ସାର ସଙ୍କଟକୁ ନେଇ କାଦୁଅ ଫିଙ୍ଗା ଫୋପଡା

Spread the love

ଭୁବନେଶ୍ବର: ରାଜ୍ୟରେ ଦେଖାଯାଇଛି ସାର ସଙ୍କଟ । କେନ୍ଦ୍ର ସରକାର ଠିକଣା ସମୟରେ ସାର ଯୋଗାଇ ନାହାନ୍ତି। ଆବଶ୍ୟକତା  ଓ ପର୍ଯ୍ୟାପ୍ତ ପରିମାଣରେ ସାର ଦେଉନାହାନ୍ତି କେନ୍ଦ୍ର ସରକାର। ମୁଖ୍ୟମନ୍ତ୍ରୀ ଚିଠି ଲେଖିବା ପରେ କେନ୍ଦ୍ରମନ୍ତ୍ରୀ ଏହାର ଗୁରୁତ୍ଵ ଅନୁଭବ କରିବା ଉଚିତ।

ରାଜ୍ୟରେ ସାର ଅଭାବ ଉପରେ ରାଜ୍ୟ ସରକାର ପକ୍ଷରୁ ପକ୍ଷ ରଖାଯାଇଛି। ରାଜ୍ୟର ଆବଶ୍ୟକତା ଅନୁଯାୟୀ ପର୍ଯ୍ୟାପ୍ତ ପରିମାଣରେ ସାର ଦେଉନାହାନ୍ତି କେନ୍ଦ୍ର ସରକାର। କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଏହାକୁ ହାଲକା ଭାବେ ନେଉଛନ୍ତି। କେନ୍ଦ୍ରମନ୍ତ୍ରୀ ଖାଲି ପର୍ଯ୍ୟାପ୍ତ ଅଛି ବୋଲି କହିଲେ ରାଜ୍ୟର କେତେ ଦାବି ଅଛି, କେତେ ଆବଶ୍ୟକ ଅଛି, କେତେ ମଗାଯାଇଥିଲା ତାହା କେନ୍ଦ୍ର ସରକାର ପ୍ରକାଶ କରିବା ଉଚିତ୍। ଚାଷୀଙ୍କ ଆବଶ୍ୟକତା ପୂରଣ ନ କରି ଦୋଷ ଏଡାଇବା ଠିକ୍ ହେବ ନାହିଁ। ଏହା ଚାଷୀଙ୍କ ପାଇଁ ପ୍ରତାରଣା ସଦୃଶ।

ସମୟ ଅନୁସାରେ ପର୍ଯ୍ୟାପ୍ତ ପରିମାଣର ସାର ଯୋଗାଇବା ଆବଶ୍ୟକ। ପରବର୍ତ୍ତୀ ଅବସ୍ଥାରେ ଦେଲେ କାମରେ ଲାଗିବନି। ରାଜ୍ୟସରକାରଙ୍କ ସଠିକ୍ ପରିଚାଳନା ଓ ଚାଷୀଙ୍କୁ ସଠିକ୍ ସମୟରେ ସହାୟତା ଯୋଗୁଁ ରାଜ୍ୟ ସରକାର କେନ୍ଦ୍ର ଠାରୁ ପ୍ରଶଂସିତ ହେଉଛନ୍ତି ଓ କୃଷି କର୍ମଣ ପୁରସ୍କାର ପାଇଛନ୍ତି। ସରକାରୀ ସ୍ତରରେ ଏ ନେଇ ଉଦ୍ୟମ  ହୋଇଛି ତାହା କାର୍ଯ୍ୟକାରୀ ନ ହେବାରୁ ମୁଖ୍ୟମନ୍ତ୍ରୀ ଚିଠି ଲେଖିଥିବା ସୂଚନା ଦେଇଛନ୍ତି ବିଧାୟକ ଅମର ଶତପଥୀ।

ସେପଟେ ସାର ଅଭାବ ନେଇ ମୁଖ୍ୟମନ୍ତ୍ରୀଙ୍କ ଚିଠି ଉପରେ ବିଜେପି ବିଧାୟକ ନାଉରୀ ନାୟକ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ଚିଠି ଉପରେ କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ଉତ୍ତର ରଖି ସାରିଛନ୍ତି । ରାଜ୍ୟର ଆବଶକତା ଅନୁସାରେ କେନ୍ଦ୍ର ସବୁବେଳେ ସବୁ କିଛି ଯୋଗାଇ ଦେଇ ଆସୁଛନ୍ତି । ରାଜ୍ୟ ସରକାର ସବୁବେଳେ ଚାଷୀଙ୍କୁ ଭୁଆଁ ବୁଲାଉଛନ୍ତି। କେନ୍ଦ୍ରର କାମ ସାର ଯୋଗାଇ ଦେବା । ହେଲେ ଚାଷୀ କେମିତି ପାଇବେ ତାହା ତଦାରଖ କରିବା ରାଜ୍ୟ ସରକାରଙ୍କର ଦାୟିତ୍ବ।

ଏମାନେ ଠିକରେ  ବଣ୍ଟନ କରିପାରୁନଥିବା ଯୋଗୁ କଳାବଜାରୀ ବଢୁଛି। ଚାଷୀଙ୍କୁ  ସାର ମିଳୁନି ।  ଅଧିକ ଦାମରେ ସାର ବିକ୍ରି ହେଉଛି।  ନିଜ ମୁଣ୍ଡରୁ ଦୋଷ ଖସାଇଦେବାକୁ ରାଜ୍ୟ ସରକାର କେନ୍ଦ୍ର ଉପରେ ଦୋଷ ଲଦୁଥିବା ଅଭିଯୋଗ କରିଛନ୍ତି ବିଜେପି ବିଧାୟକ।

Leave a Reply

Your email address will not be published. Required fields are marked *