ଦିଲ୍ଲୀ ବିସ୍ଫୋରଣ: ଏନଆଇଏକୁ ତଦନ୍ତ ଭାର- ଖୋଜିବ ଖିଅ

ଦିଲ୍ଲୀ ବିସ୍ଫୋରଣରେ ଷଡ଼ଯନ୍ତ୍ରକାରୀଙ୍କୁ ଛଡ଼ାଯିବନି। ଦୋଷୀଙ୍କୁ ନିସ୍ତାର ନାହିଁ। କାଲିର ଘଟଣା ପୁରା ଦେଶକୁ ବ୍ୟଥିତ କରିଛି। ଭୂଟାନ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ କହିଛନ୍ତି, ସେ ସେଠାକୁ ଦୁଃଖୀ ମନରେ ଯାଇଛନ୍ତି। ପୁରା ଦେଶ ପୀଡ଼ିତ ପରିବାର ସହ ଛିଡ଼ା ହୋଇଛି। ଲାଲକିଲ୍ଲା ପାର୍କିଂରେ ଥିବା କାରରେ ସୋମବାର ସଂଧ୍ୟାରେ ବିସ୍ଫୋରଣରୁ ୧୩ଜଣଙ୍କ ମୃତ୍ୟୁ ହୋଇଛି। ଅନେକ ଆହତ ହୋଇଛନ୍ତି। ଆହତଙ୍କୁ ଏଲଏନଜେପି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ହସ୍ପିଟାଲ ଯାଇ ଆହତଙ୍କ ଅବସ୍ଥା ବୁଝିବା ସହ ଘଟଣାସ୍ଥଳ ପରିଦର୍ଶନ କରିଥିଲେ ଗୃହମନ୍ତ୍ରୀ ଅମିତ ଶାହା। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି, ଦୋଷୀଙ୍କୁ କଠୋର ଦଣ୍ଡ ଦିଆଯିବ। କେହି ନିସ୍ତାର ପାଇବେନି। ପ୍ରମୁଖ ଯାଞ୍ଚ ଏଜେନ୍ସି ଏହି ଘଟଣାରେ ତୀବ୍ର ଗତିରେ ଯାଞ୍ଚ କରୁଛି। ତଦନ୍ତ ରିପୋର୍ଟ ସାର୍ବଜନୀନ କରାଯିବ। ଲାଲକିଲ୍ଲା ମେଟ୍ରୋ ଷ୍ଟେସନ ପାଖରେ ହୋଇଥିବା ବିସ୍ଫୋରଣରେ ଏନଆଇଏ ଟିମ୍ ପହଞ୍ଚିଥିଲା। ଏନଏସଜି କମାଣ୍ଡୋ ପହଞ୍ଚି ତନାଘନା କରିଥିଲା। ଏହା ସହ କ୍ରାଇମବ୍ରାଞ୍ଚ ଚିମ୍ ବି କିଛି ସନ୍ଦିଗ୍ଧଙ୍କୁ ଅଟକ ରଖି ପଚରାଉଚୁରା କରିଛି। ବିସ୍ଫୋରଣରେ ବ୍ୟବହୃତ ଆଇ-୨୦ କାର୍ ସଲମାନ ନାଁରେ ପଞ୍ଜୀକୃତ ହୋଇଛି। ତାଙ୍କ ଘର ଗୁରୁଗ୍ରାମରେ। ସେ ଭଡ଼ାରେ ରହୁଥିଲା। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ବିଆର ଗଭାଇ ବିସ୍ଫୋରଣରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ନଭେମ୍ୱର ୧୩ ଯାଏଁ ପର୍ଯ୍ୟଟକଙ୍କୁ ଲାଲକିଲ୍ଲାରେ ଏଣ୍ଟ୍ରି ବନ୍ଦ କରାଯାଇଛି। କଂଗ୍ରେସ ନେତା ନାନୋ ପାଟୋଲ କହିଛନ୍ତି, ଏ ଘଟଣା ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ। ପୀଡ଼ିତ ପରିବାରକୁ ଗଭୀର ସମବେଦନା ଜଣାଇବା ସହ ପଚାରିଛି- କାହିଁକି ବିଜେପି ଓ କେନ୍ଦ୍ର ସରକାର ଅପରେସନ ସିନ୍ଦୂର ନାଁରେ ପହଲଗାଁଓ ଆତଙ୍କି ଆକ୍ରମଣକୁ ରାଜନୀତିକରଣ କରିଥିଲେ। ଯେତେବେଳେ ରାଜଧାନୀ ଦିଲ୍ଲୀ ସୁରକ୍ଷିତ ନୁହେଁ, ତଥାକଥିତ ୫୬ ଇଞ୍ଚ ଛାତିର ବ୍ୟକ୍ତି ଏହାର ଜବାବ ରଖିବା ଜରୁରୀ। ତେଜସ୍ୱୀ କହିଛନ୍ତି, ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ସବୁଠୁ ମହତ୍ତ୍ୱପୂର୍ଣ୍ଣ, ଏଥିରେ କମ୍ପ୍ରମାଇଜ୍ କରାଯାଇପାରିବନି। ବିସ୍ଫୋରଣର କାରଣ ତଦନ୍ତକାରୀ ଏଜେନ୍ସି ବାହାର କରିବ। ସରକାର ଏହାର ନିରପେକ୍ଷ ତଦନ୍ତ କରି କଡ଼ାରୁ କଡ଼ା ଆକ୍ସନ ନିଅନ୍ତୁ। ଆଜାଦ ଅଧିକାର ସେନା ଇଲେକଟ୍ରୋନିକ୍ସ ମିଡିଆ ଓ ପୁଲିସ କର୍ମୀଙ୍କୁ ଟାର୍ଗେଟ କରିଛି। ଘଟଣାସ୍ଥଳରେ ଥିବା ସାକ୍ଷୀଙ୍କୁ ନ୍ୟୁଜ ଚ୍ୟାନେଲ୍ ପ୍ରଭାବିତ କରିବା ଓ ପୁଲିସର ଅବହେଳାକୁ ଦାୟୀ କରି ଆକ୍ସନ ନେବାକୁ ଗୃହମନ୍ତ୍ରୀଙ୍କୁ ଚିଠି ଲେଖି ଫେରାଦ୍ ହୋଇଛନ୍ତି ଅମିତାଭ ଠାକୁର।  ଜେଏମଏମ ସାଂସଦ ମହୁଆ ମାଜି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସରକାରଙ୍କ ନାକ ତଳେ ଓ ବିହାର ଭୋଟର ଦିନକ ପୂର୍ବରୁ କେମିତି ଏତେ ବଡ଼ ଧରଣର ବିସ୍ଫୋରଣ ହେଲା। ଏହା ସଂଯୋଗ ନା ଷଡ଼ଯନ୍ତ୍ର। ବିଜେପି କହିଛି, ଏଭଳି ସମ୍ୱେଦନଶୀଳ ଘଟଣାରେ ରାଜନୀତି ଶୋଭା ପାଉନି। ଦିଲ୍ଲୀ ବିସ୍ଫୋରଣରେ ବଡ଼ ଖୁଲାସା ଆସିଛି। ହାଇ ଇଣ୍ଟେନସିଟି କେମିକାଲ ବମ୍ ବ୍ୟବହାର ହୋଇଥିଲା। ମୁଖ୍ୟ ସନ୍ଦିଗ୍ଧ ଆକ୍ରମଣକାରୀ ଭାବେ ଡାକ୍ତର ଉମର ବୋଲି କୁହାଯାଉଛି। ଡାକ୍ତର ଉମର ଫରିଦାବାଦ ଟେରର ମଡ୍ୟୁଲର ପାର୍ଟ ଅଟନ୍ତି। ତାଙ୍କୁ ଫୋକସରେ ରଖି ତଦନ୍ତ ଜାରି ରହିଛି। ସିସିଟିଭିରେ ସନ୍ଦିଗ୍ଧର ଫଟୋ ପଦାକୁ ଆସିଛି। ମସଜିଦ୍ ପାଖରେ ୩ଘଣ୍ଟା ଧରି ପାର୍କିଂରେ କାର୍ ଛିଡ଼ା ହୋଇଥିଲା। ଆଉ ବାହାରିବାର ମାତ୍ର ୪ ମିନିଟ୍ ପରେ ବିସ୍ଫୋରଣ ହୋଇଥିଲା। ଦିଲ୍ଲୀ ବ୍ଲାଷ୍ଟ ମାମଲାରେ ପୁଲିସ ବଡ଼ ଆକ୍ସନ ନେଇଛି। ଏହି ମାମଲାରେ ଡାକ୍ତର ଉମର ଅହମ୍ମଦଙ୍କ ମାଆ ଓ ତାଙ୍କ ଦୁଇ ଭାଇଙ୍କୁ ଗିରଫ କରିଛି ପୁଲିସ। ଏହି ଗିରଫଦାରୀ ଜମ୍ମୁକଶ୍ମୀରରେ ପୁଲଓ୍ୱାମାରୁ ହୋଇଛି। ଜମ୍ମୁକଶ୍ମୀର ଓ ହରିଆଣା ପୁଲିସ ଉମରକୁ ଖୋଜୁଛି। ଆଉ ଏହି ହଡ଼ବଡ଼ିରେ କାରରେ ଡିଟୋନେଟର ଲଗାଇ ଲାଲକିଲ୍ଲାର ମେଟ୍ରୋ ଷ୍ଟେସନର ୧ ନମ୍ୱର ଗେଟ୍ ସାମ୍ନାରେ ବିସ୍ଫୋରଣ କରିଥିଲା। ଗୃହମନ୍ତ୍ରୀ ଅମିତ ଶାହା ଉଚ୍ଚସ୍ତରୀୟ ବୈଠକ କରିଛନ୍ତି। ଏହି ମିଟିଂରେ ଦିଲ୍ଲୀ ପୁଲିସ, ଆଇବି, ଏନଆଇଏ ଅଧିକାରୀ ସାମିଲ ହୋଇଥିଲେ। ବୁଧବାର ସୁରକ୍ଷା ସଂକ୍ରାନ୍ତୀୟ କ୍ୟାବିନେଟ୍ ବୈଠକ ଡାକିଛନ୍ତି ସରକାର।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *