ଲୋକଙ୍କ ସମସ୍ୟା ସମାଧାନ କରିବାକୁ ଅବଶ୍ୟ ସରକାର ପାର୍ଟ-ପ୍ଲଟ କିଣାବିକା ଉପରୁ ସମସ୍ତ କଟକଣା ହଟାଇଦେଲେ। ଏହା ସ୍ୱାଗତଯୋଗ୍ୟ। ଦୀର୍ଘ ବର୍ଷ ହେଲା ଲୋକେ ଏହି ସମସ୍ୟାରେ ଧନ୍ଦି ହେଉଥିଲେ। କିନ୍ତୁ ରାଜସ୍ୱ ବିଭାଗର ବିନା ଏସଓପିରେ, ସମସ୍ତ ସବ-ରେଜିଷ୍ଟ୍ରାର ଅଫିସ ଆଗରେ ପାର୍ଟ ଚାଷଜମି କିଣାବିକା ନେଇ କ୍ଲିଅରକଟ୍ ଗାଇଡଲାଇନ ନଥିବା ହେତୁ ଏହାର ଫାଏଦା ନେଉଥିଲେ ଓ ନେଉଛନ୍ତି ଅସାଧୁ ମେଣ୍ଟ। କଅଣ ନିୟମ ରହିଛି ଏହା ପ୍ରାଞ୍ଜଳ ଭାବେ ନୋଟିସ୍ ମରାଯାଉନଥିବା ହେତୁ ନାନା ଆଳ ଦେଖାଇ ଲୋକଙ୍କୁ ଶୋଷଣ କରିଆସୁଛନ୍ତି ଦଲାଲ, ମଧ୍ୟସ୍ଥି ଓ ସବ-ରେଜିଷ୍ଟ୍ରାର ଅଫିସର କିଛି କରିତକର୍ମା ବାବୁ। କେତେବେଳେ ରେରା ଆଳରେ ଭୟ ଦେଖାଉଛନ୍ତି ତ କେତେବେଳେ ସବ-ରେଜିଷ୍ଟ୍ରାରଙ୍କ ନାଁରେ ଟଙ୍କା ମାଗୁଛନ୍ତି। କିଏ କେତେ ଖାଇବ, କାହାର କେତେ ଭାଗ ଫିକ୍ସ କହି ନିରୀହ ବିକ୍ରେତାଙ୍କୁ ଶୋଷିବାର ବାଟ ପାଉଛନ୍ତି। ବେଗୁନିଆ ସବ-ରେଜିଷ୍ଟ୍ରାର ଅଫିସରେ ଜଣେ ଷ୍ଟାମ୍ପଭେଣ୍ଡର ଓ ଜମି ବିକିବାକୁ ଚାହୁଁଥିବା ମାଲିକଙ୍କ ଅଡ଼ିଓ ଭାଇରାଲ ଏହା ପ୍ରମାଣିତ କରିଛି। ଆଗ ଟଙ୍କା ଦେଲେ ପାର୍ଟପ୍ଲଟ ଦଲିଲ ସବ-ରେଜିଷ୍ଟ୍ରାରଙ୍କ ଟେବୁଲକୁ ଦସ୍ତଖତ ଲାଗି ଯିବ ବୋଲି ଭରସା ବି ଦେଉଛନ୍ତି। ଆଉ କାମ ହେଉଥିବା ଦେଖି ଲୋକଙ୍କ ଭରସା ବି ବଳବତ୍ତର ରହୁଛି। ଟଙ୍କା ନ ଦେଲେ ନାନା ଆଳ ଦେଖାଇ ଦଲିଲକୁ ଫେରାଇ ଦିଆଯାଉଛି। ଖାତା ନମ୍ୱର ୯୧। ପ୍ଲଟ ନମ୍ୱର ୩୮୬। ଏରିଆ ହେଉଛି ୧ ଏକର ୪୩୫ ଡିସିମିଲ। ମୌଜା- ଧାନଘରନୂଆଗାଁ। ବିକ୍ରେତା ପୂଣ୍ୟକିର୍ତ୍ତୀ ଦାସ ଓ କ୍ରେତା ସଞ୍ଜୟ ସୁବୁଦ୍ଧି।