ମାନବାଧିକାର ଦିବସରେ ମାନବତାର ମନ୍ତ୍ର- ବାସ୍ତବତା କେତେ ?

ଆଜି ବିଶ୍ୱମାନବାଧିକାର ଦିବସ। ଡିସେମ୍ୱର ୧୦ରେ ପ୍ରତିବର୍ଷ ଏହା ପାଳନ କରାଯାଏ। ଜାତିସଂଘ ଦ୍ୱାରା ଘୋଷିତ ଏହି ତାରିଖ ଲୋକଙ୍କ ଅଧିକାରକୁ ମହତ୍ତ୍ୱ ଓ ତାକୁ ରକ୍ଷା କରିବାର ପ୍ରତୀକ ଅଟେ। ୧୯୪୮ରେ ଆରମ୍ଭ ହୋଇଥିଲା ସତ। କିନ୍ତୁ ୧୯୫୦ରେ ଜାତିସଂଘ ଏହାକୁ ଅଧିକାରୀକ ସ୍ତରରେ ଘୋଷଣା କରିଥିଲା। ଅଧିକାର, ସ୍ୱାଧୀନତା, ଗୁଲାମିରୁ ମୁକ୍ତି, ଆଇନ ଆଗରେ ସମାନତା, ନିରପେକ୍ଷ ଶୁଣାଣୀର ଅଧିକାର, ଅଭିବ୍ୟକ୍ତି, ଧର୍ମର ସ୍ୱତନ୍ତ୍ରତା ଓ ଶାନ୍ତି ପ୍ରତିଷ୍ଠାର ମୂଳମନ୍ତ୍ରରେ ଏହା ପରିଚାଳିତ। ସର୍ବୋପରି ମଣିଷର ମୌଳିକ ଅଧିକାରକୁ ରକ୍ଷା କରିବା ଲାଗି ଏହି ଦିବସ ପାଳିତ ହୋଇଆସୁଛି। ଜନତା, ସଂଗଠନ ଓ ସରକାରଙ୍କୁ ସଚେତନ କରାଏ ଏହି ଦିନଟି। ଅଧିକାର କେବଳ କାଗଜ କଲମରେ ନୁହେଁ, ବରଂ ବାସ୍ତବିକ ଜୀବନରେ ଲାଗୁ କରିବା ଜରୁରୀ। ମାନବାଧିକାର ଉଲ୍ଲଂଘନ ମାମଲାରେ ଟପ୍ ୧୦ଟି ଦେଶ ହେଲା- ସିରିଆ, ତିମୋର ଲିସ୍ତେ, ୟମନ, ଇରାନ, ମିଆଁମାର, ସୁଡ଼ାନ, ମିସ୍ତ୍ର, ଭେନେଜୁଏଲା, ସୋମାଲିଆ ଓ ଅଲଜିରିଆ। ସେପଟେ ମାନବାଧିକାର ଦିବସ ଅବସରରେ ମାନବାଧିକାର କର୍ମୀ ପ୍ରତିବାଦ କରିଛନ୍ତି.। ରାଷ୍ଟ୍ରପତି ଫରଡିନାଣ୍ଡ ମାର୍କୋସ ଓ ଉପ ରାଷ୍ଟ୍ରପତି ସାରା ଦୁଟେରଟେଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି। ନୂଆଦିଲ୍ଲୀର ଭାରତମଣ୍ଡପମରେ ମାନବାଧିକାର ଦିବସ ଅବସରରେ ଆୟୋଜିତ ରାଷ୍ଟ୍ରୀୟ ସମ୍ମିଳନୀରେ ରାଷ୍ଟ୍ରପତି କହିଛନ୍ତି, ଭାରତ ସମସ୍ତ ମଣିଷର ଅଧିକାରକୁ ସୁରକ୍ଷା ଦେବାକୁ ପ୍ରତିବଦ୍ଧ। ପ୍ରତି ମଣିଷ ସମ୍ମାନ ଓ ମର୍ଯାଦାର ସହ ବଞ୍ଚିବା ଜରୁରୀ। ନ୍ୟାୟ ପାଇବା ତାହାର ଅଧିକାର। ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପିକେ ମିଶ୍ର କହିଛନ୍ତି, ସମସ୍ତ ମଣିଷର ସୁରକ୍ଷା ଜରୁରୀ। ଜୀବନଜୀବିକା ପାଇଁ ଯାହା ଜରୁରୀ, ସେ ସାଧନ ଯୋଗାଇଦେବା ଜରୁରୀ। ମୌଳିକ ସୁବିଧା ସହ ସାମାଜିକ ନିରାପତ୍ତା ଜରୁରୀ। ବେକାରୀ, ଦିବ୍ୟାଙ୍ଗ, ବିଧବା ଓ ବାର୍ଦ୍ଧକ୍ୟ ଭତ୍ତା ଠିକ୍ ସମୟରେ ମିଳୁଛି କି ନାହିଁ, ସମସ୍ତେ ଜାଗ୍ରତ ରହିବା ଜରୁରୀ। ଖାଦ୍ୟ, ବସ୍ତ୍ର, ବାସଗୃହ ସହ ଶିକ୍ଷା ଓ ନ୍ୟାୟ ମାନବାଧିକାରର ପ୍ରକୃତ ସ୍ୱରୂପ ଅଟେ। ସାଂସଦ ସୂଧା ମୂର୍ତ୍ତି କହିଛନ୍ତି, ସ୍ୱାଧୀନତା ଆମର ପ୍ରଥମ ପରିଚୟ। ମର୍ଯ୍ୟାଦା ଆମର ଭାଗିଦାରୀର କର୍ତ୍ତବ୍ୟ। ଦୟାଳୁ ହୋଇ ସତ ଓ ସାହାସ ଦେଖାନ୍ତୁ। ସଂସଦରେ ବିଶ୍ୱ ମାନବାଧିକାର ଦିବସ ଅବସରରେ ସମସ୍ତଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟର ସ୍ୱର ଶାଣିତ ହୋଇଛି। ସେପଟେ ବିରୋଧୀଙ୍କ କହିବା କଥା, ଆଦିବାସୀଙ୍କ ଜଙ୍ଗଲଜମି ଅଧିକାର ଆଜି କ୍ଷୁର୍ଣ୍ଣ କରାଯାଉଛି। ଚାଷୀ ହକ୍ ମାଗିଲେ ପୁଲିସ ଗୁଳି କରୁଛି। ବିସ୍ଥାପିତ ସମସ୍ୟା ବଢ଼ୁଛି ଓ ହିଂସା ଥମୁନି। ଭୋଟ ଅଧିକାର ଷଡ଼ଯନ୍ତ୍ର କରି ଛଡ଼ାଇ ନିଆଯାଉଛି। ଲଦାଖରେ ଲୋକଙ୍କୁ ନିର୍ଯାତନା ଦିଆଯାଉଛି। ବାରମୁଳା ସାଂସଦ ରସିଦ ସରକାରଙ୍କୁ ଅପିଲ୍ କରିଥିଲେ ତୁରନ୍ତ ସରକାର ଓ ବିରୋଧୀ ମିଳିତ ଭାବେ ଜମ୍ମୁକଶ୍ମୀରର ସମସ୍ୟାକୁ ମାନବାଧିକାର ଦୃଷ୍ଟିରେ ଦେଖାଯାଉ। ଏହାକୁ ରାଜନୈତିକ ଦୃଷ୍ଟିକୋଣରୁ ଦେଖାନଯାଉ। ଜମ୍ମୁକଶ୍ମୀରରେ ଶାନ୍ତି ଫେରିଆସିବା ଦାବିରେ ତିହାର ଜେଲରେ ଦିନିକିଆ ଅନଶନ କରିବାକୁ ଘୋଷଣା କରିଥିଲେ ସାଂସଦ ରସିଦ। ଉପରାଷ୍ଟ୍ରପତି କହିଛନ୍ତି, ବସୁଧୈବ କୁଟୁମ୍ୱକମ ମନ୍ତ୍ରରେ ବିଶ୍ୱାସୀ ଓ ବ୍ରତୀ ଭାରତ। ମୌଳିକ ଅଧିକାରକୁ ରକ୍ଷା ଦିଗରେ ନିର୍ବାଚିତ ପ୍ରତିନିଧି ସୁନିଶ୍ଚିତ କରିବା ଜରୁରୀ। ଏଥିଲାଗି ଅକ୍ଳାନ୍ତ ପରିଶ୍ରମ ଜରୁରୀ। ମାନବାଧିକାର ଦିବସରେ ମାନବତାର ମୂଳ ଅଧିକାରର ସୁରକ୍ଷା ଓ ପ୍ରଚାରକୁ ମହତ୍ତ୍ୱ ଦିଆଯାଇଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *