ଟ୍ରମା ସେଣ୍ଟରର ଆଇସିୟୁରେ ରବିବାର ବିଳମ୍ୱିତ ରାତିରେ ଭୟଙ୍କର ଅଗ୍ନିକାଣ୍ଡ। ସର୍ଟ ସର୍କିଟରୁ ଲାଗିଥିବା ନିଆଁରେ ୮ ରୋଗୀଙ୍କ ଜୀବନ ଚାଲିଗଲା। ମୃତକଙ୍କ ଭିତରେ ୩ ମହିଳା ଅଛନ୍ତି। ଜୟପୁରର ଏସଏମଏସ ହସ୍ପିଟାଲରେ ଏଭଳି ଅଘଟଣ ଘଟିଛି। ରାତି ପ୍ରାୟ ସାଢ଼େ ୧୧ଟାରେ ଟ୍ରମା ସେଣ୍ଟରର ନ୍ୟୁରୋ ଆଇସିୟୁ ଓ୍ୱାର୍ଡର ଷ୍ଟୋରରେ ଲାଗିଥିଲା ନିଆଁ। ଏଠାରେ ପେପର, ଆଇସିୟୁର ସାମଗ୍ରୀ ଓ ରକ୍ତନମୂନା ଟ୍ୟୁବ୍ ରଖାଯାଇଥିଲା। ସର୍ଟ ସର୍କିଟରୁ ଏହି ନିଆଁ ଲାଗିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ନିଆଁ ଲାଗିବା ବେଳେ ଟ୍ରମା- ଆଇସିୟୁରେ ୧୧ ରୋଗୀ ଥିଲେ। ଆଉ ତା ପାଖ ସେମି- ଆଇସିୟୁରେ ୧୩ ରୋଗୀ ଥିଲେ। ଟ୍ରମା ଆଇସିୟୁରେ ନିଆଁ ଲାଗିବା ପରେ ନିଆଁ ଜୋରରେ ବ୍ୟାପିବାରୁ ଶ୍ୱାସରୁଦ୍ଧ ହୋଇ ରୋଗୀଙ୍କ ମୃତ୍ୟୁ ହୋଇଛି। ନିଆଁ ଲାଗିବା ପରେ ରୋଗୀଙ୍କ ସମ୍ପର୍କୀୟଙ୍କ ଭିତରେ ହଇଚଇ ଖେଳିଯାଇଥିଲା। ଆଲାର୍ମ ବାଜିଲା କ୍ଷଣି ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚିଥିଲା। ପୁରା ଓ୍ୱାର୍ଡ ଧୂଆଁମୟ ହୋଇଯାଇଥିଲା। ଭିତରକୁ ଯିବାକୁ କୌଣସି ରାସ୍ତା ନଥିଲା। ବିଲଡିଂର ଅନ୍ୟ ପାର୍ଶ୍ୱର କାଚ ଭାଙ୍ଗି ନିଆଁ ଲିଭାଇବା କାମ ଆରମ୍ଭ ହୋଇଥିଲା। ପ୍ରାୟ ଦେଢ଼ ଘଣ୍ଟା ପରେ ନିଆଁକୁ ନିୟନ୍ତ୍ରଣ କରାଯାଇପାରିଥିଲା। ସମସ୍ତ ରୋଗୀଙ୍କୁ ତୁରନ୍ତ ସିଫ୍ଟ କରାଯାଇଥିଲା। ପରିବାର ଲୋକ ଗମ୍ଭୀର ଆରୋପ ଲଦିଛନ୍ତି ଯେ, ନିଆଁ ଲାଗିବା ପରେ ରୋଗୀଙ୍କ ନିରାପତ୍ତା କଥା ଚିନ୍ତା ନ କରି ଡାକ୍ତର ଓ କମ୍ପାଉଣ୍ଡର ସେଠାରୁ ଦୌଡ଼ି ପଳାଇଥିଲେ। ସରକାର ଓ ହସ୍ପିଟାଲ ପ୍ରଶାସନ ବିରୁଦ୍ଧରେ ପୀଡ଼ିତଙ୍କ ପରିବାର ଓ ସ୍ଥାନୀୟ ଲୋକେ ହସ୍ପିଟାଲ ଆଗରେ ବିକ୍ଷୋଭ କରିଥିଲେ। ରୋଗୀଙ୍କୁ ବହୁ କଷ୍ଟରେ ଓ୍ୱାର୍ଡରୁ ରେସକ୍ୟୁ କରିଥିଲେ ଅଗ୍ନିଶମ କର୍ମଚାରୀ। ଉଦ୍ଧାର ବେଳେ ପ୍ରବଳ ଧୂଆଁରୁ ଅନେକ କର୍ମଚାରୀ ଅଚେତ ହୋଇପଡ଼ିଥିଲେ। ଡିଜିପି ରାଜୀବ ଶର୍ମା କହିଛନ୍ତି, ଏଭଳି ଘଟଣାର ଯେଭଳି ପୁନରାବୃତ୍ତି ନହେବ, ସେଥିଲାଗି କମିଟିର ସୁପାରିଶକୁ ଗ୍ରହଣ କରାଯିବ। ଜୟପୁର ସିପି ଘଟଣାର ଛାନଭିନ୍ କରିବେ। ଫରେନସିକ ଲ୍ୟାବ୍, ଅଗ୍ନିଶମ ବିଭାଗ ଓ ପୁଲିସ ମିଳିତ ତଦନ୍ତ କରିବେ। ରାତି ୩ଟାରେ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମାଙ୍କ ସମେତ ଅନେକ ନେତା ହସ୍ପିଟାଲ ପହଞ୍ଚିଥିଲେ। ଆହତ ଓ ପୀଡ଼ିତଙ୍କ ପରିବାରକୁ ଭେଟିବା ସହ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ। କେଉଁ କାରଣରୁ ଏଭଳି ଅଗ୍ନିକାଣ୍ଡ ଘଟିଲା ଓ କାହାର ଅବହେଳା ରହିଛି, ତାହାର ତଦନ୍ତ ନିର୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଅଗ୍ନିକାଣ୍ଡର ଯାଞ୍ଚ ଲାଗି ପ୍ରଶାସନ ୬ ଜଣିଆ କମିଟି ଗଠନ କରିଛି। ଏ ଘଟଣା ଲାଗି ଦିଲ୍ଲୀ ଗସ୍ତ ବାତିଲ୍ କରିଦେଲେ ମୁଖ୍ୟମନ୍ତ୍ରୀ। ପ୍ରଧାନମନ୍ତ୍ରୀ ମୋଦି ଏ ଘଟଣାର ଗଭୀର ଶୋକବ୍ୟକ୍ତ କରିଛନ୍ତି। କଂଗ୍ରେସ ନେତା ସଚିନ ପାଇଲଟ ଆରୋପ ଲଦିଛନ୍ତି ଯେ, ସରକାର ଓ ପ୍ରଶାସନର ଚରମ ଅବହେଳାରୁ ଅକାରଣରେ ରୋଗୀଙ୍କ ଜୀବନ ଗଲା। ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଲାଗି ଦାବି କରିଛି କଂଗ୍ରେସ। ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଗଭୀର ଶୋକବ୍ୟକ୍ତ କରିବା ସହ ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି। ୫ ଜଣ ରୋଗୀଙ୍କ ଅବସ୍ଥା ଏବେ ବି ସଂକଟାପନ୍ନ ରହିଛି। ମୃତ୍ୟୁ ସଂଖ୍ୟା ବଢ଼ିବାର ଆଶଙ୍କା ରହିଛି। ଅଗ୍ନିକାଣ୍ଡ ପରେ ରୋଗୀଙ୍କ ସମ୍ପର୍କୀୟଙ୍କ କାନ୍ଦବୋବାଳିରେ ଫାଟି ପଡ଼ିଥିଲା ପୁରା ହସ୍ପିଟାଲ କ୍ୟାମ୍ପସ।

Naxatra News is now on Whatsapp
Join and get latest news update delivered to you via whatsapp
Join Now