ଚାର୍ଲି ହତ୍ୟାକାଣ୍ଡ- ବିପଦରେ ପଟ୍ଟେଲଙ୍କ ପଦ!

ଚାର୍ଲି କିର୍କ ହତ୍ୟାକାଣ୍ଡ ଅନ୍ତରାଷ୍ଟ୍ରୀୟ ମୁଦ୍ଦା ହୋଇସାରିଛି। ଏହାକୁ ଏଫବିଆଇର ବଡ଼ ବିଫଳତା ବୋଲି ବିବେଚନା କରାଯାଉଛି। ଏଫବିଆଇ ନିର୍ଦେଶକ କାସ୍ ପଟେଲ ପଦରୁ ହଟିବେ ବୋଲି ଆକଳନ ଆରମ୍ଭ ହୋଇଗଲାଣି। ଆମେରିକୀୟ ସଂସଦ ଆଗରେ ହାଜର ହେବାକୁ ନିର୍ଦେଶ ଦିଆଯାଇଛି ପଟେଲଙ୍କୁ। ଆଣ୍ଡ୍ର୍ୟୁ ବେଲି ପଟେଲଙ୍କ ଜାଗା ନେଇପାରନ୍ତି ବୋଲି ଜୋରଦାର ଚର୍ଚ୍ଚା ବି ଆରମ୍ଭ ହୋଇସାରିଛି। ଚାର୍ଲି କିର୍କ ହତ୍ୟାକାଣ୍ଡରେ ଏଫବିଆଇର ଚରମ ଅବହେଳାର ଆରୋପ ସାଙ୍ଗକୁ ଯୌନତସ୍କର ଜେଫ୍ରି ଏପଷ୍ଟିନ ଯାଞ୍ଚ ଫାଇଲକୁ ସାର୍ଜଜନୀନ ନ କରିବା ନିଷ୍ପତ୍ତିକୁ ନେଇ ଏବେ ଟାର୍ଗେଟରେ ଏଫବିଆଇ ନିର୍ଦେଶକ କାସ୍ ପଟେଲ। ପଟେଲ ଏଫବିଆଇ ନିର୍ଦେଶକ ପଦବୀ ଲାଗି ସକ୍ଷମ କି ନୁହେଁ, ତାକୁ ନେଇ ପ୍ରଶ୍ନବାଣ କରିଛି କଂଗ୍ରେସ। ଏପଷ୍ଟିନ୍ ବି ଯୌନତସ୍କରୀ ଆରୋପର ଶୁଣାଣୀ ବେଳେ ଆତ୍ମହତ୍ୟା କରିଦେଇଥିଲେ। ଗଲା ଜାନୁଆରୀରେ ଏଫବିଆଇର ନିର୍ଦେଶକ ଭାବେ ପଦ ସମ୍ଭାଳିବା ପରେ ସଂସଦର ସିନେଟ ଆଗରେ ପଟ୍ଟେଲଙ୍କ ଏହା ଥିଲା ପ୍ରଥମ ହାଜିରା। ଟ୍ରମ୍ପଙ୍କ ଘନିଷ୍ଠ ସହଯୋଗୀ ଚାର୍ଲିଙ୍କୁ ଦିବାଲୋକରେ ସମସ୍ତଙ୍କ ସମ୍ମୁଖରେ ଗୁଳି କରି ହତ୍ୟା ଘଟଣା ପରଠୁ ପଟେଲଙ୍କ ନେତୃତ୍ୱ ଓ  ଦକ୍ଷତାକୁ ନେଇ ନାନା ପ୍ରଶ୍ନ ଉଠିବାରେ ଲାଗିଛି। କିର୍କ ହତ୍ୟାକାଣ୍ଡରେ ଅଭିଯୁକ୍ତ ଟୟଲର ରବିନସନଙ୍କ ଗିରଫ ପୂର୍ବରୁ ସୋସିଆଲ ମିଡିଆରେ ସନ୍ଦିଗ୍ଧକୁ ଧରିଲେ ପୁରଷ୍କାର ଘୋଷଣା ହିଁ ଏଫବିଆଇର ଦକ୍ଷତା ସାଙ୍ଗକୁ ଟ୍ରମ୍ପ ପ୍ରଶାସନକୁ ଏକପ୍ରକାର ଅସହଜ ସ୍ଥିତିରେ ପକାଇଦେଇଥିଲା। କାରଣ କିର୍କଙ୍କ ହତ୍ୟାକାଣ୍ଡର କେଇ ଘଣ୍ଟା ପରେ ଏଫବିଆଇ ସନ୍ଦେହ ଆଧାରରେ ୨ ସନ୍ଦିଗ୍ଧଙ୍କୁ ହେପାଜତକୁ ନେଇ ପଚରାଉଚୁରା ପରେ ଛାଡ଼ି ଦେଇଥିଲା। ଅବଶ୍ୟ ଟ୍ରମ୍ପ ସାର୍ବଜନୀନ ଭାବେ କାଶ୍ ପଟେଲଙ୍କୁ ସୁରକ୍ଷା ଦେବାକୁ ଆଗେଇ ଆସିଥିଲେ। ଟ୍ରମ୍ପ କହିଥିଲେ, ଏଫବିଆଇ ଉପରେ ସେ ଗର୍ବିତ। କାଶ୍ ସମେତ ସମସ୍ତେ ଭଲ କାମ କରୁଛନ୍ତି। ସର୍ଭେଲାନ୍ସ ଫଟୋ ଓ ଭିଡ଼ିଓ ଏଥିଲାଗି ଜାରି