ହସ୍ପିଟାଲ ନିର୍ମାଣ ଘୋଟାଲା- ଭାରଦ୍ୱାଜଙ୍କ ଘରେ ଇଡିର ୨୦ ଘଣ୍ଟା ରେଡ୍- ଦିଲ୍ଲୀ ପଲିଟିକ୍ସ ସରଗରମ

ଦୀର୍ଘ ୨୦ ଘଣ୍ଟାର ରେଡ୍। ଆମ୍ ଆଦମୀ ଦଳର ଦିଲ୍ଲୀ ଅଧ୍ୟକ୍ଷ ତଥା ପୂର୍ବତନ ମନ୍ତ୍ରୀ ସୌରଭ ଭାରଦ୍ୱାଜଙ୍କ ଘରେ ମଙ୍ଗଳବାର ସକାଳୁ ରେଡ୍ କରିଥିବା ଇଡି ଟିମ୍ ବୁଧବାର ବିଳମ୍ୱିତ ରାତିରେ ବାହାରିଥିଲା। ସୌରଭଙ୍କ ଘର ଓ ୧୩ଟି
ଠିକଣାରେ ରେଡ୍ ହୋଇଥିଲା। ଆଉ ଇଡି ଟିମ୍ ବାହାରିବା ପରେ ସୌରଭଙ୍କ ଘର ବାହାରେ ଜମା ହୋଇଥିବା ଦଳୀୟ କର୍ମକର୍ତ୍ତାଙ୍କୁ ସୌରଭ ସମ୍ୱୋଧିତ କରି କହିଛନ୍ତି, ଯଦି ଚୋର ଏଠାରେ ବି ରେଡ୍ କରିବେ। ତାହେଲେ ସ୍ୱଛତା ତ କେଉଁଠି ବି ଆଉ ରହିବନି। ଇଡି ଉପରେ ଚୋରର ଷ୍ଟାମ୍ପ୍ ଲାଗିଛି। କିନ୍ତୁ ଆଶ୍ଚର୍ଯ୍ୟ ଇଡି ଅନ୍ୟମାନଙ୍କ ଉପରେ ଚୋରର ଷ୍ଟାମ୍ପ ଲଗାଇବାକୁ ବାହାରିଛି। ଦେଶରେ କୌଣସି ଲୋକ ଓ ନେତାଙ୍କୁ ଦୁର୍ନୀତିମୁକ୍ତ ରହିବାକୁ ଦେବନି ଇଡି। ଇଡି ଯଦି ତାଙ୍କୁ ଗିରଫ କରିବାକୁ ଚାହୁଁଛି ଗିରଫ କରୁ ବୋଲି ତିନି ଥର ଅଫର୍ ଦେଲେ ସୌରଭ। ଦୁଇ ବର୍ଷ ଜେଲରେ ଭର୍ତ୍ତି ହେବାକୁ ରାଜି ଅଛି। ଇଡି କହିବା ମୁତାବକ ସେ କାମ କରିବେନି। କାରଣ ସେ କେଜ୍ରିଓ୍ୱାଲଙ୍କ ଚେଲା ଅଟନ୍ତି। କେନ୍ଦ୍ର ସରକାର, ଇଡି ଓ ଏଲଜିଙ୍କୁ ସେ ପୁରା ପ୍ରମାଣ ସହ ଏକ୍ସପୋଜ୍ କରିବେ। ଦିଲ୍ଲୀରେ ଆମ୍ ଆଦମୀ ଦଳ ସରକାରରେ ଥିବା ବେଳେ ହସ୍ପିଟାଲ ନିର୍ମାଣରେ ଘୋଟାଲାକୁ ନେଇ ସୌରଭ ଓ କିଛି କମ୍ପାନୀ ଉପରେ ରେଡ୍ କରିଥିଲା ଇଡି। ଜୁନରେ ସୌରଭଙ୍କ ବିରୁଦ୍ଧରେ ଦିଲ୍ଲୀର ଏସିବି ଏତଲା କରିଥିଲା। ଜୁଲାଇରେ ଇଡି ଏହାକୁ ନେଇ ତନାଘନା କରିଥିଲା। ଭ୍ରଷ୍ଟାଚାର ମାମଲାରେ ଭାରଦ୍ୱାଜ, ଦଳୀୟ ସହଯୋଗୀ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ, କିଛି ଠିକାଦାର ଓ ଅଜ୍ଞାତ ସରକାରୀ ଅଧିକାରୀଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଥିଲା ଏସିବି। ଏଭଳି ରେଡ୍ ନେଇ ଆମ୍ ଆଦମୀ ଦଳ କହିଛି, ମୋଦି ସରକାର ତଦନ୍ତକାରୀ ଏଜେନ୍ସିର ଦୁରୁପଯୋଗ କରିଛନ୍ତି। ମୋଦି ସରକାରଙ୍କ ଭୁଲ ନୀତି ବିରୁଦ୍ଧରେ ସ୍ୱର ଉଠାଇଥିବାରୁ ଏଭଳି ଦାଉ ସାଧୁଛନ୍ତି। ଆପ୍ କୁ ଯେଭଳି ଟାର୍ଗେଟ କରାଯାଉଛି, ଇତିହାସରେ କୌଣସି ଦଳକୁ ଏମିତି ଟାର୍ଗେଟ କେବେ ହୋଇନି। ହସ୍ପିଟାଲ ଘୋଟାଲାକୁ ନେଇ ଯେଉଁ ରେଡ୍ କରୁଛି