ସିଜେଆଇଙ୍କ ଉପରକୁ ଜୋତା ଫିଙ୍ଗିଲେ ଓକିଲ। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ବିଆର ଗଭାଇଙ୍କ କୋର୍ଟରେ ଆଜି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। କୋର୍ଟରେ ଶୁଣାଣୀ ଚାଲିଥିବା ବେଳେ ଜଣେ ବ୍ୟକ୍ତି ହଙ୍ଗାମା କରିଛନ୍ତି। ସିଜେଆଇଙ୍କ ଉପରକୁ ଜୋତା ଫିଙ୍ଗିବାକୁ ଉଦ୍ୟମ ବେଳେ ସୁରକ୍ଷାକର୍ମୀ ତାକୁ କାବୁ କରି କୋର୍ଟ ରୁମରୁ ବାହାର କରିଦେଇଥିଲେ। ଏହି ଘଟଣା ପରେ ଅଦାଲତର କାମ କିଛି ସମୟ ଲାଗି ସ୍ଥଗିତ ହୋଇଥିଲା। ଅବଶ୍ୟ ପରେ ସୁଚାରୁ ରୂପେ ଆରମ୍ଭ ହୋଇଥିଲା। ଏହି ଘଟଣାକୁ ନେଇ ସିଜେଆଇ କହିଛନ୍ତି, ଏଭଳି କୌଣସି ଘଟଣା ତାଙ୍କୁ ଫରକ୍ ପକାଏନା। ଏ ସବୁ ଉପରେ ଧ୍ୟାନ ଦେବା ଅନାବଶ୍ୟକ। ମାମଲାର ଗମ୍ଭୀରତା ଦୃଷ୍ଟିରୁ ତୁରନ୍ତ ଆକ୍ସନ ନେବା ସହ କୋର୍ଟ ପରିସରରେ ସୁରକ୍ଷା ବଢ଼ାଇ ଦିଆଯାଇଛି। ଓକିଲ ବେଶରେ ସଂପୃକ୍ତ ବ୍ୟକ୍ତି ଡେସ୍କ ପାଖକୁ ଯାଇଥିଲା। ଆଉ ଜୋତା ବାହାର କରି ସିଜେଆଇଙ୍କ ଉପରକୁ ଫିଙ୍ଗିବାକୁ ପ୍ରୟାସ କରିଥିଲା। କୋର୍ଟ ରୁମ୍ ବାହାରକୁ ସୁରକ୍ଷାକର୍ମୀ ନେଉଥିଲା ବେଳେ ସନାତନ ଧର୍ମର ଅପମାନ ହିନ୍ଦୁସ୍ତାନ ସହିବନି ବୋଲି ନାରା ଦେଇଥିଲା। ଅଭିଯୁକ୍ତ ଓକିଲର ନାଁ ରାକେଶ କିଶୋର। ସୁପ୍ରିମକୋର୍ଟ ବାର୍ ଆସୋସିଏସନରେ ୨୦୧୧ରେ ସେ ନିଜ ନାଁକୁ ପଞ୍ଜୀକୃତ କରିଛି। ଏହି ଘଟଣାକୁ ଓକିଲ ସଂଘ ତୀବ୍ର ନିନ୍ଦା କରିଛି। ସୁପ୍ରିମକୋର୍ଟ ଆଡଭୋକେଟ ଅନ ରେକର୍ଡ ଆସୋସିଏସନ ନିଜ ଆଡ଼ୁ ସଂଜ୍ଞାନ ନେଇ ସଂପୃକ୍ତ ଓକିଲ ବିରୁଦ୍ଧରେ କୋର୍ଟ ଅବମାନନା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛି ସଂଘ। ତେବେ ନିକଟରେ ଖଜୁରାହରେ ୭ ଫୁଟର ଭଗବାନ ବିଷ୍ଣଙ୍କ ଖଣ୍ଡିତ ପ୍ରତିମାକୁ ପୁନଃସ୍ଥାପନା ନେଇ ହୋଇଥିବା ମାମଲାରେ ସିଜେଆଇ ଦେଇଥିବା ମନ୍ତବ୍ଯକୁ ନେଇ ଏଭଳି ବିରୋଧ ବୋଲି ଚର୍ଚ୍ଚା ହେଉଛି। ସିଜେଆଇ ମାମଲାକୁ ଖାରଜ କହି କହିଥିଲେ କି, ଆବେଦନକାରୀ ନିଜେ ଯାଇ ତାଙ୍କ ଭଗବାନଙ୍କୁ କୁହନ୍ତୁ ସେ ଯଦି କିଛି କରିପାରିବେ। ଏହି ମୂର୍ତ୍ତି ପ୍ରତ୍ନତତ୍ତ୍ୱବିତ ସ୍ଥଳର ଅଟେ ଓ ଏହି ମାମଲା ଏଏସଆଇର ଅଧିକାର କ୍ଷେତ୍ର ପରିସରଭୁକ୍ତ ଅଟେ। ତେବେ ସିଜେଆଇଙ୍କ ଏହି ଅବଜରଭେସନ ସୋସିଆଲ ମିଡିଆରେ ବିବାଦର ଆଧାର ସାଜିଥିଲା। ସିଜେଆଇ ଧାର୍ମିକ ଭାବାବେଗକୁ ଆଘାତ ପହଞ୍ଚାଉଥିବା ନେଇ ଅନେକ ୟୁଜର୍ସ ଆରୋପ ଲଦିଥିଲେ। ତେବେ ବିବାଦ ଉଠିବା ପରେ ସିଜେଆଇ ଓପନ କୋର୍ଟରେ କହିଥିଲେ, ସେ ସମସ୍ତ ଧର୍ମକୁ ସମ୍ମାନ ଦିଅନ୍ତି। ଅସମ୍ମାନ କେବଳ ସୋସିଆଲ ମିଡିଆରେ ହୁଏ।
Naxatra News is now on Whatsapp
Join and get latest news update delivered to you via whatsapp
Join Now