ମଦ୍ରାସାର ମିଛ ଆଳରେ ପ୍ରଶାସନ ଭାଙ୍ଗିଦେଲା ସ୍କୁଲ ଘର

ଗାଁର ଦଳିତ, ଆଦିବାସୀ ପିଲାଙ୍କୁ ଶିକ୍ଷିତ କରିବାକୁ ନିଜ ପକେଟରୁ ଖର୍ଚ୍ଚ କରିଥିଲେ ୨୦ଲକ୍ଷ ଟଙ୍କା। ଆଉ ଏକ ସ୍କୁଲ କରିଥିଲେ। କିନ୍ତୁ ସବୁ ଏନଓସି ଥିଲେ ସୁଦ୍ଧା ପଞ୍ଚାୟତର ଏନଓସି କାହିଁକି ନାହିଁ କହି ସ୍କୁଲରେ ବୁଲଡୋଜର ଚଳାଇ ଭାଙ୍ଗିଦେଲେ ଜିଲ୍ଲାପାଳ।  ଏହା ସହ ଏଠାରେ ବେଆଇନ ମଦ୍ରାସା ଚାଲିଥିବାର ଆରୋପ ବି ଲଦିଥିଲେ। ମଧ୍ୟପ୍ରଦେଶର ବୈତୁଲ ଜିଲ୍ଲାର ଭୈଂସଦେହୀ ତହସିଲ ଅନ୍ତର୍ଗତ ଢାବା ଗାଁରେ ଏହି ସ୍କୁଲ କରିଥିଲେ ଅବଦ୍ଦୁଲ ନଇମ୍। ଗାଁର ଜନସଂଖ୍ୟା ପ୍ରାୟ ୨ହଜାର। କେବଳ ୪ଟି ପରିବାର ମୁସଲିମ। ଗାଁରେ ସ୍କୁଲ ନାହିଁ। ୫ କିଲୋମିଟର ଦୂରରେ ସ୍କୁଲ ଅଛି। ସେଥିଲାଗି ନର୍ସରୀରୁ ଅଷ୍ଟମ ଯାଏଁ ଶ୍ରେଣୀ ଖୋଲିଥିଲେ ନଇମ୍। କିନ୍ତୁ ୩ ଦିନ ତଳେ ଏକ ଗୁଜବ ତାଙ୍କର ସବୁ ସ୍ୱପ୍ନକୁ ଚୁରମାର କରିଦେଲା। ଏଠାରେ ଅବୈଧ ମଦ୍ରାସା ଚାଲିଛି ଓ ପିଲାଙ୍କୁ ଅନଧିକୃତ ରୂପରେ ଶିକ୍ଷା ଦିଆଯାଉଛି ବୋଲି ଅଭିଯୋଗ ହୋଇଥିଲା। ଗାଁ ଲୋକଙ୍କ କହିବା କଥା, ଉପଜିଲ୍ଲାପାଳ, ତହସିଲଦରା ଓ ଥାନା ଅଧିକାରୀ ଏହାର ତଦନ୍ତ ବି କରିଥିଲେ। ଆଉ କ୍ଲିନଚିଟ୍ ଦେଇଥିଲେ। ଏହା ସହ ପଞ୍ଚାୟତରୁ ଏନଓସି ଆଣିବାକୁ ପରାମର୍ଶ ବି ଦେଇଥିଲେ। କିନ୍ତୁ ଜାନୁଆରୀ ୧୧ରେ ପଞ୍ଚାୟତ ନୋଟିସ କରି ସ୍କୁଲକୁ ଭାଙ୍ଗିବାକୁ ଆଦେଶ ଦେଇଦେଲା। ନଇମ୍ ପଞ୍ଚାୟତ ଅଫିସ ଯାଇ ଆବେଦନ ନେଇ ପହଞ୍ଚିବାରୁ ତାଙ୍କୁ ସୋମବାରକୁ ଆସିବାକୁ କୁହାଯାଇଥିଲା। ନଇମ ସ୍ପଷ୍ଟିକରଣ ରଖିଛନ୍ତି ଯେ, ଜମିର ସମସ୍ତ କାଗଜପତ୍ର ତାଙ୍କ ପାଖରେ ଅଛି। ସେ ଡିସେମ୍ୱର ୩୦ରେ ଶିକ୍ଷା ବିଭାଗର ଅନୁମତି ଲାଗି ଆବେଦନ ଜମା କରିଥିଲେ। ହେଲେ ସେତେବେଳକୁ ସ୍କୁଲ ଘର ଭାଙ୍ଗିବାକୁ ଆଦେଶ ଦିଆସରିଥିଲା। ଗାଁ ଲୋକେ ବିରୋଧ କରିବାରୁ ପଞ୍ଚାୟତ କର୍ତ୍ତୃପକ୍ଷ ଏନଓସି କଥା ଉଠାଇଥିଲେ। ଆଉ ସଂଧ୍ୟାରେ ଉପଜିଲ୍ଲାପାଳ ନଇମଙ୍କୁ କହିଥିଲେ, ଉପରୁ ବହୁତ ପ୍ରେସର ପଡ଼ୁଛି। ସ୍କୁଲକୁ ଭାଙ୍ଗିବାକୁ ପଡ଼ିବ। ଯଦି କୌଣସି ଆଇନ ଉଲ୍ଲଂଘନ ହୋଇଛି, ତାହେଲେ ଜରିମାନା ନିଆଯାଇପାରିଥାଆନ୍ତା। ସ୍କୁଲ ଘର ଭାଙ୍ଗି କାହା ସ୍ୱାର୍ଥସାଧନ କଲା ପ୍ରଶାସନ। ଜିଲ୍ଲାପାଳଙ୍କୁ ଫେରାଦ୍ ହେବା ସମୟରେ ଉପଯୁକ୍ତ ପଦକ୍ଷେପ ନିଆଯିବ ବୋଲି କହିଥିଲେ। ହେଲେ ସେପଟେ ଉପଜିଲ୍ଲାପାଳ କିନ୍ତୁ ବୁଲଡୋଜର ଲଗାଇ ସାରିଥିଲେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *