ମହିଳା ଆଇପିଏସ ଅଞ୍ଜନା କ୍ରିଷ୍ଣାଙ୍କୁ ଫୋନକଲରେ ଧମକାଇଲେ ଉପ-ମୁଖ୍ୟମନ୍ତ୍ରୀ ଅଜିତ ପାଓ୍ୱାର। ଉଭୟଙ୍କ ଭିତରେ କଥାବାର୍ତ୍ତା ଓ ଯୁକ୍ତିତର୍କର ଭିଡ଼ିଓ ଭାଇରାଲ ହୋଇଛି। ଏହାକୁ ନେଇ ବିରୋଧୀ ଦଳ ପାଓ୍ୱାରଙ୍କୁ ଟାର୍ଗେଟ କରିଛନ୍ତି। ଭାଇରାଲ ଭିଡ଼ିଓରେ ଦେଖାଯାଇଛି, ସୋଲାପୁରର କରମାଳାର ଏସଡିପିଓ ଅଞ୍ଜନା କ୍ରିଷ୍ଣାଙ୍କ ସହ ଅଜିତ୍ କଥା ହେଉଛନ୍ତି। କ୍ରିଷ୍ଣା ଅଜିତ ପାଓ୍ୱାରଙ୍କୁ ଚିହ୍ନିପାରିନଥିଲେ। ଅଜିତ ପାଓ୍ୱାର ଏନସିପିର ଜଣେ କାର୍ଯ୍ୟକର୍ତ୍ତା ବାବା ଜଗତାପଙ୍କ ଫୋନରେ ଭିଡ଼ିଓ କଲ କରିଥିଲେ। ଆଉ କଡ଼ା ଶବ୍ଦରେ ମୋରମ ମାଟିର ଅବୈଧ ଖନନ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ କହୁଛନ୍ତି। ଆଉ ସେ ଯେଉଁଠି ଆକ୍ସନ ନେବାକୁ ଯାଇଥିଲେ, ତାକୁ ତୁରନ୍ତ ରୋକିବାକୁ କହିଥିଲେ ପାଓ୍ୱାର। ତେବେ ଅଞ୍ଜନା କହିଥିଲେ, ସେ ଜାଣିପାରୁନାହାନ୍ତି ସେ ଉପ-ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଉଛନ୍ତି କି ନାହିଁ। ଆଉ କାହା ଫୋନରେ ନୁହେଁ, ସିଧା ତାଙ୍କ ଫୋନକ କଲ୍ କରନ୍ତୁ ବୋଲି କହିଥିଲେ। ଏହାର ଜବାବରେ ପାଓ୍ୱାର କହିଥିଲେ, ଏତେ ସାହସ ଯେ, ସେ କଅଣ ତାଙ୍କ ଚେହେରା ଦେଖି ତାଙ୍କୁ ଚିହ୍ନିବେ କି। ନିଜ ନମ୍ୱର ଦିଅ ନଚେତ ତାଙ୍କ ନମ୍ୱର ନେଇ ଓ୍ୱାଟସଅପ କଲ୍ କର। ତା ପରେ ତାଙ୍କ ଚେହେରା ତାଙ୍କୁ ବୁଝାପଡ଼ିବ ବୋଲି କହିଥିଲେ ପାଓ୍ୱାର। ଅଗଷ୍ଟ ୩୧ର ଏ ଘଟଣା। ତେବେ ଭିଡ଼ିଓ ଭାଇରାଲ ପରେ ଶିବସେନା (ୟୁବିଟି) ସାଂସଦ ସଞ୍ଜୟ ରାଉତ କହିଛନ୍ତି, ଏଭଳି କଥା କହି ପାଓ୍ୱାରଙ୍କ ଅନୁଶାସନ ଗଲା କୁଆଡ଼େ। ନିଜ ଦଳର ଚୋରଙ୍କୁ ସଂରକ୍ଷଣ ଦେବାକୁ ଜଣେ ମହିଳା ଆଇପିଏସ ଅଫିସରଙ୍କୁ ଏମିତି ଗାଳି କରିବା କେତେଦୂର ଯୁକ୍ତିଯୁକ୍ତ ଓ ଆଇନସଙ୍ଗତ। ମୋରମ ମାଟିର ଚୋରା ଖନନ ସରକାରୀ ରାଜକୋଷକୁ କ୍ଷତି କରୁଛି। ସେପଟେ ପାଓ୍ୱାର କହିଛନ୍ତି, ସେ କୌଣସିମତେ ଆଇନଗତ ପ୍ରକ୍ରିୟାରେ ହସ୍ତକ୍ଷେପ କରନ୍ତିନି। ବରଂ ସଦା ସୁନିଶ୍ଚିତ କରିବାକୁ ଚାହାନ୍ତି, ସ୍ଥିତି ଶାନ୍ତ ରହୁ ଓ କଥା ନ ବଢ଼ୁ। ଯେଉଁ ପୁଲିସ ଅଫିସର ନିଷ୍ଠାର ସହ କାମ କରନ୍ତି, ସେମାନଙ୍କ ପ୍ରତି ତାଙ୍କର ଯଥେଷ୍ଟ ସମ୍ମାନ ରହିଛି। ଗାଁ ଲୋକଙ୍କ କହିବା ଥିଲା, ଏହି ଖନନ ପଞ୍ଚାୟତର ଅନୁମତିରେ ହେଉଥିଲା। କିନ୍ତୁ ସେମାନେ କୌଣସି ଅଧିକାରୀକ କାଗଜପତ୍ର ଦେଖାଇ ପାରିନଥିଲେ। ଏହା ପରେ ଅଞ୍ଜନା କାର୍ଯାନୁଷ୍ଠାନ ଲାଗି ଆଗେଇ ଆସିଥିଲେ। ଆଉ ଏଥିରେ କ୍ଷୁବ୍ଧ କାର୍ଯ୍ୟକର୍ତ୍ତା ଅଜିତ ପାଓ୍ୱାରଙ୍କୁ ଫୋନ୍ ଲଗାଇ ଅଞ୍ଜନାଙ୍କୁ ଧରାଇ ଦେଇଥିଲେ। ଆଇପିଏସ ଅଞ୍ଜନା କ୍ରିଷ୍ଣା ୨୦୨୨-୨୩ ବ୍ୟାଚର ଆଇପିଏସ ଅଟନ୍ତି। ତାଙ୍କ ଘର କେରଳର ଥିରୁବନନ୍ତପୁରମରେ। ତାଙ୍କ ବାପା ବିଜୁଙ୍କର ଛୋଟ କପଡ଼ା ବ୍ୟବସାୟ ଥଲା ବେଳେ ମାଆ ସିନା କୋର୍ଟରେ ଟାଇପିଷ୍ଟ ଭାବେ କାର୍ଯ୍ୟ କରନ୍ତି।

Naxatra News is now on Whatsapp
Join and get latest news update delivered to you via whatsapp
Join Now