ଏପ୍ରିଲ ୭ ଓ ୮ରେ ଦୁଇ ଦିନରେ ୧୭ଟି ପାର୍ଟ-ପ୍ଲଟ ରେଜିଷ୍ଟ୍ରେସନ ହୋଇଥିଲା। ତେବେ ଏଭଳି କ୍ରେତା ଓ ବିକ୍ରେତା ବାଧ୍ୟବାଧକତାରେ କାନମୁଣ୍ଡା ଆଉଁସି ଟଙ୍କା ଦେଇ ଜମି ରେଜିଷ୍ଟ୍ରେସନ କରିଥିଲେ ନା ନିୟମରେ ବୋଲି ପ୍ରଶ୍ନ ଉଠୁଛି। କାରଣ ପାର୍ଟ ଚାଷ ଜମି ଉପରେ ସେତେବେଳେ ଲାଗିଥିଲା କଟକଣା। ସରକାର ଏହି କଟକଣା ହଟାଇବାକୁ ଲୋକସେବା ଭବନରେ ସେତେବେଳେ କରୁଥିଲେ ଜୋରଦାର ମାନସମନ୍ଥନ। ଗଲା ଏପ୍ରିଲ ମାସରେ ଗୁଣ୍ଠ ପିଛା କେତେ ଫିକ୍ସ ହୋଇଛି, ଜଣେ ବିକ୍ରେତାଙ୍କୁ ସ୍ପଷ୍ଟ ଭାବେ ରେଟ୍ ଚାର୍ଟ ବାବଦରେ ଅବଗତ କରାଇଥିଲେ ସବ-ରେଜିଷ୍ଟ୍ରାର ଅଫିସ ପାଇଁ ଡିଲ୍ କରୁଥିଲେ ଜଣେ ଷ୍ଟାମ୍ପଭେଣ୍ଡର। ଯାହାଙ୍କ ଅଡ଼ିଓ ଭାଇରାଲ ହୋଇଛି। କଥା ପଡ଼ିଛି। ହୁଏତ ସବ-ରେଜିଷ୍ଟ୍ରାର ଅମିତ ସେଠୀଙ୍କ ଜ୍ଞାତସାରରେ ଏହା ହେଉନଥିବ। କିନ୍ତୁ ଅମିତଙ୍କ ପାଖ ଲୋକ କହି ଏଭଳି କାରସାଦି କରି ଏଭଳି ମଧ୍ୟସ୍ଥି ସହଜ ଓ ସରଳରେ ଲୋକଙ୍କୁ ଭୟ ଦେଖାଇ ଶୋଷଣ କରୁଛନ୍ତି। ଏମିତି କାରସାଦି ହେଉଥିଲା ଯଦି ତା ହେଲେ କାହା ଜାଣତରେ ଓ କାହା ବଳରେ। ସବରେଜିଷ୍ଟ୍ରାର ଅଫିସରେ ନିଜର କାଟତି ଦେଖାଇ ଟଙ୍କା ଦେଲେ ସବୁ ସମ୍ଭବ ବୋଲି ଜନତାଙ୍କ ଆଗରେ ଏମିତି ପ୍ରଭାବ ବି ଦେଖାଉଥିବେ। ସବ-ରେଜିଷ୍ଟ୍ରାର ସମ୍ମିଳନୀରେ ରାଜସ୍ୱ ମନ୍ତ୍ରୀ ଓ ସଚିବ ବି ତାଗିଦ୍ କରିଛନ୍ତି। ଅଜାଣତରେ ଭୁଲ୍ କୁ କ୍ଷମା କରାଯାଇପାରେ। କିନ୍ତୁ ଉଦ୍ଦେଶ୍ୟମୂଳକ ଭାବେ ତୃଟିକୁ ବିଲକୁଲ ବରଦାସ୍ତ କରାଯିବନି। ପୂର୍ବରୁ ଓଡ଼ିଶା ବିକାଶ ଅଭିଯାନ ବି ଆଇଜିଆରଙ୍କୁ ଭେଟି ଏଭଳି ବାଗରେ ଜନତାଙ୍କୁ ଶୋଷଣ କରାଯାଉଥିବାର ନଜିର ଦେଇଥିଲା। ଆଉ ସମସ୍ତ ସବ-ରେଜିଷ୍ଟ୍ରାର ଅପିସ ଆଗରେ ଓଡ଼ିଆରେ ପାର୍ଟ-ପ୍ଲଟ କିଣାବିକାରେ କେଉଁ ନିୟମ ରହିଛି, ସ୍ପଷ୍ଟ ଭାବେ ନୋଟିସ ମାରିବାକୁ ଅପିଲ୍ କରିଥିଲା। ଏମିତି ହେଲେ ନା କେହି ଲୋକଙ୍କୁ ଠକିପାରିବେ ନା ଶୋଷଣ କରିପାରିବେ ବୋଲି କହିଥିଲେ ଓଡ଼ିଶା ବିକାଶ ଅଭିଯାନର ମ୍ୟାନେଜିଂ ଟ୍ରଷ୍ଟି ପ୍ରଦୀପ କୁମାର ସାହୁ। ପାର୍ଟ-ପ୍ଲଟ କିଣାବିକା ନେଇ କ୍ଲିଅରକଟ୍ ଗାଇଡଲାଇନ୍ ନଥିବାରୁ ରେରା ଭୟ ଦେଖାଇ ଅତୀତରେ ଲୋକଙ୍କୁ କେମିତି ଶୋଷଣ କରାଯାଉଥିଲା, ଏହା କେବଳ ଭାତ ହାଣ୍ଡିରୁ ଗୋଟିଏ ଚିପୁଡ଼ିଲା ଭଳି। ଏ ନେଇ ରେରା ଆକ୍ଟିଭିଷ୍ଟ ବିମଳେନ୍ଦୁ ପ୍ରଧାନ ବି ବିଭିନ୍ନ ଫୋରମର ଦୃଷ୍ଟି ଆକର୍ଷଣ କରିଛନ୍ତି। ରେରା ଫି ରୁ ବର୍ତ୍ତିବାକୁ ନାନା ଫନ୍ଦି ହେଉଥିଲା। ପାର୍ଟ ଚାଷ ଜମି କିଣାବିକାକୁ ନେଇ ଅନେକ ପ୍ରତିବନ୍ଧକ ଥିବାରୁ ଲୋକେ ନାହିଁ ନଥିବା ହଇରାଣ ହେଉଥିଲେ। ଏବେ ସିନା ସରକାରଙ୍କ ନାଲିଆଖି ଓ ତାଗିଦ ଦେଖି ପାର୍ଟ-ପ୍ଲଟ ରେଜିଷ୍ଟ୍ରେସନର ବାଟ ଖୋଲିଛି। କିନ୍ତୁ ଆଗରୁ ଅନେକ ଗଳା ବାଟରେ ଟଙ୍କା ଦେଇ କରାଇନେଉଥିଲେ। କିନ୍ତୁ ଯିଏ ଟଙ୍କା ଦେଇପାରୁନଥିଲା, ସେ ହାତ ବାନ୍ଧି ବସୁଥିଲା। ଗଲା ଏପ୍ରିଲ ମାସର ଏ ଘଟଣା ହିଁ ପ୍ରମାଣିତ କରୁନି କି। ନିୟମର ସ୍ପଷ୍ଟତା ନରଖି ଲୋକଙ୍କୁ କେମିତି ଶୋଷି ହୁଏ।
Naxatra News is now on Whatsapp
Join and get latest news update delivered to you via whatsapp
Join Now