ରାଜ୍ୟସଭା ଯିବେ କି ନୀତିଶ- କିଏ ସମ୍ଭାଳିବ ବିହାର ମୁଖ୍ୟମନ୍ତ୍ରୀ ଚୌକି?

ନିଶାନ୍ତ ନୁହେଁ, ନୀତିଶ ଯିବେ ରାଜ୍ୟସଭା। ବିହାର ମୁଖ୍ୟମନ୍ତ୍ରୀ ଚୌକି ଛାଡ଼ିବେ ନୀତିଶ! ପୁଅ ନିଶାନ୍ତଙ୍କ ରାଜନୀତିରେ ଗ୍ରାଣ୍ଡ୍ ଏଣ୍ଟ୍ରି ପୂର୍ବରୁ ନୀତିଶଙ୍କ ଏଭଳି ନିଷ୍ପତ୍ତିକୁ ନେଇ ଜାତୀୟ ଗଣମାଧ୍ୟମରେ ବଡ଼ ଚର୍ଚ୍ଚା ତେଜ୍ ଧରିଛି। ଏହାରି ଭିତରେ ନୀତିଶ କୁମାର ଦିଲ୍ଲୀ ପହଞ୍ଚିବା ପରେ ଏହି ଚର୍ଚ୍ଚାକୁ ଅଧିକ ଖୋରାକ ଯୋଗାଇଲାଣି। ସକାଳୁ ସକାଳୁ ଜେଡିୟୁର କାର୍ଯ୍ୟକାରୀ ଅଧ୍ୟକ୍ଷ ସଞ୍ଜୟ ଝା ବି ଦିଲ୍ଲୀରୁ ପାଟଣା ବାହାରିଯାଇଥିଲେ। ପାଟନାରେ ପହଞ୍ଚିବା ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଲଲନ ସିଂଙ୍କ ସହ ବି ଭେଟିଥିଲେ। ଚର୍ଚ୍ଚା ହେଉଛି, ସଞ୍ଜୟ ଝା ବିଜେପି କେନ୍ଦ୍ରୀୟ ନେତୃତ୍ୱ ସହ ସମ୍ପର୍କରେ ଅଛନ୍ତି। ମାତ୍ର କଥା ପଡ଼ିଛି ନୀତିଶ ରାଜ୍ୟସଭା ଗଲେ, ବିହାରର କମାଣ୍ଡ କିଏ ସମ୍ଭାଳିବ। ନୀତିଶଙ୍କୁ ରାଜ୍ୟସଭା ପଠାଯିବାର ଆକଳନ ଭିତରେ ସମ୍ଭାବନା ଓ ରାଜନୀତିକ ଆକଳନ ଜୋର ହେଲାଣି। ବିହାରରେ ଏନଡିଏ ମେଣ୍ଟର ସବୁଠୁ ବଡ଼ ଦଳ ଭାବେ ଉଭା ହୋଇଥିବା ବିଜେପି ନିଜର ମୁଖ୍ୟମନ୍ତ୍ରୀ କରିପାରେ। ପୁଅ ନିଶାନ୍ତଙ୍କୁ ରାଜନୈତିକ ଏଣ୍ଟ୍ରି ଦେଇ ତାଙ୍କୁ ଉପ-ମୁଖ୍ୟମନ୍ତ୍ରୀ କରାଯାଇପାରେ। ରାଜ୍ୟରେ ସତ୍ତାକୁ ନେଇ ସମ୍ଭାବ୍ୟ ହସ୍ତାନ୍ତରଣକୁ ନେଇ ହଇଚଇ ଖେଳିଲାଣି। ତେବେ ନୀତିଶ ରାଜ୍ୟସଭା ଯିବେ କି ନାହିଁ, ସ୍ପଷ୍ଟ ହୋଇନି। ମାର୍ଚ୍ଚ ୧୬ ପରେ ନୀତିଶ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇପାରନ୍ତି। ଏହା ପୂର୍ବରୁ ବି ନୀତିଶ କେନ୍ଦ୍ର ରାଜନୀତିକୁ ଯିବା ନେଇ ଅନେକ ଥର ଆକଳନ କରାଯାଇଥିଲା। କିନ୍ତୁ ନୀତିଶ କେନ୍ଦ୍ରୀୟ ରାଜନୀତି ବଦଳରେ ବିହାର ରାଜନୀତିରେ ଅଧିକ ରୁଚି ଦେଖାଇଛନ୍ତି। ବିହାରରେ ହେବାକୁ ଥିବା ୫ଟି ରାଜ୍ୟସଭା ଆସନ ନିର୍ବାଚନରୁ ଦୁଇଟି ଆସନରେ ବିଜେପି ଓ ଦୁଇଟି ଆସନରେ ଜେଡିୟୁ ଜିତିବା ପକ୍କା। ରାମନାଥ ଠାକୁରଙ୍କ ଜାଗାରେ ରାଜ୍ୟସଭା ଯିବେ ନିଶାନ୍ତ ବୋଲି ବେଶ୍ ଚର୍ଚ୍ଚା ଚାଲିଥିଲା। ରାମନାଥ ଠାକୁରଙ୍କ ରାଜ୍ୟସଭାର କାର୍ଯ୍ୟକାଳ ଶେଷ ହୋଇସାରିଛି। ହେଲେ ଏଥର ରାମନାଥଙ୍କୁ ପୁଣି ତୃତୀୟ ଥର ରାଜ୍ୟସଭାକୁ ପଠାଇପାରେ ଜେଡିୟୁ। ଜେଡିୟୁ ପାଖରେ ୮୫ ବିଧାନସଭା ଆସନ ଅଛି। କ୍ଷମତା ଚର୍ଚ୍ଚା ଭିତରେ ଶୁଣାଯାଉଛି ଯେ, ନୀତିଶ କୁଆଡ଼େ ସର୍ତ୍ତ ରଖିଛନ୍ତି। ସେ ରାଜ୍ୟସଭା ସେତିକିବେଳେ ଯିବେ, ଯେବେ ତାଙ୍କ ପୁଅ ନିଶାନ୍ତଙ୍କୁ ମୁଖ୍ୟମନ୍ତ୍ରୀ ଚୌକି ମିଳିବ। ନୀତିଶଙ୍କ ରାଜ୍ୟସଭା ନୋମିନେସନ ଚର୍ଚ୍ଚା ପ୍ରଶ୍ନ ଛିଡ଼ା କଲାଣି ଯେ, ବିହାରର ମୁଖିଆ କିଏ ହେବ। ପୂର୍ଣ୍ଣିଆର ସ୍ୱାଧୀନ ସାଂସଦ ପପୁ ଯାଦବ ଏକ୍ସ-ରେ ପୋଷ୍ଟ କରି ପ୍ରଶ୍ନ କରିଛନ୍ତି। ଯେବେ ଜନାଦେଶ ନୀତିଶ କୁମାରଙ୍କୁ ମୁଖ୍ୟମନ୍ତ୍ରୀ କରିଛି। ୩ ମାସ ଭିତରେ ବିଜେପି ସେହି ପଦକୁ ତାଙ୍କଠୁ ହରଣ କାହିଁକି କରୁଛି। ଏହା ଜନାଦେଶକୁ ଅପମାନ ଓ ବିଡେପିକୁ ଭାରି ପଡ଼ିବ। ଜେଡିୟୁ ଓ ବିଜେପିର ଟପ୍ ନେତୃତ୍ୱ ଏହାକୁ ଉତ୍ତରାଧିକାରୀ ଯୋଜନା ଓ ଭବିଷ୍ୟତର ରଣନୀତି ହିସାବରେ ବିଚାରବିମର୍ଶ କରୁଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *