲ୍ କଲେ ଏହା ଆତଙ୍କବାଦ ସହ ସଲାସୁତୁରା ବୋଲି ଧରାଯିବ। ଜୁଲାଇ ୧୧, ୨୦୦୬। ମାତ୍ର ୧୧ ମିନିଟ୍ ଭିତରେ ୭ଟି ବିସ୍ଫୋରଣ ହୋଇଥିଲା। ମୁମ୍ୱାଇର ଲୋକାଲ ଟ୍ରେନ ବିସ୍ଫୋରଣରେ ୧୮୭ଜଣଙ୍କ ମୃତ୍ୟୁ ହୋଇଥିଲା। ୮ଶହରୁ ଅଧିକ ଆହତ ହୋଇଥିଲେ। ଏହି ମାମଲାରେ ୨୦୧୫ରେ ସ୍ୱତନ୍ତ୍ର ମକ୍କା କୋର୍ଟ ୧୨ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ୫ ଜଣଙ୍କୁ ମୃତ୍ୟୁଦଣ୍ଡ ଓ ୭ଜଣଙ୍କୁ ଆଜୀବନ କାରାଦଣ୍ଡ ଦେଇଥିଲେ ମକ୍କା କୋର୍ଟ। ଜୁଲାଇ ୨୧ରେ ବମ୍ୱେ ହାଇକୋର୍ଟ ପ୍ରମାଣ ଅଭାବରୁ ସମସ୍ତ ଅଭିଯୁକ୍ତଙ୍କୁ ଖଲାସ କରିଦେଇଥିଲେ। ଏହାକୁ ଚ୍ୟାଲେଞ୍ଜ କରି ମହାରାଷ୍ଟ୍ର ସରକାର ଓ ଏଟିଏସ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଜଣେ ଅଭିଯୁକ୍ତ ପାଖରୁ ୫ଶହ ଗ୍ରାମ୍ ଆରଡିଏକ୍ସ ଜବତ ସତ୍ତ୍ୱେ ଏହାକୁ ଟେକନିକ୍ ଆଧାରରେ ଖାରଜ କରିଦିଆଗଲା। ଜବତ ବିସ୍ଫୋଟକକୁ ଏଲଏସି ସିଲରେ ସିଲ୍ କରାଯାଇନଥିଲା। ଏହା ସହ ହାଇକୋର୍ଟ କହିଥିଲେ, ଅଭିଯୁକ୍ତମାନେ ଏଭଳି ଅପରାଧ ଘଟାଇଥିବେ ବୋଲି ବିଶ୍ୱାସ କରିବା କଠିନ। ସାକ୍ଷୀ ଓ ପ୍ରମାଣକୁ ନେଇ ବି ଅଙ୍ଗୁଳି ଉଠାଇଥିଲେ ହାଇକୋର୍ଟ। ୪ଶହ ପୃଷ୍ଠାର ରାୟରେ ତଦନ୍ତ ଶୈଳୀକୁ ଭ୍ରାମକ କହିଥିଲେ ହାଇକୋର୍ଟ। ଏଥିରେ ଜନତାଙ୍କ ଭରସା ଭାଙ୍ଗୁଛି। କାରଣ ଅସଲ ଦୋଷୀ ଏବେ ବି ସ୍ୱାଧୀନ ଭାବେ ବୁଲୁଛି। ଅଭିଯୁକ୍ତଙ୍କ ସ୍ୱୀକାରୋକ୍ତିକୁ କଟ-କପି-ପେଷ୍ଟ କହି ଏହାକୁ ଚାପ ପକାଇ ନିଆଯାଇଛି ବୋଲି କହିଥିଲେ ହାଇକୋର୍ଟ। ସାକ୍ଷୀଙ୍କ ଭିତରେ ଥିବା କିଛି ଟାକ୍ସି ଡ୍ରାଇଭର ଓ ଯାତ୍ରୀଙ୍କ ବିଶ୍ୱସନୀୟତାକୁ ନେଇ ଅଙ୍ଗୁଳି ଉଠାଇଥିଲେ ହାଇକୋର୍ଟ। ଘଟଣାର ଶହେ ଦିନ ପରେ ସାକ୍ଷୀ ଓ ୪ ବର୍ଷ ପରେ ଟିଆଇ ପ୍ୟାରେଡ୍ କୁ ନେଇ ପ୍ରଶ୍ନ କରିଥିଲେ। ଆରଡିଏକ୍ସ, ସର୍କିଟବୋର୍ଡ, ପ୍ରେସରକୁକର, ନକ୍ସା ଆଦି ବି ଫରେନସିକ ଟିମ୍ ଭଲରେ ସିଲ୍ କରିନଥିଲା। ସେଥିଲାଗି ଏହାର ପ୍ରାମାଣିକତାକୁ ନେଇ ସନ୍ଦେହ ହୋଇଛି। ବରିଷ୍ଠ ଓକିଲ ଉଜ୍ଜ୍ୱଳ ନିକମ କହିଥିଲେ, ତୁରନ୍ତ ସରକାର ହାଇକୋର୍ଟଙ୍କ ରାୟ ବିରୁଦ୍ଧରେ ସୁପ୍ରିମକୋର୍ଟ ଯାଆନ୍ତୁ। ମୋଟ୍ ୧୨ ଅଭିଯୁକ୍ତ ଥିଲେ। ଜଣେ ଅଭିଯୁକ୍ତ କମନାଲ ଅନସାରୀଙ୍କ କରୋନା କାଳରେ ଜେଲରେ ମୃତ୍ୟୁ ହୋଇସାରିଛି। ୧୯ ବର୍ଷ ପରେ ଆସିଥିବା ରାୟ ଏବେ ପୁଣି ବିବାଦରେ ଫସିଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now