ହୋଇଥିଲା କି, ଅଭିଯୁକ୍ତ ଶୀଘ୍ର ଧରାପଡ଼ିବ। ମଙ୍ଗଳବାର ହତ୍ୟାକାରୀ ରବିନସନକୁ ପ୍ରଥମ ଥର ଭର୍ଚ୍ଚୁଆଲ ଜରିଆରେ କୋର୍ଟରେ ହାଜର କରାଯାଇଥିଲା। ଆଉ ମଙ୍ଗଳବାର କଂଗ୍ରେସର ନ୍ୟାୟପାଳିକା ସମିତି ଆଗରେ ହାଜର ହୋଇଥିଲେ ପଟେଲ। ଡେମୋକ୍ରାଟ ସାଂସଦମାନେ କହିଥିଲେ, ପଟେଲ ଏଫବିଆଇକୁ ପ୍ରବଳ କ୍ଷତି ପହଞ୍ଚାଇଲେଣି। ଆମେରିକାର ସୁରକ୍ଷା ବିପଦରେ। ତେବେ ପଟେଲ କହିଛନ୍ତି, ସେ ପଦ ଛାଡ଼ି କୁଆଡ଼େ ଯାଉନାହାନ୍ତି। ସବୁଠୁ ବିଚିତ୍ର ଲାଗୁଛି ଯେ, ଏଫବିଆଇର ୩୧ ବର୍ଷର ଅନୁଭବ ଓ ଅଭିଜ୍ଞତାକୁ ସମସ୍ତେ ନଜରଅନ୍ଦାଜ କରୁଛନ୍ତି। ଯାହା ଲାଗି ଲୋକଙ୍କୁ ତ୍ୱରିତ ପରିଣାମ ମିଳିପାରୁଛି। ସେ ଲୋକଙ୍କ ଭିତରେ ଭରସା ଓ ପାରଦର୍ଶିତା ବୃଦ୍ଧି ଲାଗି କାମ କରୁଛନ୍ତି। କଂଗ୍ରେସ ସିନେଟଙ୍କ ସହ ପଟେଲଙ୍କ ଜୋରଦାର କଥା କଟାକଟି ହୋଇଥିଲା। ଗଲା ଫେବୃଆରୀରେ କଡ଼ା ଟକ୍କରରେ ପଟେଲ ନିର୍ଦେଶକ ପଦରେ ବସିବାକୁ ବିବେଚିତ ହୋଇଥିଲେ। କାରଣ ତାଙ୍କ ସପକ୍ଷରେ ୫୧ ଜଣ ସିନେଟ୍ ସମର୍ଥନ କରିଥିଲା ବେଳେ ବିରୋଧ କରିଥିଲେ ୪୯। ଏତେ ବଡ଼ ସୁରକ୍ଷା ତୃଟି କେମିତି ହେଲା କହି ପଟେଲଙ୍କୁ ଟାର୍ଗେଟ କରାଯାଇଥିଲା। ପଟେଲ କହିଥିଲେ, ଘଟଣାସ୍ଥଳରୁ ମିଳିଥିବା ସ୍କ୍ରୁଡ୍ରାଇଭର ଓ ତଉଲିଆରୁ ମିଳିଥିବା ଡିଏନଏ ସହ ଅଭିଯୁକ୍ତ ରବିନସନର ଡିଏନଏ ମେଳ ଖାଇଛି। ସେପଟେ ୟୁଟାର ଗଭର୍ଣ୍ଣର କାକ୍ସ କହିଛନ୍ତି, ରବିନସନର ଗାର୍ଲଫ୍ରେଣ୍ଡ ଟ୍ରାନ୍ସଜେଣ୍ଡର ଅଟନ୍ତି। ଯେହେତୁ କିର୍କ ଟ୍ରାନ୍ସଜେଣ୍ଡର ବିରୋଧୀ ବିଚାରାଧାରାର ଥିଲେ, ସେଥିଲାଗି ରବିନସନ ଗୁଳି କରି ମାରିଦେଲେ।ଏହା ବ୍ୟତୀତ ଏଫବିଆଇ ତିନି ଜଣ ପୂର୍ବତନ କର୍ମଚାରୀଙ୍କୁ ବହିଷ୍କାର ଘଟଣାରେ ପଟେଲଙ୍କ ବିରୁଦ୍ଧରେ ଅଦାଲତି କାର୍ଯ୍ୟାନୁଷ୍ଠାନ ଚାଲୁ ରହିଛି। ତାଙ୍କ କାର୍ଯ୍ୟକାଳ ଭିତରେ ୫ଜଣ ଏଜେଣ୍ଟ ଓ ଶୀର୍ଷସ୍ତରର ଅଧିକାରୀଙ୍କୁ ବହିଷ୍କାର କରାଗଲାଣି। ପଟେଲ ଏହା ଉପରେ କହିଛନ୍ତି, ସାମ୍ୱିଧାନିକ ଉତ୍ତରଦାୟିତ୍ୱ ନିର୍ବାହରେ ବିଫଳରୁ ଏ ସମସ୍ତଙ୍କୁ ବିଦା କରାଯାଇଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *