ପ୍ରଖ୍ୟାତ ଗାୟକ ଜୁବିନ ଗର୍ଗଙ୍କ ମୃତ୍ୟୁ ମାମଲାରେ ଆଜି ଆସାମ ଏସଆଇଟି ପୁଲିସ ଚାର୍ଜସିଟ୍ ଫାଇଲ୍ କରିଛି। ୬ଟି ସିନ୍ଦୁକରେ ପ୍ରମାଣ କୋର୍ଟକୁ ଅଣାଯାଇଥିଲା। ଦାଦା ପୁଅ ଭାଇଙ୍କ ନାଁ ବି ଚାର୍ଜସିଟରେ ରହିଛି। ୩ହଜାର୫ଶହ ପୃଷ୍ଠାର ଅଭିଯୋଗପତ୍ରକୁ କୋର୍ଟରେ ଦାଖଲ କରାଯାଇଛି। ଏଥିରେ ପୂର୍ବୋତ୍ତର ଭାରତ ମହୋତ୍ସବର ମୁଖ୍ୟ ଆୟୋଜକଙ୍କ ବ୍ୟତୀତ ୩ଜଣ ଅନ୍ୟ ଅଭିଯୁକ୍ତଙ୍କ ନାଁ ଉଲ୍ଲେଖ ରହିଛି। ଗର୍ଗଙ୍କ ଦାଦା ପୁଅ ଭାଇ ତଥା ନିଲମ୍ୱିତ ପୁଲିସ ଅଧିକାରୀ ସନ୍ଦୀପନ ଗର୍ଗଙ୍କ ଉପରେ ହତ୍ୟା ଷଡ଼ଯନ୍ତ୍ରର ଆରୋପ ଲାଗିଛି। ଏସଆଇଟିର ୯ ଜଣିଆ ଟିମ୍ କୋର୍ଟରେ ପହଞ୍ଚି ଚାର୍ଜସିଟ୍ ଦାଖଲ କରିଛନ୍ତି। ସେପ୍ଚେମ୍ୱର ୧୯ରେ ସିଙ୍ଗାପୁରରେ ସମୁଦ୍ରରେ ବୁଡ଼ି ଜୁବିନଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିଲା। ଏହି ସନ୍ଦିଗ୍ଧ ମୃତ୍ୟୁ ମାମଲାରେ ୭ ଜଣଙ୍କୁ ପୂର୍ବରୁ ଗିରଫ କରାହୋଇଛି। ସିଙ୍ଗାପୁର ପୁଲିସ ବି ଏହାର ସ୍ୱତନ୍ତ୍ର ଯାଞ୍ଚ କରୁଛି। ସିଙ୍ଗାପୁର ପୁଲିସ୍ କହିଥିଲା, ପ୍ରାରମ୍ଭିକ ତଦନ୍ତରୁ କୌଣସି ଅପରାଧିକ ଷଡ଼ଯନ୍ତ୍ରର ଉଦେଶ୍ୟ ସାମ୍ନାକୁ ଆସିନଥିଲା। ଆସାମ ସରକାର ଗର୍ଗ ମୃତ୍ୟୁ ମାମଲାରେ ଏସଆଇଟି ତଦନ୍ତ ନିର୍ଦେଶ ଦେଇଥିଲେ। ୩ଶହରୁ ଅଧିକ ସାକ୍ଷୀଙ୍କୁ ପଚରାଉଚୁରା ହୋଇଛି। ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ବି ବିଧାନସଭାରେ ଦାବି କରିଥିଲେ ଯେ, ଗର୍ଗଙ୍କ ମୃତ୍ୟୁ ସ୍ପଷ୍ଟ ରୂପେ ହତ୍ୟା ଥିଲା। ଏ ମାମଲାରେ ଏନଇଆଇଏଫର ମୁଖ୍ୟ ଆୟୋଜକ ଶ୍ୟାମକାନୁ ମହନ୍ତ, ଗାୟକଙ୍କ ମ୍ୟାନେଜର ସିଦ୍ଧାର୍ଥ ଶର୍ମା, ତାଙ୍କ ବ୍ୟାଣ୍ଡର ଦୁଇ ସଦସ୍ୟ ଶେଖର ଜ୍ୟୋତି ଗୋସ୍ୱାମୀ ଓ ଅମୃତପ୍ରଭା ମହନ୍ତ, ତାଙ୍କ ଦାଦା ପୁଅ ଭାଇ ତଥା ଡିଏସପି ସନ୍ଦୀପନ ଗର୍ଗ, ଦୁଇ ପିଏସଓ ନନ୍ଦେଶ୍ୱର ବୋରା ଓ ପ୍ରବୀଣ ବୈଶ୍ୟଙ୍କୁ ଗିରଫ କରାଯାଇଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now