ନ୍ୟାୟ ପାଇଁ ଯୋଗୀଙ୍କୁ ପ୍ରଶଂସା- ସପା MLA ପୂଜା ବହିଷ୍କୃତ

ମୁଁ ନିଜ ସ୍ୱାମୀକୁ ହରାଇଛି। ସେ ବିଧାୟକ ଥିଲା ବେଳେ ତାଙ୍କୁ ମର୍ଡର କରାଯାଇଥିଲା। ପୁରା ଗୃହ ଜାଣିଛି, ତାଙ୍କ ସ୍ୱାମୀଙ୍କୁ କିଏ ମର୍ଡର କରିଥିଲା ଓ କେମିତି କରିଥିଲା। କିନ୍ତୁ ତାଙ୍କୁ କେହି ନ୍ୟାୟ ଦେଇନଥିଲେ। ନ୍ୟାୟ ଦେଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଯିଏ ତାଙ୍କ ଲୁଚିଥିବା ଲୁହକୁ ଦେଖିଥିଲେ ଓ ପୋଛିଥିଲେ। କିନ୍ତୁ ବର୍ଷ ବର୍ଷ ଧରି କେହି ବି ତାଙ୍କ ଦୁଃଖକଷ୍ଟ ନା ବୁଝିପାରିଥିଲେ ନା ନ୍ୟାୟ ଦେଇପାରିଲେ। ତାଙ୍କ ଲଢ଼େଇରେ କେହି ବି ତାଙ୍କ ସାଥ୍ ଦେଲେନି। ତାଙ୍କ ଭଳି ଅନେକ ମହିଳାଙ୍କ ସିନ୍ଦୂର ପୋଛିଥିବା ମାଫିଆ ଆତିକ୍ ଅହମ୍ମଦକୁ ମାଟିରେ ମିଶାଇଦେଲେ ଯୋଗୀ। ଏଭଳି ଆକ୍ସନ ଲାଗି ରାଜ୍ୟରେ ଅପରାଧୀ ମାଆ ଭଉଣୀଙ୍କ ପ୍ରତି ଅତ୍ୟାଚାର କରିବାକୁ ଡରିଲେଣି। ୟୁପି ବିଧାନସଭାରେ ସପା ବିଧାୟିକା ପୂଜା ପାଲଙ୍କ ଯୋଗୀଙ୍କ ଉଦ୍ଦେଶ୍ୟରେ ଏଭଳି ବିବୃତ୍ତିକୁ ନେଇ ହଇଚଇ ଖେଳିଯାଇଥିଲା। ୟୁପି ବିଧାନସଭାରେ ବିରୋଧୀ ବିଧାୟିକାଙ୍କ ମୁହଁରୁ ଏ କଥା ଶୁଣି ଶାସକ ଦଳ କହିଛି, ଯୋଗୀଙ୍କ ଶାସନରେ ଅପରାଧୀଙ୍କୁ ନିସ୍ତାର ନାହିଁ ବୋଲି ଏହା ସ୍ପଷ୍ଟ କରିଛି। ଯିଏ କରିକି ଦେଖାଏ, ସେ ହିଁ ବିଶ୍ୱାସର ପାତ୍ର। ଅପରାଧ ବିରୁଦ୍ଧରେ ଶୂନ୍ୟ ସହନଶୀଳତା ନୀତି ଲାଗି ଯୋଗୀଙ୍କ ପ୍ରଶଂସାରେ ଶତମୁଖ ହୋଇଉଠିଥିଲେ ପୂଜା। ପୂଜା ସତ କହୁଥିଲା ବେଳେ ଖୋଦ୍ ତାଙ୍କରି ଦଳର ବିଧାୟକମାନେ ତାଙ୍କୁ କୁହାଇଦେଇନଥିଲେ ବୋଲି କହିଛି ବିଜେପି। ଯୋଗୀ ବି ସପା ନେତାଙ୍କୁ ଧୂଲେଇ କରିଥିଲେ ଗୃହରେ। ମୁଲାୟମ ସିଂ ଯାଦବଙ୍କ ଭଳି ଭଲ ନେତାଙ୍କୁ ସପା