ଅଣ୍ଡରେଟେକିଂ ବଳରେ ଅଭିଯୁକ୍ତଙ୍କୁ ଜାମିନ ଦିଆଯାଇପାରିବନି। କେସର ମେରିଟ୍ ଦେଖି ଜାମିନ ମିଳିବ। କିନ୍ତୁ ଅଭିଯୁକ୍ତର ଆସୁରାନ୍ସ ଉପରେ ନୁହେଁ। ଏ କଥା ସ୍ପଷ୍ଟ କରିଦେଇଛନ୍ତି ସୁପ୍ରିମକୋର୍ଟ। ସମସ୍ତ ହାଇକୋର୍ଟ ଓ ଟ୍ରାଏଲ କୋର୍ଟକୁ ଏ ସନ୍ଦର୍ଭରେ ସାଧାରଣ ନିର୍ଦେଶାନାମା ଜାରି କରିଛନ୍ତି ସର୍ବୋଚ୍ଚ ଅଦାଲତ। ନିୟମିତ ଜାମିନ ବା ଆଗୁଆ ଜାମିନ ପ୍ରଦାନ ବେଳେ ମାମଲାର ମହତ୍ତ୍ୱକୁ ଦେଖି ଜାମିନ ଦିଅ। କିନ୍ତୁ ଅଭିଯୁକ୍ତ କିମ୍ୱା ତାଙ୍କ ପରିବାର ସଦସ୍ୟଙ୍କ ଅଣ୍ଡରଟେକିଂ ବା ନିର୍ଦ୍ଦିଷ୍ଟ ଅର୍ଥ ଜମା କରିଦେଲେ ହେବନି। ସେଥିଲାଗି ଏବେଠୁ ସ୍ପଷ୍ଟ କରିଦେଇଛନ୍ତି ସୁପ୍ରିମକୋର୍ଟ ଯେ, ଏହା ପରଠୁ କୌଣସି ଟ୍ରାଏଲ କୋର୍ଟ କି ହାଇକୋର୍ଟ ବେଲ୍ ଦେବା ବେଳେ ଏ କଥା କାର୍ଯ୍ୟକାରୀ କରିବେ। ହାଇକୋର୍ଟ କି ଟ୍ରାଏଲ କୋର୍ଟ ବେଲ୍ ଦେବା ବେଳେ ନିଜ ଡିସକ୍ରେସନକୁ ଏକ୍ସରସାଇଜ୍ କରିବେନି। ଏହି ନିର୍ଦେଶାନାମାର ଗୋଟିଏ ଗୋଟିଏ ନକଲ ତୁରନ୍ତ ସମସ୍ତ ହାଇକୋର୍ଟକୁ ସର୍କୁଲେଟ୍ କରିବାକୁ ନିର୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଜଷ୍ଚିସ ଜେବି ପର୍ଦ୍ଦିଓ୍ୱାଲା ଓ ଜଷ୍ଟିସ ଆର ମହାଦେବନଙ୍କ ଖଣ୍ଡପୀଠ ଏକ ମାମଲାର ଶୁଣାଣୀ ବେଳେ ଏଭଳି ନିର୍ଦେଶ ଦେଇଛନ୍ତି। ୧ କୋଟି ୬ଲକ୍ଷ ଟଙ୍କାର ଆର୍ଥିକ ଅନିୟମିତତା ମାମଲାରେ ଆବେଦନକାରୀ ଗଜାନନ ଦତ୍ତାତ୍ରାୟ ଗୋରେ ବେଲ୍ ପାଇଥିଲେ। ସତ୍ୟପାଠରେ କଥା ଦେଇଥିଲେ ଯେ, ବିବାଦୀୟ ଆର୍ଥିକ ହେରଫେର ମାମଲାରେ ସେ ୨୫ଲକ୍ଷ ଟଙ୍କା ଜମା କରିଦେବେ। କିନ୍ତୁ ରିଲିଜ ପରେ ସେ ଟଙ୍କା ଦାଖଲ କରିବାକୁ ପଛେଇଲେ। ଯାହା ଫଳରେ ହାଇକୋର୍ଟ ତାଙ୍କ ଜାମିନକୁ ପ୍ରତ୍ୟାହାର କରିନେଲେ। ହାଇକୋର୍ଟଙ୍କ ଏହି ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ ଗଜାନନ। ସୁପ୍ରିମକୋର୍ଟ ବି ହାଇକୋର୍ଟଙ୍କ ଆଦେଶକୁ କାଏମ ରଖିଲେ ସତ। କିନ୍ତୁ ଜାମିନ୍ ଦେବା ବେଳେ ଚାଲିଥିବା ଏଭଳି ପ୍ରାକ୍ଟିସକୁ କଡ଼ା ସମାଲୋଚନା କରିଥିଲେ। ଆର୍ଥିକ ହେରଫେର ମାମଲାରେ ଏଭଳି ଅଣ୍ଡରଟେକିଂ ବଳରେ ଜାମିନ ଦେବା କେତେଦୂର ଗ୍ରହଣୀୟ ବୋଲି ପ୍ରଶ୍ନ ବି ଉଠାଇଛନ୍ତି ଜଷ୍ଟିସ ପର୍ଦ୍ଦିଓ୍ୱାଲା। ଏ ପ୍ରାକ୍ଟିସ ବନ୍ଦ ହେବା ଦରକାର। ଅଭିଯୁକ୍ତମାନେ କୋର୍ଟକୁ ଏକ ସିଡ଼ି ଭାବେ ବିବେଚନା କଲେଣି ଓ ଏମିତି କରି କୋର୍ଟର ମର୍ଯାଦା ଓ ଗାରିମାକୁ ନ୍ୟୁନ କରୁଛନ୍ତି। ସେଥିଲାଗି ଏବେଠୁ କୌଣସି ହାଇକୋର୍ଟ କି ଟ୍ରାଏଲ କୋର୍ଟ ଏଭଳି ଭୁଲ ଯେମିତି ଆଉଥରେ କରିବେନି ବୋଲି ଚେତାଇ ଦେଇଛନ୍ତି ସୁପ୍ରିମକୋର୍ଟ। ଏଭଳି ନିର୍ଦେଶ ଦେବା ସହ ଆବେଦନକାରୀଙ୍କ ଆଚରଣ ବିରୋଧୀ ନୀତି ଲାଗି ୫୦ହଜାର ଟଙ୍କା ବି ଜରିମାନା ଦଣ୍ଡ ଦେଇଛନ୍ତି। ଜାମିନ ପାଇଁ ଆଗ ଟଙ୍କା ଜମା କରିବାକୁ କହି ଜାମିନ ପାଇବା ପରେ ଆର୍ଥିକ ଅବସ୍ଥା ଶୋଚନୀୟ କହି ନ୍ୟାୟାଳୟକୁ ଭ୍ରମିତ କରିଛନ୍ତି ଆବେଦନକାରୀ। ଏହା ସହ ହାଇକୋର୍ଟ ଉପରେ ବି ଅଙ୍ଗୁଳି ଉଠାଇଛନ୍ତି ସୁପ୍ରିମକୋର୍ଟ। ଆବେଦନକାରୀର ଆର୍ଥିକ ସ୍ଥିତି ଠିକ୍ ଅଛି କି ନାହିଁ, ସେ ଟଙ୍କା ପୈଠ କରିପାରିବେ କି ନାହିଁ। ଏହା ନଦେଖି ବେଲରେ ରିଲିଜ କେମିତି କରିଦେଲେ ହାଇକୋର୍ଟ ବୋଲି ପଚାରିଥିଲେ ସୁପ୍ରିମକୋର୍ଟ। ଏଭଳି ଜାମିନ ଆବେଦନକାରୀ କୋର୍ଟକୁ ଥଟ୍ଟା ପରିହାସରେ ପରିଣତ କରିସାରିଲେଣି। ଯଦି ହାଇକୋର୍ଟ କୌଣସି ଆବେଦନକାରୀକୁ ଜାମିନ ଦେବେ, ତାହେଲେ ତା ପୂର୍ବରୁ ନିର୍ଦ୍ଦିଷ୍ଟ ସମୟସୀମା ଭିତରେ ଟଙ୍କା ଜମା କରିବାକୁ କହିବେ। ଆଉ ଜମା ହେଲା ପରେ ଜାମିନରେ ଛାଡ଼ିପାରିବେ।

Naxatra News is now on Whatsapp
Join and get latest news update delivered to you via whatsapp
Join Now