ମୁମ୍ୱାଇ ଆତଙ୍କବାଦୀ ଆକ୍ରମଣକୁ ଆଜି ପୁରିଲା ୧୭ ବର୍ଷ। ୨୬ ନଭେମ୍ୱର ୨୦୦୮ରେ ଆତଙ୍କି ଆକ୍ରମଣରେ ଶହୀଦଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସର୍ବୋଚ୍ଚ ବଳିଦାନ ଦେଇଥିବା ଶହୀଦଙ୍କୁ ସ୍ମରଣ କରିବା ସହ ସମସ୍ତ ପ୍ରକାର ଆତଙ୍କବାଦର ମୁକାବିଲା ଲାଗି ଭାରତ ପ୍ରତିବଦ୍ଧ ବୋଲି କହିଛନ୍ତି ରାଷ୍ଟ୍ରପତି। ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି,ଆତଙ୍କବାଦ କେବଳ ଗୋଟିଏ ଦେଶ ପାଇଁ ନୁହେଁ, ବରଂ ପୁରା ମାନବଜାତି ପାଇଁ ଅଭିଶାପ। ଆତଙ୍କବାଦ ବିରୁଦ୍ଧରେ ସରକାରଙ୍କ ଶୂନ୍ୟ ସହନଶୀଳ ନୀତି ସ୍ପଷ୍ଟ ରହିଛି। ରକ୍ଷା ମନ୍ତ୍ରୀ ରାଜନାଥ ସିଂ ପୁଲିସ ଓ ସୁରକ୍ଷାବଳର ଅଦମ୍ୟ ସାହସକୁ ପ୍ରଶଂସା କରିବା ସହ ଅତୁଟ ସଂକଳ୍ପ ନେଇ ଯେଭଳି ଆତଙ୍କବାଦର ସାମ୍ନା କଲେ। ସେଭଳି ବଳିଦାନ ଆତଙ୍କବାଦ ବିରୁଦ୍ଧରେ ଲଢେଇକୁ ଅଧିକ ମଝଭୁତ କଲା। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ୬୦ ଘଣ୍ଟା ଧରି ଆତଙ୍କବାଦୀ ମୁମ୍ୱାଇକୁ କବଜାକୁ ନେଇଯାଇ ଆତଙ୍କ ଖେଳାଇଥିଲେ। ଆଉ ଆତଙ୍କବାଦୀଙ୍କୁ ମୂଳପୋଛ କରିବା ଅଭିଯାନ ନଭେମ୍ୱର ୨୯ରେ ସରିଥିଲା। ଏହି ଆତଙ୍କି ଆକ୍ରମଣରେ ୧୬୬ ଜଣଙ୍କ ମୃତ୍ୟୁ ହୋଇଥିଲା। ୯ ଆତଙ୍କବାଦୀ ମରିଥିଲେ। ଏଥିରେ ପୁଲିସ ଓ ସୁରକ୍ଷା ବଳର ୧୮ ଶହୀଦ ହୋଇଥିଲେ। ଏମାନଙ୍କ ଭିତରେ ଏଟିଏସ ମୁଖ୍ୟ ହେମନ୍ତ କରକରେ, ଅଶୋକ କାମଟେ, ବିଜୟ ସାଲସ୍କର, ମେଜର ସନ୍ଦୀପ ଉନ୍ନିକୃଷ୍ଣନ, ତୁକାରାମ ଓମ୍ୱଲେ ପ୍ରମୁଖ ଥିଲେ। କସାବ ଓ ତା ସାଥୀ ଇସ୍ମାଇଲ ପ୍ଲାଟଫର୍ମରେ ଏକେ-୪୭ରେ ଅନ୍ଧାଧୁନିଆ ଗୁଳି ଚଳାଇଥିଲେ। ଏଥିରେ ୫୮ଜଣଙ୍କ ମୃତ୍ୟୁ ସହ ଶତାଧିକ ଆହତ ହୋଇଥିଲେ। ହୋଟେଲ ତାଜ ଓ ଓବରଏରେ ପଶି ୨୬ ବିଦେଶୀ ନାଗରିକଙ୍କୁ ମାରିଥିଲେ। ଆମେରିକା, ବ୍ରିଟିଶ, ଜାପାନୀ, ଇସ୍ରାଏଲି ନାଗରିକ ଥିଲେ। ତାଜରେ ୩୦ ଜଣଙ୍କ ମୃତ୍ୟୁ ହୋଇଥିଲା। ଏକ ମାତ୍ର ଆତଙ୍କବାଦୀ କସାବକୁ ଜୀବିତ ଭାବେ ଗିରଫ କରାଯାଇଥିଲା। ଏଏସଆଇ ତୁକାରାମ ନିଜ ଜୀବନକୁ ବାଜି ଲଗାଇ କସାବକୁ ଗିରଫ କରିଥିଲେ। କସାବର ବନ୍ଧୁକକୁ ଛଡ଼ାଇ ତାକୁ କାବୁ କରିଥିଲେ। ଅଜମଲ କସାବକୁ ଜେରା ବେଳେ ସେ ମାନିଥିଲା, ଏହି ଯୋଜନା ପାକିସ୍ତାନରୁ ହୋଇଥିଲା। ଆତଙ୍କି ଆକ୍ରମଣର ମୁଖ୍ୟ ଯାଞ୍ଚ ଅଧିକାରୀ ରମେଶ ମହାଲେଙ୍କ ଆଗରେ ସ୍ୱୀକାରୋକ୍ତି ଦେଇଥିଲା କସାବ। ନଭେମ୍ୱର ୨୧, ୨୦୧୨ରେ କସାବକୁ ଫାଶୀ ଦିଆଯାଇଥିଲା। ମୁମ୍ୱାଇ ଆକ୍ରମଣ ଦିନ ତାଜ ପ୍ୟାଲେସ ହୋଟେଲର ଆସିଷ୍ଟାଣ୍ଟ ବଙ୍କେଟ ହଲ୍ ମ୍ୟାନେଜର ମଲ୍ଲିକା ଜଗାଦ ସାହାସ ଦେଖାଇ ୬୦ରୁ ଅଧିକ ଭିଆଇପି ଅତିଥିଙ୍କୁ ସୁରକ୍ଷିତ ଜାଗାରେ ଲୁଚାଇ ରଖିଥିଲେ। ଲାଇଟ ବନ୍ଦ କରିବାରୁ ଆତଙ୍କୀ ଅତିଥିଙ୍କ ଗତିବିଧି ଜାଣିପାରିନଥିଲେ। ଆତଙ୍କବାଦୀଙ୍କୁ ମୁକାବିଲା ବେଳେ ପ୍ରଥମ ଥର ମିଡିଆକୁ ଲାଇଭ କଭରେଜ ପାଇଁ ବାରଣ କରାଗଲା। ସୁରକ୍ଷା ସହ ଜଡ଼ିତ କୌଣସି ଅଭିଯାନର ଲାଇଭ କଭରେଜ ହେବନି। ଗ୍ଲୋବାଲ ଶାନ୍ତି ସମ୍ମାନ ମଞ୍ଚରେ ଶାହାରୁଖ କହିଛନ୍ତି, ଦେଶର ସୁରକ୍ଷା ଲାଗି କାମ କରୁଛି ବୋଲି ସମସ୍ତଙ୍କ ମୁହଁରେ ଏହି ଭାବନା ରହିବା ଜରୁରୀ।ପାକିସ୍ତାନର କରାଚି ସମୁଦ୍ର ତଟରୁ ୧୦ ଆତଙ୍କବାଦୀ ଆସିଥିଲେ। ସେମାନଙ୍କୁ ୫ ଯୋଡ଼ି କରି ୧୦ହଜାର୮ଶହ ଟଙ୍କା ଓ ଏକ ମୋବାଇଲ ଫୋନ୍ ଦିଆଯାଇଥିଲା। ଛୋଟ ଡଙ୍ଗାରେ ସମସ୍ତଙ୍କୁ ମୁମ୍ୱାଇ ପଠାଯାଇଥିଲା। ଆଉ ମୁମ୍ୱାଇ ଆସି ଏଭଳି ଆତଙ୍କ ରଚିଥିଲେ। ଏହି ଆକ୍ରମଣ ପରେ ଭାରତ ନିଜର ତଟସୁରକ୍ଷା, ଆତଙ୍କବାଦ ଗତିବିଧିକୁ ମୁକାବିଲା ଲାଗି ଅନେକ ଅତ୍ୟାଧୁନିକ କୌଶଳ ଆପଣାଇଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now