ନେତା ବଦନାମୀ କରିବାର କାମ କରୁଛନ୍ତି। ଶିବପାଲ ଯାଦବ ଅନ୍ତିମ ଉତ୍ତରାଧିକାରୀ ଭାବେ ଏବେ ମୁଣ୍ଡରେ ହାତ ଦେଇବସିଛନ୍ତି। ଅଖିଳେଶ ନିଜ ଦାଦାଙ୍କୁ ବି ଛାଡ଼ିଲେନି କହି କଟାକ୍ଷ କରିଥିଲେ ଯୋଗୀ। ନିଜ ପରିବାର ଭିତରେ ବିକାଶକୁ ସୀମିତ ରଖିବା ମାନସିକତାରେ ସପା ରହିଛି। ସପା ଏବେ ପିଡିଏ ବା ପରିବାର ଡେଭେଲପମେଣ୍ଟ ଅଥୋରିଟି ହୋଇସାରିଲାଣି।ସେପଟେ ସପାର ମୁଖ୍ୟ ସଚେତକ କମାଲ ଅଖତର କହିଛନ୍ତି, ପୂଜାଙ୍କ ଏଭଳି ବୟାନ ବ୍ୟକ୍ତିଗତ। ଯଦି ସପା ଦଳ ତାଙ୍କୁ ନ୍ୟାୟ ଦେବାକୁ କୌଣସି କାମ କରିନଥିଲା, ତାହେଲେ ତାଙ୍କୁ ସପାକୁ ଆସିବାର ନଥିଲା। ସେପଟେ ଯୋଗୀଙ୍କୁ ଏଭଳି ପ୍ରଶଂସା ପୂଜାଙ୍କୁ ଭାରି ପଡ଼ିଲା। ଏଭଳି ବୟାନ ଦଳବିରୋଧୀ କହି ପୂଜାଙ୍କୁ ଦଳରୁ ବହିଷ୍କାର କରିଛନ୍ତି ଅଖିଳେଶ ଯାଦବ। ସ୍ୱର୍ଗତ ରାଜୁ ପାଲଙ୍କ ପତ୍ନୀ ଅଟନ୍ତି ପୂଜା। ୨୦୦୫ରେ ୫ କିଲୋମିଟର ଦୌଡ଼ାଇ ଗୁଳି କରିଥିଲେ ରାଜୁଙ୍କୁ ଆତିକ ଅହମ୍ମଦ ଓ ତାଙ୍କ ଗୋଷ୍ଠୀ। ରାଜୁଙ୍କ ରାଜନୈତିକ ପ୍ରତିଦ୍ୱନ୍ଦୀ ଥିଲେ ଆତିକଙ୍କ ଭାଇ ଅସରଫ। ରାଜୁପାଲ୍ ହତ୍ୟାକାଣ୍ଡରେ ମାଫିଆରୁ ନେତା ସାଜିଥିବା ଆତିକ୍ ଅଭିଯୁକ୍ତ ଥିଲା। ୨୦୦୨ରେ ବସପାରୁ ଲଢ଼ି ଆତିକଠୁ ହାରିଥିଲେ ରାଜୁ। ଆତିକ୍ ସାଂସଦ ଭାବେ ନିର୍ବାଚିତ ପରେ ରାଜୁ ପାଲ୍ ୨୦୦୪ରେ ପ୍ରୟାଗରାଜ ପଶ୍ଚିମ ଆସନରେ ହୋଇଥିବା ଉପନିର୍ବାଚନରେ ଆତିକର ସାନ ଭାଇ ଅସରଫଙ୍କୁ ହରାଇଥିଲେ। ଆତିକ୍ ଓ ତା ଭାଇ ଅସରଫକୁ ଗଲା ବର୍ଷ ଏପ୍ରିଲ ୧୫ରେ ଗୁଳି କରି ହତ୍ୟା କରାଯାଇଥିଲା। ଯେତେବେଳେ ଉଭୟ ଭାଇଙ୍କୁ ପୁଲିସ କଷ୍ଟଡିରେ ମେଡିକାଲ ଚେକଅପ୍ ଲାଗି ନିଆଯାଉଥିଲା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *