କୁଖ୍ୟାତ ଗ୍ୟାଙ୍ଗଷ୍ଟର ମୟଙ୍କ ସିଂଙ୍କୁ ଅଜରବୈଜାନରୁ ଆଣିଲା ଝାଡ଼ଖଣ୍ଡ ଏଟିଏସ। ମୟଙ୍କ ସିଂ ଓରଫ ସୁନୀଲ ମିଣାଙ୍କୁ ଅଜରବୈଜାନରୁ ପ୍ରତ୍ୟର୍ପଣର ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବା ପରେ ରାଞ୍ଚି ଅଣାଯାଇଛି। ଅଭିଯୁକ୍ତ ମୟଙ୍କକୁ ରାମଗଡ଼ ଅଦାଲତରେ ହାଜର କରି ତାକୁ ରିମାଣ୍ଡରେ ନେଇଛି ପୁଲିସ। ମାମଲାର ଗହନ ଯାଞ୍ଚ ଲାଗି ଏହି ରିମାଣ୍ଡ ଜରୁରୀ ଥିଲା। ମୟଙ୍କ ବିରୁଦ୍ଧରେ ଝାଡ଼ଖଣ୍ଡ, ରାଜସ୍ଥାନ, ପଞ୍ଜାବ ସମେତ ବିଭିନ୍ନ ରାଜ୍ୟରେ ୫୦ରୁ ଅଧିକ ମାମଲା ରୁଜୁ ହୋଇଛି। ସେ ଲମ୍ୱା ସମୟ ଧରି ଓ୍ୱାଣ୍ଟେଡ୍ ଥିଲା। ପୁଲିସ ସୂଚନା ଅନୁସାରେ କୁଖ୍ୟାତ ଅପରାଧୀ ଅମନ ସାହୁ ଗ୍ୟାଙ୍ଗ ସହ ମୟଙ୍କର ସମ୍ପର୍କ ଥିଲା। କ୍ରାଇମ୍ ସିଣ୍ଡିକେଟ୍ ଓ ପୁରା ନେଟଓ୍ୱର୍କର ଖୁଲାସା, ଅପରାଧିକ ଷଡ଼ଯନ୍ତ୍ରର ରହସ୍ୟକୁ ଉନ୍ମୋଚନ ଲାଗି ରିମାଣ୍ଡ ଅବଧି ଭିତରେ କଥା ଓଗାଳିବ ପୁଲିସ। ଅକ୍ଟୋବର ୨୦୨୪ରେ ମୟଙ୍କକୁ ଅଜରବୈଜାନର ଦାତୁରୁ ଗିରଫ କରାଯାଇଥିଲା। ଲରେନ୍ସ ବିଷ୍ଣୋଇର ପିଲା ବେଳର ସାଙ୍ଗ ଅଟେ ମୟଙ୍କ। ଯିଏ ଡନ୍ ଭଳି ବିଦେଶରୁ ଚଳାଉଥିଲା ସିଣ୍ଡିକେଟ୍। ହତ୍ୟା, ରାହାଜାନୀ, ଦାଦାବଟି, ଫାୟାରିଂ ଭଳି ଅନେକ ମାମଲା ରୁଜୁ ହୋଇଛି। ମୟଙ୍କ ଝାଡ଼ଖଣ୍ଡର ପ୍ରଥମ ଗ୍ୟାଙ୍ଗଷ୍ଟର ଯାହାକୁ ବିଦେଶରୁ ପ୍ରତ୍ୟର୍ପଣ କରି ଅଣାଯାଇଛି। ମୟଙ୍କର ଲମ୍ୱା ଅପରାଧିକ ଇତିହାସ ରହିଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now