ବ୍ରେକଫାଷ୍ଟ ମିଟିଂ ପରେ ଲାଗିଲା କର୍ଣ୍ଣାଟକ ସଂକଟରେ ବ୍ରେକ୍। କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ଚୌକିକୁ ନେଇ ଲାଗିଥିବା ବିବାଦ ଶେଷରେ ଥମିଛି। ଉପ-ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କ ସହ ଏକାଠି ଜଳଖିଆ କରି ଏହି ବିବାଦ, ବିଦ୍ରୋହର ବହ୍ନିକୁ ଲିଭାଇଛନ୍ତି ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା। ସିଏମ ଆବାସରେ ଜଳଖିଆ ଟେବୁଲରେ ଉଭୟଙ୍କ ଭିତରେ ବୁଝାମଣା ହୋଇଛି। ଆଉ ମତଭେଦ ଦୂର ହୋଇଛି ବୋଲି ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା। ଆମ ଭିତରେ ନା ମତଭେଦ ଥିଲା ନା ଅଛି ନା ଆଗକୁ ହେବ ବୋଲି କହିଛନ୍ତି ସିଦ୍ଧରମେୟା। କଂଗ୍ରେସ ମହାସଚିବ କେସି ବେନୁଗୋପାଳ ଏଥିରେ ହସ୍ତକ୍ଷେପ କରିଥିଲେ। ଶିବକୁମାରଙ୍କୁ ବ୍ରେକଫାଷ୍ଟ ଲାଗି ଡାକିବାକୁ କହିଥିଲେ। ଏହି ବୈଠକ ପଛର ରହସ୍ୟ ଥିଲା, ଉଭୟଙ୍କ ଭିତରେ ଥିବା ଭ୍ରମକୁ ସମାପ୍ତ କରିବା। ୨୦୨୮ ସାଧାରଣ ନିର୍ବାଚନ ଓ ସ୍ଥାନୀୟ ପୌର ନିର୍ବାଚନ ଏବେ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ। ୮ ତାରିଖରୁ ବିଧାନସଭା ଅଧିବେଶନ ଆରମ୍ଭ ହେବ। ଆଉ ତା ପୂର୍ବରୁ ଏ ବିବାଦ ତୁଟାଇବା ଜରୁରୀ ଥିଲା। ବିରୋଧୀଙ୍କୁ ମୁକାବିଲା କରିବାକୁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା। ବିରୋଧୀ ଅନାସ୍ଥା ପ୍ରସ୍ତାବ ଆଣିବେ। ଶାସକ ଦଳର ସଂଖ୍ୟା ୧୪୦ ଓ ବିରୋଧୀ ୪୨। ଜେଡିଏସ ଓ ବିଜେପି ମିଶିଲେ ୮୨ ହେବେ। ସେମାନେ ସରକାରଙ୍କ ଲାଗି କୌଣସି ବିପଦ ନୁହେଁ। ମୁଖ୍ୟମନ୍ତ୍ରୀ ପଦ ଅଢ଼େଇ ବର୍ଷ ଲେଖାଏଁ ହୋଇଥିବା ବୁଝାମଣା ଉପରେ ସିଦ୍ଧରମେୟା କହିଛନ୍ତି, ହଇକମାଣ୍ଡ ଯାହା କହିବେ, ତାକୁ ଅନୁପାଳନ କରିବୁ। କର୍ଣ୍ଣାଟକ କଂଗ୍ରେସ ସଭାପତି ତଥା ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର କହିଛନ୍ତି, ସମସ୍ତଙ୍କ ସହଯୋଗରେ କଂଗ୍ରେସ କର୍ଣ୍ଣାଟକରେ କ୍ଷମତାକୁ ଆସିଛି। ଜନତାଙ୍କୁ ଦେଇଥିବା ପ୍ରତିଶୃତି ପାଳିବା ସରକାରଙ୍କ ପ୍ରଥମ କର୍ତ୍ତବ୍ୟ। ହାଇକମାଣ୍ଡ ଯେମିତି ନିର୍ଦେଶ ଦେବେ, ତାକୁ ମାନିବୁ। ଏଠି କୌଣସି ପ୍ରକାର ବିଦ୍ରୋହୀ ନାହାନ୍ତି। କର୍ଣ୍ଣାଟକ ମନ୍ତ୍ରୀ ପ୍ରିୟଙ୍କ ଖଡ଼ଗେ କହିଛନ୍ତି, କଂଗ୍ରେସ ସଠିକ୍ ସମୟରେ ହସ୍ତକ୍ଷେପ କରି ପରିସ୍ଥିତିକୁ ସମ୍ଭାଳିନେଲା। ଦଳୀୟ ହାଇକମାଣ୍ଡଙ୍କ ଟାଇମିଂକୁ ପ୍ରଶଂସା କରାଯାଇଛି। କର୍ଣ୍ଣାଟକରେ ନେତୃତ୍ୱ ପରିବର୍ତ୍ତନ ପାଇଁ କୌଣସି ନିର୍ଦେଶ ଆସିନି। ମୁଖ୍ୟମନ୍ତ୍ରୀ ବଦଳିବେ ବୋଲି କୌଣସି ନିଷ୍ପତ୍ତି ହୋଇନି। ବିଜେପି ଓ ଜେଡିଏସ କହିଛି, ଏହା ବ୍ରେକଫାଷ୍ଟ ମିଟିଂ ନଥିଲା। ବରଂ ବ୍ରେକ୍ ଅପ୍ ମିଟିଂ। ଆଉ ଆଗକୁ ବ୍ରେକଅପର ଏହା ସଙ୍କେତ ଦେଲା। ସିଦ୍ଧରମେୟା ଓ ଶିବକୁମାର କହୁଛନ୍ତି, ସେମାନଙ୍କ ଭିତରେ କୌଣସି ଇସ୍ୟୁ ନାହିଁ। ତାହେଲେ ଏଆଇସିସି ଅଧ୍ୟକ୍ଷ ଖଡ଼ଗେ କେମିତି କହିଥିଲେ, ଦୁହିଁଙ୍କ ଭିତରେ ଥିବା ଅନେକ ଇସ୍ୟୁର ସମାଧାନ ଜରୁରୀ। ଗୃହମନ୍ତ୍ରୀ ପରମେଶ୍ୱର କେମିତି କହିଥିଲେ, ସୁଯୋଗ ଦେଲେ ସେ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନିର୍ବାହ କରିବାକୁ ଇଛୁକ। ପରମେଶ୍ୱରଙ୍କୁ ମୁଖ୍ୟମନ୍ତ୍ରୀ କରିବା ଦାବିରେ ତାଙ୍କ ସମର୍ଥକ ନାରାବାଜି କରିଥିଲ। ମନ୍ତ୍ରୀ ଶିବାନନ୍ଦ ପାଟିଲ ବି ଶିବକୁମାରଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ସମର୍ଥନ କରିବେ ବୋଲି କହିଥିଲେ। ସିଦ୍ଧରମେୟା ଓ ଶିବକୁମାରଙ୍କ ଭିତରେ ଟ୍ୱିଟ୍ ୱାର୍ ସମସ୍ତେ ଦେଖିଛନ୍ତି। ଏବେ ସିଦ୍ଧରମେୟାଙ୍କୁ ବେଷ୍ଟ ଆକ୍ଟର ଓ ଶିବକୁମାରଙ୍କୁ ସପୋର୍ଟିଂ ଆକ୍ଟରରେ ପୁରଷ୍କୃତ କରିବା କଥା। ବ୍ରେକଫାଷ୍ଟ ଟେବୁଲର ମେନୁରେ କର୍ଣ୍ଣାଟକ ଜନତାଙ୍କ ସମସ୍ୟା ନଥିଲା। ଏହା କେବଳ ସେମାନଙ୍କ ରାଜନୀତି ଲାଗି ଉଦ୍ଦିଷ୍ଟ ଥିଲା। କେନ୍ଦ୍ରମନ୍ତ୍ରୀ ଏଚଡି କୁମାରସ୍ୱାମୀ କହିଛନ୍ତି,ଏହା ତୁଛା ଡ୍ରାମା। ଫାଇନାଲ ଷ୍ଟେଜରେ କଅଣ ହେବାକୁ ଯାଉଛି, ଅପେକ୍ଷା କରନ୍ତୁ।କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଗାଦିକୁ ନେଇ ବେଶ୍ ଦୀର୍ଘଦିନ ହେଲା ସିଦ୍ଧରମେୟା ଓ ଶିବକୁମାର ଗୋଷ୍ଠୀ ଭିତରେ ଚାଲିଥିଲା ଛକାପଞ୍ଝା। ଆଉ ଆଜି ବ୍ରେକଫାଷ୍ଟ ଟେବୁଲରେ ଏହା ତୁଟିଲା ବୋଲି ଉଭୟ ଦାବି କରୁଥିଲା ବେଳେ ବିରୋଧୀ ଏହାକୁ ଗ୍ରହଣ କରିପାରୁନାହାନ୍ତି।

Naxatra News is now on Whatsapp
Join and get latest news update delivered to you via whatsapp
Join Now