ଏନଏସି ମାନ୍ୟତା ଦାବି- ତେଜୁଛି ଆନ୍ଦୋଳନ

ଏନଏସି ଦାବି ନେଇ ତେଜୁଛି ଆନ୍ଦୋଳନ। ସ୍ୱାଧୀନତା ଦିବସରେ ୨୧ଟି ନୂଆ ଏନଏସି ଲାଗି ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ। ଉତ୍ତମ ଭିତ୍ତିଭୂମି ଓ ସହରୀକରଣ ଲାଗି ଏହା ଜରୁରୀ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ। ଆଉ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ଗଲା ଶନିବାର ନଗର ଉନ୍ନୟନ ବିଭାଗ ୧୨ଟି ନୂଆ ଏନଏସି ଲାଗି ଡ୍ରାଫ୍ଟ ନୋଟିଫିକେସନ ଜାରି କରିଥିଲା। ୧୨ଟି ନୂଆ ଏନଏସି ହେଲା- ପାଲଲହଡ଼ା, ବୀରମହାରାଜପୁର, ସିମୂଳିଆ, ବସ୍ତା, ବେତନଟି, ବାଙ୍ଗିରିପୋଷି, ଚିତ୍ରଡ଼ା, ବିଷମକଟକ, ବାମରା, ରେଙ୍ଗାଳି, ତିହିଡ଼ି ଓ ଧୁଷୁରୀ। ତେବେ ନୂଆ ଏନଏସିରେ ସାମିଲ୍ ହୋଇନଥିବା ଅଞ୍ଚଳରେ ଏହାର ପ୍ରତିବାଦର ସ୍ୱର ତେଜିଲାଣି। ସାଲେପୁରରୁ ଆନ୍ଦୋଳନର ନିଆଁ ଆରମ୍ଭ ହୋଇଛି। ସାଲେପୁର ବିଜେଡି ପକ୍ଷରୁ ଗଲା ମଙ୍ଗଳବାର ୬ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା। ସାଲେପୁର- କୁଆଁପାଳ ଛକରେ କଟକ-ଚାନ୍ଦବାଲି ମୁଖ୍ୟ ରାସ୍ତାକୁ ଅବରୋଧ କରିଥିଲେ ଆନ୍ଦୋଳନକାରୀ। ଗାଡ଼ିମଟର, ଦୋକାନବଜାର ସାଙ୍ଗକୁ ସ୍କୁଲ କଲେଜ ପିକେଟିଂ କରି ବନ୍ଦ କରିଥିଲେ ଆନ୍ଦୋଳନକାରୀ। ବୁଧବାର ବେଗୁନିଆକୁ ଏନଏସି ଘୋଷଣା ଦାବିରେ ଧାରଣା ଦେଇଥିଲେ ଆନ୍ଦୋଳନକାରୀ। ଆଉ ଆଜି ବଲାଙ୍ଗୀର ଜିଲ୍ଲା ବେଲପଡ଼ାକୁ ଏନଏସି ଦାବିରେ ୧୨ ଘଣ୍ଟିଆ ବେଲପଡ଼ା ବନ୍ଦ ପାଳନ ହୋଇଛି। ସକାଳ ୬ରୁ ବନ୍ଦ ପାଳନ ହୋଇଛି। ପିକେଟିଂ କରି ଆନ୍ଦୋଳନକାରୀ ଦୋକାନବଜାର ବନ୍ଦ କରିଥିଲେ। ନବୀନ ସରକାର ବେଲପଡ଼ାକୁ ଏନଏସି ଘୋଷଣା କରିଥିଲା ବେଳେ ମୋହନ ସରକାର ନୂଆ ତାଲିକାରେ ଏହାକୁ ବାଦ୍ ଦେବା ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ଆନ୍ଦୋଳନକାରୀ। କେବଳ ଏତିକି ନୁହେଁ। ପୂର୍ବତନ ସରକାର ୫୬ ପୌରାଞ୍ଚଳ ଘୋଷଣା କରିଥିଲେ। ୪୩ଟି ବାଦ୍ ପଡ଼ିଲା। କଳାହାଣ୍ଡି ଜିଲ୍ଲାର ଜୟପାଟଣା, ମଦନପୁର-ରାମପୁର, ନର୍ଲା ଓ ନୂଆପଡ଼ା ଜିଲ୍ଲାର ସିନାପାଲି ବାଦ୍ ପଡ଼ିଲା। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁ ମାପଦଣ୍ଡ ଦେଖି ଏନଏସି ଘୋଷଣା କରିଥିଲେ। ଏହାକୁ ନେଇ ବିଜେଡି ସରକାରଙ୍କୁ ଚେତାବନୀ ଦେଇଛି। ଏହି ତିନୋଟିକୁ ତୁରନ୍ତ ଏନଏସି ଘୋଷଣା କରନ୍ତୁ। ନଚେତ ଜନଆନ୍ଦୋଳନ ହେବ। ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି, ସବୁ ମାପଦଣ୍ଡକୁ ବିଚାର କରାଯାଇ ପର୍ଯ୍ୟାୟ କ୍ରମେ ଏନଏସି ଘୋଷଣା ହେବ। ଏନଏସି ଘୋଷଣା ପୂର୍ବତନ ସରକାରଙ୍କ କେବଳ ନିର୍ବାଚନୀ ଷ୍ଟଣ୍ଟ୍ ଥିଲା। କିନ୍ତୁ କୌଣସି ଗୋଟିଏକୁ ବି କରିପାରିନଥିଲେ। ମୋହନ ସରକାର ଯାହା ପ୍ରତିଶୃତି ଦେଇଥିଲେ, ସେଥିଲାଗି ପ୍ରତିବଦ୍ଧ। ଆସନ୍ତା ୩୧ରେ ସ୍ୱାୟତ୍ତଶାସନ ଦିବସରେ ଘୋଷଣା ହେବ ରାଜ୍ୟର ଆଉ ୯ ଏନଏସି। ଜନସଂଖ୍ୟା, ଯାହା ଯାହା ମାପକାଠି ରହିଛି ସେହି ଆଧାରରେ ବିଭିନ୍ନ ସମସ୍ୟାକୁ ଅନୁଧ୍ୟାନ ପରେ ଡ୍ରାଫ୍ଟ ନୋଟିସ ପ୍ରସ୍ତୁତ ହେବ। ସବୁ ଛୋଟ ଛୋଟ ସହରକୁ ଏନଏସି ପାଇଁ ଦାବି କଲେ ହେବନି। ଏଥିଲାଗି କିଛିଟା ନିୟମ ଓ ମାପକାଠି ରହିଛି ବୋଲି କହିଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ଏନଏସି ଘୋଷଣା ନେଇ ତେଜୁଛି ଆନ୍ଦୋଳନ। ଏହାକୁ ନେଇ ଯେତିକି ରାଜନୀତି, ସେତିକି ପ୍ରତିବାଦର ତାତି ଧରିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *