ଆଇନଶୃଙ୍ଖଳା – ୟୁପିକୁ ଅନୁକରଣ କରିବ କି ଓଡ଼ିଶା ?

ଓଡ଼ିଶାରେ ୟୁପି ଭଳି ଗ୍ୟାଙ୍ଗଷ୍ଟର ନିରୋଧୀ ଆଇନ ଆଣିବା ଦରକାର। ରାଜ୍ୟରେ ଗୋରୁଚାଲାଣ, ଖଣି ଲୁଟ୍, ଠକାମୀ, ଜବରଦଖଲ, ସୁପାରି କିଲିଂ, ଡ୍ରଗ୍ସ ମାଫିଆଙ୍କ ପ୍ରାଦୁର୍ଭାବ ବଢ଼ି ଚାଲିଛି। ରାଜ୍ୟରେ ଆଇନଶୃଙ୍ଖଳା ସୁଧାରିବାକୁ ହେଲେ ଏଭଳି ପଦକ୍ଷେପ ନେବାର ଆବଶ୍ୟକତା ଅଛି। ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏମିତି କିଛି ଦାବି କରିଛନ୍ତି ଉପବାଚସ୍ପତି ଭବାନୀ ଶଙ୍କର ଭୋଇ। ସଂଗଠିତ ଅପରାଧ ବିରୁଦ୍ଧରେ ୟୁପି ଷ୍ଟାଇଲରେ ନୂଆ ଆଇନ ଆଣି ଏହାକୁ ଅନୁକରଣ କରିବା ଜରୁରୀ। କାରଣ ଅପରାଧିକ ତତ୍ତ୍ୱ ପ୍ରଚଳିତ ଆଇନଗତ ଢାଞ୍ଚାକୁ ଟପି ଅସାମାଜିକ କାମ କରିବାରେ ନିପୂଣ। ମୁଖ୍ୟମନ୍ତ୍ରୀଙ୍କୁ ଉପବାଚସ୍ପତିଙ୍କ ଏହି ଚିଠିକୁ ନେଇ ରାଜ୍ୟରେ ଆଇନଶୃଙ୍ଖଳା କେତେ ବିପର୍ଯ୍ୟସ୍ତ, ତାହାର ଅବତାରଣା କରିଛନ୍ତି ବିରୋଧୀ। ୟୁପିର ବୁଲଡୋଜର ଆକ୍ସନ ଉପରେ ଭରସା ଅଛି। ଯାହାକୁ ସୁପ୍ରିମକୋର୍ଟ ଅଗଣତାନ୍ତ୍ରିକ ବୋଲି କହିସାରିଛନ୍ତି। କିନ୍ତୁ ଓଡ଼ିଶାରେ ଥିବା ପ୍ରଚଳିତ ଆଇନ ଉପରେ ଭରସା ନାହିଁ। ଓଡ଼ିଶାରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ଓ ଏ ସରକାର ତାହାକୁ ସମ୍ଭାଳିବାରେ ବିଫଳ ବୋଲି କହିଛନ୍ତି ସେଥିଲାଗି ତ୍ରାହି ତ୍ରାହି ଡାକି ୟୁପିର ଗ୍ୟାଙ୍ଗଷ୍ଟର ଆଇନକୁ ପ୍ରଣୟନ କରିବାକୁ ଉପ-ବାଚସ୍ପତି କହିଲେଣି। ଉପ-ବାଚସ୍ପତି ସରକାରଙ୍କ ମୁଖା ଖୋଲିଦେଲେ। ଓଡ଼ିଶାର ଆଇନଶୃଙ୍ଖଳା ଉପରୁ ବିଶ୍ୱାସ ହରାଇବସିଲେଣି। ସେଥିଲାଗି ଆଉ ଏକ ରାଜ୍ୟର ମଡେଲ ଆପଣାଇବାକୁ ଅନୁରୋଧ କରିବାକୁ କହୁଛନ୍ତି। ବାଲେଶ୍ୱର ଘଟଣାକୁ ନେଇ ଅଗଷ୍ଟ ପହିଲାରୁ ୮ ଯାଏ ଦ୍ୱିତୀୟ ପର୍ଯ୍ୟାୟ ବିକ୍ଷୋଭକୁ ଓହ୍ଲାଇବ ବିଜେଡି। ମୁଖ୍ୟମନ୍ତ୍ରୀଙ୍କୁ ନିଦରୁ ଉଠାଇବାକୁ ଅଗଷ୍ଟ ୪ କ୍ରାନ୍ତି ଦିବସରୁ ୧୪ ଯାଏଁ ଚିଠି ଲେଖିବ ବିଜେଡି। ମିଳିତ ପ୍ରେସମିଟରେ କହିଛନ୍ତି ବିଧାୟକ ବ୍ୟୋମକେଶ ରାୟ ଓ ଦେବୀରଞ୍ଜନ ତ୍ରିପାଠୀ। କଂଗ୍ରେସ କହିଛି, ବର୍ଷକ ଭିତରେ ମୋହନ ସରକାର ଅମଳରେ ଆଇନଶୃଙ୍ଖଳା ଅଧିକ ବିଗିଡିଛି। ମହିଳା ଅସୁରକ୍ଷିତ। ଗଣଦୁଷ୍କର୍ମ, ନାରୀ ଅତ୍ୟାଚାରରେ ଦୁର୍ନାମ ମୁଣ୍ଡାଇସାରିଲାଣି ଓଡ଼ିଶା। ତଦନ୍ତ ଓ ରିପୋର୍ଟ ଆଳରେ ସମୟ ଗଡ଼ାଇ ଚାଲିଛନ୍ତି ସରକାର ବୋଲି କହିଛନ୍ତି ତାରାପ୍ରସାଦ ବାହିନୀପତି। କାଉଣ୍ଟରରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ବିଜେଡି ଶାସନ ଅମଳରେ ଅପରାଧର ହାର ସର୍ବାଧିକ ଥିଲା। ଏ କଥା ବିଜେଡି ଭୁଲିଯାଇଛି କି। ବର୍ଷକର ବିଜେପି ସରକାର ଅମଳରେ ଅପରାଧର ହାର କମିଛି। ଆଗକୁ ଅଧିକ କଠୋର ଆଇନ ଆସିବ। ନ୍ୟାୟିକ ପ୍ରକ୍ରିୟାରେ କଠୋରରୁ କଠୋର ଦଣ୍ଡ ମିଳିବାର ପ୍ରାବଧାନ ଆସିବ। ୨୪ ବର୍ଷ ଧରି ଅପକର୍ମ କଲା ପରେ ବୁଢ଼ା ବାଘ ଭଳି ବିଜେଡି କହିବା ହାସ୍ୟାସ୍ପଦ। ଓଡ଼ିଶାରେ ପ୍ରଚଳିତ ଆଇନ ସତରେ କଅଣ ଅପରାଧିକ କାର୍ଯ୍ୟକଳାପକୁ ଲଗାମ ଲଗାଇପାରୁନି କି। ଅସମାଜିକ ତତ୍ତ୍ୱକୁ ଧରିବାକୁ ପୁଲିସ ସଫଳ ହେଉନି କି। ଅପରାଧୀଙ୍କ ଡର ଭୟ ଛାଡ଼ିଗଲାଣି କି। ଏମିତି ତମାମ ପ୍ରଶ୍ନ ଉପ-ବାଚସ୍ପତିଙ୍କ ଚିଠିକୁ ଆୟୁଧ କରି ଉଠାଇଲେଣି ବିରୋଧୀ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *