ସିଭିଲ କୋର୍ଟ ନିଜ ନିର୍ଦେଶାନାମାକୁ କାର୍ଯ୍ୟକାରୀ ଲାଗି ପୁଲିସ ସହାୟତା ନେଇପାରିବେ। ଏଭଳି କହିଛନ୍ତି ଓଡ଼ିଶା ହାଇକୋର୍ଟ। ଏନଫୋର୍ସମେଣ୍ଟ ଲାଗି ପୁଲିସକୁ ନିୟୋଜିତ କରି ଅର୍ଡରକୁ କାର୍ଯ୍ୟକାରୀ ସକାଶେ ଯଦିଓ କୋଡ୍ ଅଫ ସିଭିଲ ପ୍ରୋସିଡ୍ୟୋର (ସିପିସି) କୌଣସି ସ୍ୱତନ୍ତ୍ର ପ୍ରୋଭିଜନ୍ ଏଥିଲାଗି ରଖିନି। ତା ସତ୍ତ୍ୱେ ସେକ୍ସନ ୧୫୧ରେ ଏହି କ୍ଷମତା ରହିଛି। କୌଣସି ଇଞ୍ଜକ୍ସନ ଅର୍ଡରକୁ ଲାଗୁ କରିହେବ ଏ ବଳରେ। କୌଣସି ପ୍ରକାର ପୁଲିସ ସହାୟତା ସିଭିଲ କୋର୍ଟ ଦେଇପାରିବେନି ବୋଲି ହୋଇଥିବା ଅର୍ଡରକୁ ଖାରଜ କରି ହାଇକୋର୍ଟର ଜଣିକିଆ ଖଣ୍ଡପୀଠ ଜଷ୍ଟିସ ଶଶୀକାନ୍ତ ମିଶ୍ର ଏହା କହିଛନ୍ତି। କାରଣ ସେକ୍ସନ ୧୫୧ ପର୍ଯ୍ୟାପ୍ତ କ୍ଷମତା ଦେଇଛି, ଆବେଦନକାରୀର ଅଧିକାରକୁ ସୁରକ୍ଷା ଦେବାକୁ। ମାମଲା ଥିଲା ଏମିତି.। ଏକ ଜମିରୁ ଏକ ତୃତୀୟାଂଶ ସେୟାର ପାଇଁ ଆବେଦନକାରୀ ଭଦ୍ରକ ସିଭିଲ ଜଜ୍ ଜୁନିୟର ଡିଭିଜନଙ୍କ ପାଖରେ ପାର୍ଟିସନ ଓ ପରମାନେଣ୍ଟ ଇଞ୍ଜକ୍ସନ ସୁଟ୍ ଫାଇଲ୍ କରିଥିଲେ। ସେ ଦାବି କରିଥିଲେ ଯେ, ସେ ଜମିର ଏକ ନିର୍ଦ୍ଦିଷ୍ଟ ଅଂଶରେ ଦଖଲରେ ଅଛନ୍ତି। ଆଉ ସଂପୃକ୍ତ ଜମିର ଅଂଶ ବି ଆପୋଷ ବୁଝାମଣାରେ ହୋଇଥିଲା। ଯଦିଓ ସଂପୃକ୍ତ ସମ୍ପତ୍ତିକୁ ବାଉଣ୍ଡରୀ ଦେଇ ଭାଗ ହୋଇନି। ସେ ଏହି ଜମି ଉପରେ ଘର ନିର୍ମାଣ ଆରମ୍ଭ କରିଥିଲେ। ଛାତ ପଡ଼ିଲା ବେଳେ ପ୍ରତିପକ୍ଷ ଦଳ ବିରୋଧ କରିଥିଲେ। କାମ ଆଗକୁ ନେଲେ ଅର୍ଦ୍ଧନିର୍ମିତ ଘରକୁ ଭାଙ୍ଗିଦେବେ ବୋଲି ଧମକ ଦେଇଥିଲେ। ଏହି ଧମକ ପାଇବା ପରେ ଆବେଦନକାରୀ ଇଞ୍ଜକସନ ସୁଟ୍ ଫାଇଲ କରିଥିଲେ। ଟ୍ରାଏଲ କୋର୍ଟ ଇଞ୍ଜକ୍ସନ ସୁଟକୁ ଅନୁମତି ଦେଇ ଅସ୍ଥାୟୀ ଭାବେ ପ୍ରତିପକ୍ଷ ପାର୍ଟିକୁ ନିର୍ମାଣ ସ୍ଥଳରେ କୌଣସି ଗଣ୍ଡଗୋଳ ନ କରିବାକୁ ଅର୍ଡର ଦେଇଥିଲେ। ଆଉ ଆବେଦନକାରୀଙ୍କୁ ଘର କାମ କରିବାକୁ ନିର୍ଦେଶ ଦେଇଥିଲେ। ଏହା ପରେ ବି ପ୍ରତିପକ୍ଷ ଗଣ୍ଡଗୋଳ କରିଥିଲେ ଓ ନିର୍ମାଣ କରାଇଦେଲେନି। ପୁଲିସକୁ ଏ ନେଇ ଅବଗତ କରାଇଲେ ବି ଆଇଆଇସି କୌଣସି ସହାୟତା ଦେବାକୁ ମନା କରିଦେଲେ। ଆଉ କହିଥିଲେ, ଯେହେତୁ କୋର୍ଟରୁ ଏମିତି କୌଣସି ଅର୍ଡର ଆସିନି, ସେ ପୁଲିସ ସହାୟତା ଦେଇପାରିବେନି। ସେଥିଲାଗି ଆବେଦନକାରୀ ସିପିସିର ସେକ୍ସନ ୧୫୧ ଆଧାରରେ ପୁଲିସ ସହାୟତା ଲାଗି କୋର୍ଟରେ ପ୍ରାର୍ଥନା କରିଥିଲେ। ହେଲେ ଏହି ଆବେଦନକୁ ସିଭିଲ କୋର୍ଟ ଖାରଜ କରିଦେବାରୁ ସେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ପ୍ରଶ୍ନ ଥିଲା, ସିଭିଲ କୋର୍ଟ ପୁଲିସ ସହାୟତା ଲାଗି ନିର୍ଦେଶ ଦେବାର କ୍ଷମତା ଅଛି କି ନାହିଁ।
Naxatra News is now on Whatsapp
Join and get latest news update delivered to you via whatsapp
Join Now