ସରକାରଙ୍କ ଆଖି ଆଗରେ ଜଙ୍ଗଲ ଜମି ଜବରଦଖଲ ଚାଲିଛି। ହେଲେ ଅଧିକାରୀ ଦେଖଣାହାରୀ ସାଜିଛନ୍ତି। ଉତ୍ତରାଖଣ୍ଡ ସରକାରଙ୍କ ଉପରେ ଏଭଳି ବର୍ଷିଛନ୍ତି ସୁପ୍ରିମକୋର୍ଟ। ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ ଜୟମାଳା ବାଗଚିଙ୍କ ଖଣ୍ଡପୀଠ ମୁଖ୍ୟ ଶାସନ ସଚିବ ଓ ପିସିସିଏଫଙ୍କୁ ନିର୍ଦେଶ ଦେଇଛନ୍ତି ଯେ, ଏକ ତଦନ୍ତ କମିଟି ଗଠନ କରି ରିପୋର୍ଟ ଦାଖଲ କର। ଏହା ସହ କୌଣସି ବ୍ୟକ୍ତିକୁ ଏହା ଉପରେ ଅଧିକାର ସାବ୍ୟସ୍ତ କରିବା ଉପରେ ବାରଣ କରିଛନ୍ତି କୋର୍ଟ। ରେସିଡେନସିଆଲ ଘରକୁ ଛାଡ଼ିଦେଲେ ଖାଲି ଜାଗାରେ କୌଣସି ନିର୍ମାଣକୁ ଅନୁମତି ଦିଆଯିବନି। ଆଉ ଜଙ୍ଗଲ ବିଭାଗ ସମସ୍ତ ଖାଲି ଜାଗାର ଦଖଲ ନେବାକୁ ଆଦେଶ ଦେଇଛନ୍ତି ଅଦାଲତ। ଏହାକୁ ଜିଲ୍ଲାପାଳ ନିଶ୍ଚିତ କରିବେ। କୋର୍ଟ ଉଦବେଗ ଝାଡ଼ି କହିଛନ୍ତି ଯେ, ହଜାର ହଜାର ଏକର ଜଙ୍ଗଲ ଜମି ଲୋକଙ୍କ ଦ୍ୱାରା ଢାଞ୍ଚାଗତ ଭାବେ ଅକ୍ତିଆର ଚାଲିଛି। ହେଲେ ସରକାରୀ ଅଧିକାରୀ ନୀରବଦ୍ରଷ୍ଟା ସାଜିଛନ୍ତି। ୨୮୬୬ ଏକର ଜମିକୁ ଜଙ୍ଗଲ ଜମି ଭାବେ ନୋଟିଫାଏ କରାଯାଇଥିଲା। ଏହି ଜମିର ଏକ ଅଂଶ ପଶୁ ଲୋକସେବା ସମିତିକୁ ଲିଜ୍ ସୂତ୍ରରେ ଦିଆଯାଇଥିଲା। ଏହି ସମିତି ରିଷିକେଶ ସୋସାଇଟିର। ଏହି ସମିତି ଦାବି କରୁଥିଲା, ସମିତି ସଦସ୍ୟଙ୍କ ଲାଗି କିଛି ଜମି ଏମାନେ ଆଲଟ କରିଛନ୍ତି। ଏହାକୁ ନେଇ ସମିତି ଓ ସଦସ୍ୟଙ୍କ ଭିତରେ ବିବାଦ ଆରମ୍ଭ ହୋଇଥିଲା। ପରେ ଏହା କମ୍ପ୍ରମାଇଜ୍ ହୋଇଥିଲା। ଲିକ୍ୟୁଡେସନ ପ୍ରକ୍ରିୟାରେ ସୋସାଇଟି ୧୯୮୪ରେ ୫୯୪ ଏକର ଜମିକୁ ଜଙ୍ଗଲ ବିଭାଗକୁ ସରେଣ୍ଡର କରିଥିଲା। ଏହା ସତ୍ତ୍ୱେ ୨୦୦୧ରେ କିଛି ବ୍ୟକ୍ତି ଜମିର ଦଖଲରେ ଥିଲେ। ନିଜ ଆଡ଼ୁ ଏ ମାମଲାର ସଂଜ୍ଞାନ ନେଇ ନିର୍ଦେଶ ଦିଅନ୍ତୁ ବୋଲି ପିଟିସନର କହିଥିଲେ।
Naxatra News is now on Whatsapp
Join and get latest news update delivered to you via whatsapp
Join Now