ନ୍ୟାୟ ନ ପାଇ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଯାଉଛନ୍ତି ପୀଡ଼ିତା। ବାଲେଶ୍ୱରରୁ ବଳଙ୍ଗା। ବରଗଡ଼ରୁ ନବରଙ୍ଗପୁର। କିଏ ନିଆଁର ଆଁକୁ ଚାଲିଯାଉଛି ତ କାହାକୁ ପରିସ୍ଥିତି ବାଧ୍ୟ କରୁଛି ଜୀବନ ହାରିବାକୁ। କେନ୍ଦ୍ରାପଡ଼ା କାଠିଆପଡ଼ାରେ ବ୍ଲାକମେଲିଂର ଶୀକାର ହୋଇ ନିଜକୁ ଜାଳି ଦେଲେ ପୀଡ଼ିତା। ନବରଙ୍ଗପୁରରେ ବି ଫଟୋ ଭାଇରାଲ ଭୟରେ ନର୍ସିଂ ଛାତ୍ର ଆତ୍ମହତ୍ୟା ଘଟଣାକୁ ନେଇ ପୀଡ଼ିତାଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦାବିରେ ଜିଲ୍ଲା ବିଜେଡି ପକ୍ଷରୁ ୧୨ ଘଣ୍ଟିଆ ରାଇଘର ବନ୍ଦ ଡାକରା ଦିଆଯାଇଥିଲା। ପ୍ରଦୀପ ମାଝୀଙ୍କ ନେତୃତ୍ୱରେ ଏହି ବନ୍ଦ ପାଳନ ହୋଇଥିଲା। ଦୀର୍ଘ ୨୪ଦିନ ମୃତ୍ୟୁ ସହ ସଂଗ୍ରାମ କରି ହାରିଯିବା ପରେ ଶବ ଜନ୍ମମାଟି ଡୁମୁରିମୁଣ୍ଡାକୁ ଫେରିଥିଲା। କ୍ଷତିପୂରଣ ନ ମିଳିବା ଯାଏଁ ଗ୍ରାମବାସୀ ବି ଶବ ସତ୍କାର ହେବନି ବୋଲି ଅଡ଼ି ବସିଥିଲେ। ଗାଁ ଦାଣ୍ଡରେ ପୀଡ଼ିତାର ଶବ ଆମ୍ୱୁଲାନ୍ସରେ ଥିଲା। ଛାତ୍ରୀଙ୍କ ଫଟୋ ଭାଇରାଲ ଘଟଣାରେ ଆଉ ଜଣେ ଅଭିଯୁକ୍ତ ଆଜି ଯାଏଁ ଧରାପଡ଼ିଲାନି କହି ରୋଷ ଝାଡ଼ିଥିଲେ ସମ୍ପର୍କୀୟ। ସେପଟେ ବଳଙ୍ଗା ବାୟାବରରେ ପହଞ୍ଚିଥିଲା କଂଗ୍ରେସର ପଦଯାତ୍ରା। ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱରେ ନାରୀ ନ୍ୟାୟ ପଦଯାତ୍ରାରେ ସାମିଲ୍ ହୋଇଥିଲେ ହଜାର ହଜାର କର୍ମୀ ଓ ନେତା। କବରସ୍ଥାନକୁ ଯାଇ ଶ୍ରଦ୍ଧାଞ୍ଜଳି ଦେଇଥିଲେ ଭକ୍ତ। ପୋଡ଼ି ହୋଇଥିବା ନଦୀବନ୍ଧ ଅଞ୍ଚଳ ବୁଲି ଦେଖିବା ସହ ବଳଙ୍ଗା ଅଭିମୁଖେ ପଦଯାତ୍ରା ଜାରି ରଖି ବଳଙ୍ଗା ବଜାରରେ ପଥପ୍ରାନ୍ତ ସଭା କରି ନିମାପଡ଼ା ଅଭିମୁଖେ ବାହାରିଥିଲା ନ୍ୟାୟ ପଦଯାତ୍ରା। ଭକ୍ତ କହିଛନ୍ତି, ଗରିବ ନୀରିହ ଲୋକଙ୍କ ମଜାକ୍ ଉଡ଼ାନ୍ତୁନି ସରକାର। ନାରୀ ଅସୁରକ୍ଷିତ ହେଲେ ସରକାର ଧ୍ୱଂସ ପାଇଯାଏ। ନାରୀ ନ୍ୟାୟ ନ ପାଇଲା ଯାଏ କଂଗ୍ରେସ ଚୁପ୍ ବସିବନି। ସେପଟେ ବରଗଡ଼ରେ ଆଉ ଏକ ବଳଙ୍ଗା କାଣ୍ଡ ଘଟିଛି। ଗାଏସିଲଟ ଥାନା ଫିରିଙ୍ଗିମାଲ ଗାଁରେ ମାମୁଁଘର ଗାଁରେ ଏକ ଫୁଟବଲ ପଡ଼ିଆରେ ଅର୍ଦ୍ଧଦଗ୍ଧ ଅବସ୍ଥାରେ ନାବାଳିକାକୁ ଠାବ କରାଯାଇଥିଲା। ଆମ୍ୱୁଲାନ୍ସରେ ଅର୍ଦ୍ଧଦଗ୍ଧ ନାବାଳିକାକୁ ପଦ୍ମପୁରରୁ ବୁର୍ଲା ମେଡିକାଲ ସ୍ଥାନାନ୍ତର ହୋଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ସବୁଦିନ ଲାଗି ଆଖି ବୁଜିଦେଲେ ନାବାଳିକା। ନାବାଳିକା ଜଣକ ଅଷ୍ଟମ ଶ୍ରେଣୀରେ ପଢ଼ୁଥିଲେ। କାଲି ହଷ୍ଟେଲ ଫେରିଥାଆନ୍ତେ। ଘରେ ଏମିତି କଅଣ ହେଲା, କେଉଁ ପରିସ୍ଥିତିରୁ ଏଭଳି ଅଘଟଣ ହେଲା। ନିଜ ଦେହରେ ପେଟ୍ରୋଲ କାହିଁକି ଢାଳିଲେ। ନାବାଳିକା ପୋଡ଼ି ଘଟଣାରେ ୩ଜଣ ଆଇଆଇସିଙ୍କୁ ନେଇ ଏକ ତଦନ୍ତ ଟିମ୍ ଗଠନ ହୋଇଛି। କିଏ ଜାଳିଦେଲା ନା ନିଜେ ଆତ୍ମହତ୍ୟା ଉଦ୍ୟମ କରି ଜଳିଗଲେ, ତାହାର ଛାନଭିନ ଆରମ୍ଭ ହୋଇଛି। ଏକ ଭିଡ଼ିଓ ସିଡ୍ କରିଛି ପୁଲିସ। ଯାହାକୁ ନେଇ ତଦନ୍ତ ହେଉଥିବା କହିଛନ୍ତି ଭାରପ୍ରାପ୍ତ ଏସପି। ଏ ଘଟଣାରେ ନାବାଳିକାଙ୍କ ମାମୁଁଙ୍କ ଝିଅକୁ ପୁଲିସ ପଚରାଉଚୁରା ବେଳେ ସେ ଚେତା ହରାଇ ବସିଥିଲେ। ନାବାଳିକାଙ୍କ ଅଜା ଓ ଜଣେ ଦୋକାନୀଙ୍କୁ ଗାଏସିଲଟ ଥାନାରେ ଅଟକ ରଖିଛି ପୁଲିସ। ପାରିବାରିକ କଳହରୁ ଏଭଳି ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ବୋଲି ସୂଚନା ଦେଇଛନ୍ତି ଆଇଜି ହିଂମାଶୁ ଲାଲ। ଆଇନ ମନ୍ତ୍ରୀ କହିଛନ୍ତି, ସରକାର ଘଟଣାକୁ ଗୁରୁତର ସହ ନେଇଛନ୍ତି। ଆତ୍ମହତ୍ୟା କୌଣସି ସମସ୍ୟାର ସମାଧାନ ନୁହେଁ। ପୀଡ଼ିତ ଓ ପୀଡ଼ିତାଙ୍କୁ ଆଇନଗତ ଦିଗକୁ ଆପଣାଇବାକୁ ଅନୁରୋଧ କରିଛନ୍ତି ଆଇନମନ୍ତ୍ରୀ। ବିରୋଧୀଙ୍କ ଲାଗି ନୁହେଁ, ବରଂ ଜୀବନହାନୀ ଲାଗି ବ୍ୟଥିତ ସରକାର। ପୁଲିସ ଯେଉଁଠି ଏତଲା ରଖୁନି, ସେ କଥା ସାମ୍ନାକୁ ଆସିଲେ କଠୋର ଆକ୍ସନ ହେବ। ଯେଉଁ ପ୍ରସଙ୍ଗ ନେଇ ବିରୋଧୀ ପଦଯାତ୍ରା କରୁଛନ୍ତି, ତାହା ସାଧାରଣ ଲୋକଙ୍କ ଉପରେ ପ୍ରଭାବ ପକାଇବନି ବୋଲି କହିଛନ୍ତି ବିଧାୟକ ବାବୁ ସିଂ। ଆତ୍ମହତ୍ୟା ମାନସିକତା କାହିଁକି ବଢ଼ୁଛି। ଅନ୍ୟାୟ, ଅତ୍ୟାଚାର, ଅଶ୍ଲୀଳ ଫଟୋ ଭାଇରାଲରେ ଅତିଷ୍ଠ ହୋଇ ଜୀବନ ହାରୁଛନ୍ତି କି ପୀଡ଼ିତା। ମହିଳା ଆଜି କାହିଁକି ଏତେ ଅସୁରକ୍ଷିତ ମଣୁଛି। ତାହା ହିଁ ଚିନ୍ତାର ବିଷୟ ପାଲଟିଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now