ପଶ୍ଚିମବଙ୍ଗରେ ନିର୍ବାଚନୀ ମାହୋଲ ଭିତରେ ଇଡି ରେଡ୍। କୋଇଲା ଚୋରି, ମନି ଲଣ୍ଡରିଂ ମାମଲାରେ ପଲିଟିକାଲ କନସଲଟାନ୍ସି ଫାର୍ମ I-PAC ବିଭିନ୍ନ ଠିକଣାରେ ରେଡ୍। ସଲଟଲେକ୍ ସେକ୍ଟର ୫ରେ ଗୋଦରେଜ ଓ୍ୱାଟସାଇଡ୍ ବିଲଡିଂରେ ଥିବା ଫାର୍ମ ଅଫିସରେ କରିଥିଲା ଚଢ଼ାଉ। ତେବେ ଏହି ରେଡ୍ ନେଇ ରାଗରେ ନିଆଁବାଣ ହୋଇଯାଇଛନ୍ତି ଦିଦି। ରେଡ୍ ହେଉଥିବା ଦପ୍ତରରେ ପହଞ୍ଚିଥିଲେ ଦିଦି। ଆଉ ସିଧାସଳଖ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଟାର୍ଗେଟ କରିଥିଲେ। ଏହା ସହ ଟିଏମସିର ଦସ୍ତାବିଜ୍ ଇଡି ଚୋରି କରିଥିବାର ଆରୋପ ଲଦିଛନ୍ତି। ଏହା ରାଜନୈତିକ ପ୍ରତିଶୋଧ ପରାୟଣତା ବୋଲି କହିଛନ୍ତି ମମତା। ଟିଏମସିର ହାର୍ଡଡିସ୍କ, ଆଭ୍ୟନ୍ତରୀଣ ଦସ୍ତାବିଜ୍ ଓ ସମ୍ୱେଦନଶୀଳ ସଂଗଠନାତ୍ମକ ଡାଟା ଜବତ କରିବାକୁ ପ୍ରୟାସ କରୁଛି ଇଡି। ଏହାକୁ ନେଇ ପୁରା ରାଜ୍ୟରେ ପ୍ରତିବାଦ କରିବାକୁ ଚେତାବନୀ ଦେଇଛନ୍ତି ଦିଦି। ଏହା କହିବା ପରେ ମମତାଙ୍କ ଗାଡ଼ିରେ କିଛି ଦସ୍ତାବିଜ୍ ରଖାଯାଇଥିଲା। ଦେଶକୁ ସୁରକ୍ଷା ଦେଇପାରୁନଥିବା ଅମିତ ଶାହା ଏ ସବୁ କରି ଟିଏମସି ଆଶାୟୀଙ୍କ ତାଲିକା ଏକାଠି କରିବାକୁ ଚାହୁଁଛନ୍ତି। ଅମିତ ଶାହାଙ୍କୁ ନଟି ହୋମ୍ ମିନିଷ୍ଟର ବୋଲି କହିଛନ୍ତି ମମତା। ଏସଆଇଆର ଆଳରେ ୫ଲକ୍ଷ ଭୋଟରଙ୍କୁ ତାଲିକାରୁ ହଟାଇଦେଇଛ। ତେବେ କାହିଁକି ଦିଦି ରାଗିଲେ। ପୁରା ଘଟଣାକ୍ରମରେ ଦୁଇଟି ନାଁ ଆସୁଛି। ପ୍ରଥମେ I-PAC ଓ ଦ୍ୱିତୀୟରେ ଏହାର ମୁଖ୍ୟ ପ୍ରତୀକ ଜୈନ୍। I-PAC ବଡ଼ ପଲିଟିକାଲ କନସଲଟାନ୍ସି ଫାର୍ମ ଅଟେ। ଯାହାର ଆରମ୍ଭ ପ୍ରଶାନ୍ତ କିଶୋର ବା ପିକେ କରିଥିଲେ। ୨୦୧୪ ଲୋକସଭା ନିର୍ବାଚନରେ ପ୍ରଥମେ ପିକେ ଏହି କମ୍ପାନୀର ସ୍ଥାପନା କରିଥିଲେ। ପିକେ ରାଜନୀତିକ ରଣନୀତିକାର ଅଟନ୍ତି। ତେବେ ବିହାରରେ ସକ୍ରିୟ ରାଜନୀତିରେ ପାଦ ଥାପିବା ଆଗରୁ ଏହି ଫାର୍ମରୁ ୨୦୨୧ରେ ନିଜକୁ ଅଲଗା କରିଦେଇଥିଲେ ପ୍ରଶାନ୍ତ। ଏହା ପରେ I-PAC ର କମାଣ୍ଡ ଧରିଥିବା ୩ ପଦାଧିକାରୀଙ୍କ ଭିତରେ ପ୍ରତୀକ ଜୈନ ବି ଅଛନ୍ତି। ୨୦୧୯ ଲୋକସଭା ନିର୍ବାଚନ ପରେ ଟିଏମସି ସହ କାମ କରୁଛି I-PAC । ୨୦୨୧ ବିଧାନସଭା ନିର୍ବାଚନରେ ଟିଏମସିର ବଡ଼ ଜିତ୍ ପଛର ଶ୍ରେୟ I-PAC କୁ ଦିଆଯାଏ। କୋଇଲା ଚୋରୀ ଘୋଟାଲାରୁ ମିଳୁଥିବା ଟଙ୍କା ଏହି ଫାର୍ମରେ ଲାଗେ ବୋଲି ଇଡି କହୁଛି। ଅନୁପ ମାଝୀ ଓ ତାଙ୍କ ସହଯୋଗୀ କୋଇଲା ଚୋରୀରୁ ମିଳୁଥିବା ଟଙ୍କାକୁ ଗୋଆ ପଠାଇଥିଲେ। ଏହି ଟଙ୍କା ୨୦୨୨ ଗୋଆ ବିଧାନସଭା ନିର୍ବାଚନରେ ଟିଏମସିର ପ୍ରଚାର ଲାଗି I-PAC କୁ ଦିଆଯାଇଥିଲା। ୬ଟି ରାଜ୍ୟର ୧୫ଟି ଜାଗାରେ ଏକକାଳୀନ ଚଢ଼ାଉ ହୋଇଛି। ମମତାଙ୍କ ଇଡି ପ୍ରତି ଏଭଳି ଆଭିମୁଖ୍ୟ ଦେଖି ବିରୋଧୀ ଦଳ ଟାର୍ଗେଟ କରିଛନ୍ତି। ବିଜେପି ନେତା ତଥା ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ କହିଛନ୍ତି, ଇଡି କାର୍ଯ୍ୟାନୁଷ୍ଠାନରେ ଜାଣିଶୁଣି ବାଧା ଦେଉଛନ୍ତି ଦିଦି। ସେଥିଲାଗି ମମତାଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ଉଚିତ୍। ବିଜେପି ନେତା ଅର୍ଜୁନ ସିଂ କହିଛନ୍ତି, ଇଡି ରେଡ୍ କରିବ କଅଣ। ପାଲଟା ଦିଦି ଇଡି ଉପରେ ରେଡ୍ କଲେ। ମମତାଙ୍କୁ ତୁରନ୍ତ ଗିରଫ କରାଯାଉ। ଭାରତୀୟ ସମ୍ୱିଧାନକୁ ସମ୍ମାନ ଦେଉନାହାନ୍ତି। ୨୦୨୬ ନିର୍ବାଚନରେ ବିଶୃଙ୍ଖଳା ସୃଷ୍ଟି କରିବାକୁ ଏହା ମମତାଙ୍କ ଟ୍ରେଲର ସୋ। ଏବେଠୁ ନ ରୋକିଲେ ବଙ୍ଗଳାକୁ ବାଂଲାଦେଶ କରିଦେବେ ଦିଦି। ପିସିସି ସଭାପତି ଶୁଭଙ୍କର ସରକାର କହିଛନ୍ତି, ପଶ୍ଚିମବଙ୍ଗରେ ହେଉଥିବା ଦୁର୍ନୀତି ବିରୁଦ୍ଧରେ ନିଶ୍ଚିତ ଆକ୍ସନ ହେବା ଜରୁରୀ। କିନ୍ତୁ ଏ ସମୟରେ କାହିଁକି ରେଡ୍। ୨୦୧୪ରୁ ଦୁର୍ନୀତି ହେଲାଣି। ଏହାର ପ୍ରମାଣ ରହିଛି। ହେଲେ ଇଡିର ଏଭଳି ରେଡ୍ ବିଜେପି-ଟିଏମସି ଭିତରେ ମ୍ୟାଚ୍ ଫିକ୍ସିଂ। ଏ ବାବଦରେ ଯାହା କହିବ ଇଡି କହିବ କହି ଏଡ଼ାଇ ଯାଇଛନ୍ତି କେନ୍ଦ୍ରମନ୍ତ୍ରୀ ସୁକାନ୍ତ ମଜୁମଦାର। ସିପିଆଇ(ଏମ୍) କହିଛି, ଆଇନକୁ ସମ୍ମାନ ଦେବା ଦରକାର। ତଦନ୍ତ ଏଜେନ୍ସି ରେଡ୍ ବେଳେ କେହି ହସ୍ତକ୍ଷେପ କରିବା ଉଚିତ ନୁହେଁ। କଳାଧନ, ନିର୍ବାଚନୀ ଘୋଟାଲାର ତମାମ ଦସ୍ତାବିଜ୍ ପ୍ରତୀକ ଜୈନଙ୍କ ପାଖରେ ରହିଛି। ଇଡିର ଏଭଳି ରେଡ୍ ତମାସା।ପ୍ରତୀକ ଜୈନ୍ ମାମଲାରେ ହାଇକୋର୍ଟର ଦ୍ୱାରସ୍ଥ ହୋଇଛି ଇଡି। ସରକାରୀ କାମରେ ବାଧା ଦିଆଗଲା କହି ଜଷ୍ଟିସ ଶୁଭ୍ରା ଘୋଷଙ୍କ ଖଣ୍ଡପୀଠରେ ପିଟିସନ ପଡ଼ିଛି। ଏହାର ଶୁଣାଣୀ ସମ୍ଭବତଃ ଶୁକ୍ରବାର ହୋଇପାରେ।
Naxatra News is now on Whatsapp
Join and get latest news update delivered to you via whatsapp
Join Now