ଇଡି। ଆଉ ଯେତିକିବେଳେ ମାମଲା ରୁଜୁ ହୋଇଥିଲା, ସେତେବେଳେ ଭାରଦ୍ୱାଜ ମନ୍ତ୍ରୀ ପଦରେ ନଥିଲେ। ଏ ମାମଲା ମିଛ। ପ୍ରଧାନମନ୍ତ୍ରୀଙ୍କ ଜାଲି ଡିଗ୍ରୀରୁ ଧ୍ୟାନ ହଟାଇବାକୁ ଏହି ରେଡ୍ କରାଯାଇଛି। ସତ୍ୟେନ୍ଦ୍ର ଜୈନଙ୍କୁ ବି ୩ ବର୍ଷ ଜେଲରେ ରଖାଗଲା। ପରେ ସିବିଆଇ ଓ ଇଡି କୋର୍ଟରେ କ୍ଲୋଜର ରିପୋର୍ଟ ଫାଇଲ୍ ଦେଲେ। ଏଥିରୁ ସ୍ପଷ୍ଟ, ମିଛ ମାମଲାରେ ଆପ୍ ନେତାଙ୍କୁ ଜେଲରେ ପୁରାଇବାକୁ ଟାର୍ଗେଟ ରହିଛି ବୋଲି କହିଛନ୍ତି ଅରବିନ୍ଦ କେଜ୍ରିଓ୍ୱାଲ, ଅତିଶୀ ଓ ସଞ୍ଜୟ ସିଂ ପ୍ରମୁଖ। ସେପଟେ କାଉଣ୍ଟରରେ ବିଜେପି କହିଛି, ଇଡିର ଏଭଳି ରେଡ୍ ସ୍ୱାଗତଯୋଗ୍ୟ। ୧୩ଟି ହସ୍ପିଟାଲରେ ନିର୍ମାଣ ଓ ଉପକରଣ ନାଁରେ ଘୋଟାଲା ହୋଇଛି। ଅନେକ ହସ୍ପିଟାଲ ଚାଲିଲାନି। କୋଟି କୋଟି ଟଙ୍କାର ଉପକରଣ ଆଣି ଖତ ଖାଇଲା। ଦିଲ୍ଲୀରେ ଏଭଳି ଘୋଟାଲା କରିଥିବା ଆପ୍ ନେତାଏ ପଞ୍ଜାବରେ ବି ସମାନ ଦୁର୍ନୀତି କରୁଛନ୍ତି। ପଞ୍ଜାବରେ ଡେରା ପକାଇ ଏଭଳି ଲୁଟପାଟ ଚାଲିଛି। ଦିଲ୍ଲୀ ମନ୍ତ୍ରୀ ମଞ୍ଜିଦର ସିଂ ସିର୍ସା କହିଛନ୍ତି, ଯେବେଠୁ ଦିଲ୍ଲୀରୁ ଆପ୍ ସରକାର ହଟିିଛ। ଏଠାକାର ଦୁର୍ନୀତିଗ୍ରସ୍ତ ନେତା ପଞ୍ଜାବରେ ଡେରା ପକାଇ ସମାନ ଫର୍ମାଟରେ ଲୁଟିବାକୁ ବସିଛନ୍ତି। ଦୁର୍ନୀତିର ଦଳ ନଥାଏ କି କେହି ବ୍ୟକ୍ତି ଆଇନରୁ ଉର୍ଦ୍ଧ୍ୱରେ ନୁହେଁ। ଯଦି କାମରେ ଖିଲାଫ ହୋଇଥିଲା, ଠିକାଦାରଙ୍କ ବିରୁଦ୍ଧରେ କାହିଁକି ଆକ୍ସନ ନେଇନଥିଲା ଆପ୍ ସରକାର। ଧାର୍ଯ୍ୟ ସମୟରେ କାମ ସାରିପାରିନଥିବା ଠିକା ଏଜେନ୍ସିର ଅବଧି ୩ ଥର ଲେଖାଏଁ ବୃଦ୍ଧି କରାଯାଇଥିଲା। ମୋଦି ସ୍ପଷ୍ଟ କରିଛନ୍ତି, ନା ସେ ଖାଇବେ ନା ଖାଇବାକୁ ଦେବେ। ଏଥିରେ ବିରୋଧୀ ଭିକ୍ଟିମ କାର୍ଡ ଖେଳି ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଛନ୍ତି। ଯଦି ଭରଦ୍ୱାଜ ଦୁର୍ନୀତିମୁକ୍ତ, ଏତେ ବିଚଳିତ କାହିଁକି। ମୋଦିଙ୍କ ଡିଗ୍ରୀକୁ ନେଇ ଆରୋପ ପ୍ରତ୍ୟାରୋପରେ ମୋଦିଙ୍କ ଛବି ମଳିନର ପ୍ରଶ୍ନ ଉଠୁନି ବୋଲି କହିଛନ୍ତି ବିଜେପି ନେତା ରମେଶ ବିଧୁରୀ। ଇଡି ରେଡ୍‌ ନେଇ ଦିଲ୍ଲୀ ରାଜନୀତି ପୁଣି ସରଗରମ ହୋଇଛି। ବିଳମ୍ୱିତ ରାତି ଅଢ଼େଇଟାରେ ଭରଦ୍ୱାଜଙ୍କ ଘରୁ ବାହାରିଥିଲା ଇଡି। ଆଗକୁ ଏ ଘଟଣା କି ମୋଡ଼ ନେଉଛି, ତା ଉପରେ ନଜର।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *