ଗୋଚର ଲିଜ୍ ଜମିକୁ ଘରବାରି କରି କିଣାବିକା ହୋଇଗଲା। ତାହେଲେ କଅଣ କରୁଥିଲେ ଖଣ୍ଡଗିରି ସବ-ରେଜିଷ୍ଟ୍ରାର ଅର୍ଚ୍ଚନା ଗୌଡ଼। କାଶୀପୁର ମୌଜାରେ ମନ୍ଦିର ଜମିକୁ ପଟ୍ଟାରେ ଜାଲିଆତି କରି କିଣାବିକା ବେଳେ ରେଜିଷ୍ଟ୍ରେସନରେ ମୋହର ମାରି ନିଜ ଦୋଷ ଘୋଡ଼ାଇବାକୁ ଅନେକ ଫନ୍ଦି କରିଥିଲେ ଅର୍ଚ୍ଚନା। କିନ୍ତୁ ନକ୍ଷତ୍ର ନ୍ୟୁଜରେ ଖବର ପ୍ରସାରଣ ପରେ ଦମ୍ପତ୍ତି ଗିରଫ ହେବା ସହ ଖଣ୍ଡଗିରି ସବରେଜିଷ୍ଟ୍ରାର ଅଫିସର ଜଣେ କିରାଣୀଙ୍କୁ ସସପେଣ୍ଡ୍ କରାଗଲା। ଆଉ ଅର୍ଚ୍ଚନାଙ୍କୁ ଆଇଜିଆରଙ୍କ କାରଣଦର୍ଶାଅ ନୋଟିସ୍ ଜାରିର ମହଲତ ବି ପୁରିସାରିଛି। ଏ ମାମଲାରେ ଅର୍ଚ୍ଚନା କେତେ ଦୋଷୀ ସେ କଥା ତ ସରକାର ବିଚାର କରିବେ। କିନ୍ତୁ କୁଜିମହଲ ମୌଜାରେ ଗୋଚର ଜମିକୁ କିଣାବିକା ବେଳେ କେମିତି ପୂର୍ବଭଳି ଆଖିକାନ ବୁଜିଦେଲେ ଅର୍ଚ୍ଚନା। କାରଣ ଉଭୟ ଜମିର କିଣାବିକା ଗୋଟିଏ ଦିନ ଅନ୍ତରରେ ହୋଇଥିଲା। ମୂଳ ଖାତା ନମ୍ୱର ୩୨୪ରେ ଥିବା ପ୍ଲଟ ନମ୍ୱର ୩୭୮ର କିସମ ଗୋଚର ଅଛି। ନିୟମ କହୁଛି, କୌଣସି ଗୋଚର ଜମିକୁ କିସମ ବଦଳାଇବାର ଥିବ, ସେଥିରେ ଜିଲ୍ଲାପାଳ ଡି-ରିଜର୍ଭେସନ କରି କିସମ ପରିବର୍ତ୍ତନ କରିପାରିବେ। କିନ୍ତୁ ୩୭୮ରେ ନା ଡି-ରିଜର୍ଭେସନ କେସ୍ ହୋଇଛି। ନା କୌଣସି କିସମ ପରିବର୍ତ୍ତନର ଆଧାର ରହିଛି। ଗୋଚର ଜମିର କିସମ ପରିବର୍ତ୍ତନ ହେଲା କେମିତି। ଗୋଚର ଜମିକୁ ଲିଜ୍ ଦିଆଯାଇପାରିବନି। ଯଦି ଲିଜ୍ ଦିଆଯାଏ, ସରକାର ପ୍ରଥମେ ଡି-ରିଜର୍ଭେସନ କେସ୍ କରି ଏହାର କିସମ ବଦଳାଇବେ। ତା ପରେ ଯାଇ ଲିଜ୍ ଦେବେ। ଖାତା ନମ୍ୱର ୩୨୪ରେ ଥିବା ୧୭ଟି ପ୍ଲଟ ଅଛି। ଏଥିରୁ ୩୭୮ ପ୍ଲଟ୍ ଗୋଚର। ଯଦି ମୂଳ ପ୍ଲଟ ଗୋଚର, ତାହେଲେ ପାର୍ଟ-ପ୍ଲଟ କେମିତି ଘରବାରି ହୋଇଗଲା। ମୂଳ ପ୍ଲଟର ଯାହା କିସମ ଥିବ, ପାର୍ଟ-ପ୍ଲଟର ବଦଳିଯିବ କି। ଏଭଳି କେଳେଙ୍କାରୀକୁ ନେଇ ନକ୍ଷତ୍ର ନ୍ୟୁଜର ଅନୁସନ୍ଧାନମୂଳକ ରିପୋର୍ଟ ପ୍ରକାଶିତ ପରେ ରାଜସ୍ୱ ମନ୍ତ୍ରୀ କହିଛନ୍ତି, ଏଭଳି କାରସାଦିରେ ଲିପ୍ତ ଅଫିସର ଚେତିଯାଆନ୍ତୁ। ଏ ଖବର ନେଇ ସେ ଅବଗତ ଅଛନ୍ତି। ଏ ସରକାରରେ କେହି ବର୍ତ୍ତିବେନି। ସୁଧାରିବାକୁ ବହୁ ମେଡିସିନ୍ ଅଛି। ହୋମିଓପାଥି, ଏଲୋପାଥିର ହେଭି ଡୋଜ୍ ଦେବା ପରେ ନ ସୁଧୁରିଲେ ଅପରେସନ ଥିଏଟର ନେବାକୁ ପଡ଼ିବ। ଅଧିକାଂଶ ସବ-ରେଜିଷ୍ଟ୍ଟାର ସୁଧୁରିଗଲେଣି। ଯେଉଁମାନେ ଦୁର୍ନୀତିଗ୍ରସ୍ତ, ସେମାନେ ଦଣ୍ଡକୁ ଭୟ କରୁଛନ୍ତି। ସେପଟେ ଟଙ୍କା ଲୋଭ ବି ଛାଡ଼ିପାରୁନାହାନ୍ତି। ଯେଉଁ ଦଣ୍ଡ ପାଇବେ, କଳ୍ପନା କରିନଥିବେ ବୋଲି କହିଛନ୍ତି ମନ୍ତ୍ରୀ ପୂଜାରୀ। ତହସିଲ ରେକର୍ଡରେ ଖାତା ନମ୍ୱର ୩୨୪ର ୩୭୮ ନମ୍ୱର ପ୍ଲଟ ଆଜି ବି ଗୋଚର। ତାହେଲେ ଖଣ୍ଡଗିରି ସବ-ରେଜିଷ୍ଟ୍ରାର କେଉଁ ରେକର୍ଡକୁ ଅନୁଧ୍ୟାନ କରି ପ୍ରଦ୍ୟୁମ୍ନ ଓ ବିପ୍ଳବ ସାମନ୍ତରାୟଙ୍କୁ ଦେବେଶ ଦତ୍ତ ବିକିଥିବା ୧୨୦ ଡିସିମିଲ୍ ଜମି ଘରବାରି ବୋଲି ବିଶ୍ୱାସ କରିନେଲେ। ପଟ୍ଟାର ମନ୍ତବ୍ୟରେ ବି ପଡ଼ିଆ ନଥି ନମ୍ୱର ଲେଖାଯାଇଛି। ଏହାର ଅର୍ଥ ଲିଜ୍ ଜମି। ଏଥର କଅଣ ଟେକ୍ନୋଲୋଜି ପାର୍ଟନର ଦାୟୀ ନା ଆଉ କେଉଁ କିରାଣୀ ଦାୟୀ। ରେଜିଷ୍ଟ୍ରେସନରେ ମୋହର ମାରିବା ଆଗରୁ ଭୂଲେଖ ଓ୍ୱେବସାଇଟ୍ ଚେକ୍ କରିବା ଉଚିତ ମଣିଲେନି କି ଅର୍ଚ୍ଚନା। ସବ-ରେଜିଷ୍ଟ୍ରାର ଚୌକିରେ ବସିଥିବା ଅର୍ଚ୍ଚନାଙ୍କ କଅଣ କିଛି ଉତ୍ତରଦାୟିତ୍ୱ ନଥିଲା କି।
Naxatra News is now on Whatsapp
Join and get latest news update delivered to you via whatsapp
Join Now