ସଂସଦରେ ବହି ଆଳରେ ଆରମ୍ଭ ବିବାଦ ଏବେ ବିଜେପି ଓ କଂଗ୍ରେସ ଭିତରେ ଟକ୍କର ସ୍ଥିତି ଉତ୍ପନ୍ନ କରିଛି। ନିଶିକାନ୍ତ ଦୁବେ ଟାର୍ଗେଟ କରିଛନ୍ତି ଗାନ୍ଧୀ ପରିବାରକୁ। ପୂର୍ବତନ ଆର୍ମିମୁଖ୍ୟ ନରଭଣେଙ୍କ ପୁସ୍ତକ ସଂସଦକୁ ଆଣି ଗଣମାଧ୍ୟମକୁ ଦେଖାଇଥିଲେ ରାହୁଲ। ଏହା ବିଦେଶରେ ରିଲିଜ୍ ହୋଇଛି ସତ। କିନ୍ତୁ ଭାରତରେ ପ୍ରତିରକ୍ଷା ମନ୍ତ୍ରାଳୟ ଏହାକୁ ପ୍ରକାଶିତ କରିବାକୁ ଦେଉନି। ଗୃହକୁ ପ୍ରଧାନମନ୍ତ୍ରୀ ଆସିଲେ ପ୍ରକାଶିତ ପୁସ୍ତକକୁ ଦେଖାଇବି । କିନ୍ତୁ ପ୍ରଧାନମନ୍ତ୍ରୀ ଆଜି ଗୃହକୁ ଆସିବାର ସାହସ ନାହିଁ ବୋଲି କଟାକ୍ଷ ବି ଫିଙ୍ଗିଥିଲେ ରାହୁଲ। ସେପଟେ ପୁସ୍ତକ ବୟାନର ଜବାବରେ ଦୁବେ ଅନେକ ପ୍ରକାଶିତ ଓ ପ୍ରତିବନ୍ଧିତ ବହିର କଭର ନେଇ ସଂସଦରେ ପହଞ୍ଚିଥିଲେ। ଆଉ କଂଗ୍ରେସ ଉପରେ ଇତିହାସ ଲୁଚାଇଥିବାର ଆରୋପ ଲଦିଛନ୍ତି। ଏହି ମୁଦ୍ଦା ଉପରେ ସଂସଦରେ ହଙ୍ଗାମା ହୋଇଥିଲା ଓ ଲୋକସଭାକୁ ଆସନ୍ତାକାଲି ଯାଏ ମୁଲତବୀ କରିଦିଆଯାଇଛି। ଗଣମାଧ୍ୟମ ସହ କଥା ହୋଇ ନିଶିକାନ୍ତ କହିଛନ୍ତି, ଏମିତି ଅନେକ ପୁସ୍ତକ ଅଛି। ଯେଉଁଠି ନେହେରୁ ଓ ଗାନ୍ଧୀ ପରିବାରର ଭ୍ରଷ୍ଟାଚାର ବାବଦରେ ଲେଖା ଅଛି। କଂଗ୍ରେସ ଶାସନର କଳା ଅଧ୍ୟାୟ, ଏମର୍ଜେନ୍ସି ଓ କଥିତ ବିଦେଶୀ ପ୍ରଭାବ ଭଳି ଗମ୍ଭୀର ଅଭିଯୋଗ ରହିଛି। ଅନେକ ବହି ଉପରେ କଂଗ୍ରେସ ସରକାର ଅମଳରେ ବ୍ୟାନ୍ ଲଗାଯାଇଥିଲା। ଏବେ ସେ ସବୁ ବହି ଉପରେ ଖୋଲା ଚର୍ଚ୍ଚା ହେଉ। ଏହା ସହ ବାଚସ୍ପତିଙ୍କୁ ବି ଦୁବେ ଅନୁରୋଧ କରିଥିଲେ ଯେ, ପ୍ରକାଶିତ ବହି ଉପରେ ଚର୍ଚ୍ଚା ପାଇଁ ଅନୁମତି ଦିଆଯାଉ। ସଂସଦରେ ଚର୍ଚ୍ଚା ହେଲେ, ଗାନ୍ଧୀ ଓ ନେହେରୁ ପରିବାରର ଭ୍ରଷ୍ଟାଚାର ସମସ୍ତଙ୍କ ସାମ୍ନାକୁ ଆସନ୍ତା। ୫୦ ଦଶକରେ ଚୀନ୍ ଭାରତ ପଛରେ ରହୁଥିଲା। ସେ ତାହେଲେ କେମିତି ଆଗକୁ ଚାଲିଗଲା। ଏହାର ପୁରା ଇତିହାସ ଉପରେ ଚର୍ଚ୍ଚା ହେବା କଥା। ଦୁବେଙ୍କୁ ସଂସଦ ପରିସରରେ ମିଡିଆ ସାମ୍ନାରେ କାଉଣ୍ଟର କରିଛନ୍ତି ପ୍ରିୟଙ୍କା ଗାନ୍ଧୀ। ଏହା ସ୍ପଷ୍ଟ କରାଯିବା ଜରୁରୀ ଯେ, ନିଶିକାନ୍ତ ଦୁବେ କେବଳ ସରକାରଙ୍କ ଅନୁମତିରେ କହିଥାଆନ୍ତି। ଯେବେ ସରକାର ସଂସଦରେ ବ୍ୟବଧାନ ଉତ୍ପନ୍ନ କରିବାକୁ ଚାହାନ୍ତି, ସେତେବେଳେ ଦୁବେଙ୍କୁ ଛିଡ଼ା କରିଦିଅନ୍ତି। ଏହା ପ୍ରତିଦିନ ହେଉଛି। ଶୂନ୍ୟକାଳରେ ବିରୋଧୀଙ୍କୁ କହିବାକୁ ସମୟ ଦିଆଯାଉନି। କିନ୍ତୁ ଦୁବେଙ୍କୁ କେମିତି ଯଥେଷ୍ଟ ସମୟ ମିଳୁଛି। ନିୟମ ଆଳରେ ପ୍ରକାଶିତ ପୁସ୍ତକକୁ ଗୃହରେ ଦର୍ଶାଇବାକ ଅନୁମତି ମିଳୁନି। ଇନ୍ଦିରା, ଇତିହାସ ଓ ନେହେରୁଙ୍କ କଥା କେଉଁ ମୁହଁରେ କହୁଛନ୍ତି ବୋଲି ପଚାରିଛନ୍ତି ପ୍ରିୟଙ୍କା।
Naxatra News is now on Whatsapp
Join and get latest news update delivered to you via whatsapp
Join Now