ହରିଶ ରାଣାଙ୍କ ସଂଘର୍ଷ- ବଡ଼ ପରଦାରେ ଆସିବ ବାୟୋପିକ୍!

ଘାଜିଆବାଦର ହରିଶ ରାଣାଙ୍କ ୧୩ ବର୍ଷର ଅନ୍ତହୀନ ସଂଘର୍ଷ କାହାଣୀ ଉପରେ ତିଆରି ହେବ ଫିଲ୍ମ। ହରିଶଙ୍କ ସଂଘର୍ଷର କାହାଣୀ କେବଳ ଅଦାଲତ ଓ ହସ୍ପିଟାଲ ଯାଏ ସୀମିତ ରହିବନି। ହରିଶଙ୍କ ଜୀବନ ଉପରେ ବାୟୋପିକ୍ ହେବ। ମୁମ୍ୱାଇର ଜଣେ ଲେଖକ ତଥା ନିର୍ମାତା  ହରିଶଙ୍କ ୧୩ ବର୍ଷର ମୌନ ପୀଡ଼ାକୁ ବଡ଼ ପରଦାରେ ଜୀବନ୍ତ କରିବାକୁ ଓକିଲ ମନୀଷ ଜୈନଙ୍କ ସହ କଥା ହୋଇଛନ୍ତି। କୋମାରେ ଜୀବନ ଓ ମୃତ୍ୟୁ ସହ ସଂଘର୍ଷ କରୁଥିବା ହରିଶଙ୍କ ବାୟୋପିକ୍ ତିଆରି କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ତେବେ ମାମଲାର ସମ୍ୱେଦନଶୀଳତାକୁ ଦେଖି ନିର୍ମାତାଙ୍କୁ କିଛି ସମୟ ଅପେକ୍ଷା କରିବାକୁ କହିଛନ୍ତି ମନୀଷ। ମନୀଷ କହିଛନ୍ତି, ଏହି କାହାଣୀ କେବଳ ଏକ ବେମାର ବା ଆଇନଗତ ଲଢ଼େଇ ନୁହେଁ। ବରଂ ଜଣେ ପିତା ଓ ପରିବାରର ସାହାସ, ଧୈର୍ଯ୍ୟ ଓ ନ୍ୟାୟପାଳିକାର ସମ୍ୱେଦନଶୀଳତାର ଉଦାହରଣ ଅଟେ। ସୁପ୍ରିମକୋର୍ଟଙ୍କ ନିର୍ଦେଶ ପରେ ହରିଶଙ୍କୁ ଦିଲ୍ଲୀସ୍ଥିତ ଏମ୍ସର ପୋଲିଏଟିଭ୍ କେୟାର ବୋର୍ଡରେ ଭର୍ତ୍ତି କରାଯାଇଛି। ଯେଉଁଠି ସେ ଅସହନୀୟ ପୀଡ଼ାରୁ ଧୀରେ ଧୀରେ ମୁକ୍ତି ଆଡ଼କୁ ବଢ଼ୁଛନ୍ତି। ହରିଶଙ୍କ ବାପା ଅଶୋକ ରାଣାଙ୍କ ପକ୍ଷରୁ ଅଙ୍ଗଦାନ ନିଷ୍ପତ୍ତି ସମାଜ ଲାଗି ପ୍ରେରଣାଦାୟୀ ରହିବ। ୧୩ ବର୍ଷ ହେଲା ପୁଅକୁ ଏଭଳି ସ୍ଥିତିରେ ଦେଖିବା ପରିବାର ପାଇଁ ବହୁତ କଷ୍ଟସାଧ୍ୟ ଥିଲା। ଇଛାମୃତ୍ୟୁ ପ୍ରକ୍ରିୟା ଆଧାରରେ ଏମ୍ସରେ ଭର୍ତ୍ତି ହରିଶଙ୍କୁ ବୁଧବାର ଭେଣ୍ଟିଲେଟର ଓ ଅନ୍ୟ ଲାଇଫ ସପୋର୍ଟ ସିଷ୍ଟମ ବା ଜୀବନରକ୍ଷାକାରୀ ଉପଚାରରୁ ରିଲିଜ୍ କରି ସାମାନ୍ୟ ଶଯ୍ୟାକୁ ସିଫ୍ଟ କରିଦିଆଯାଇଛି। ଏବେ ହରିଶଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି। କିଛି ଦିନ ତଳେ ପେଟରେ ଲାଗିଥିବା କୃତ୍ରିମ ପୋଷଣ ଟ୍ୟୁବ୍ ବନ୍ଦ କରିଦିଆଯାଇଛି। ଫିଡିଂ ଟ୍ୟୁବ୍ ଉପରେ କ୍ୟାପ୍ ଲଗାଇଦିଆଯାଇଛି। କିନ୍ତୁ ଶରୀରରୁ ହଟାଯାଇନି। ଜରୁରୀ ଔଷଧ ଦିଆଯାଉଛି। ମେଡିକାଲ ବୋର୍ଡର ୧୦ ସଦସ୍ୟ ତାଙ୍କୁ ନୀରିକ୍ଷଣ କରୁଛନ୍ତି। ଜୁଲାଇ ୨୦୧୦ରେ ହରିଶ ଚଣ୍ଡିଗଡ଼ ୟୁନିଭରସିଟିରେ ସିଭିଳ ଇଞ୍ଜିନିୟରିଂ ପଢ଼ୁଥିଲେ। ୨୦୧୩ରେ ଅନ୍ତିମ ବର୍ଷରେ ପଢ଼ୁଥିଲା ବେଳେ ଅଗଷ୍ଟରେ ରାକ୍ଷୀ ପୂର୍ଣ୍ଣିମା ଦିନ ରାତିରେ ଭଉଣୀ ସହ ମୋବାଇଲରେ କଥାବାର୍ତ୍ତା ହେଉଥିଲା ବେଳେ ପିଜିର ଚତୁର୍ଥ ମହଲାରୁ ପଡ଼ି ଯାଇଥିଲେ। ଗୁରୁତର ଆହତ ହରିଶକୁ ତୁରନ୍ତ ପିଜିଆଇ ଚଣ୍ଡିଗଡ଼ରେ ଭର୍ତ୍ତି କରାଯାଇଥିଲା। ଏହା ପରେ ଡିସେମ୍ୱର ୨୦୧୩ରେ ତାଙ୍କୁ ଦିଲ୍ଲୀର ଏଲଏନଜେପି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଡାକ୍ତର କହିଥିଲେ, କ୍ୱାଡ୍ରିପ୍ଲେଜିୟା ରୋଗରେ ସେ ଆକ୍ରାନ୍ତ। ଏହି ଅବସ୍ଥାରେ ତାଙ୍କ ହାତ ଗୋଡ଼ ନିଷ୍କ୍ରିୟ ହୋଇଗଲା। ଆଉ ଜୀବନ ତମାମ ବିଛଣାରେ ପଡ଼ି ରହିବାକୁ ବାଧ୍ୟ କରିଦେଲା।  ହରିଶଙ୍କ ଅସହନୀୟ ଦରଦ ଓ ଶାରୀରିକ ଅକ୍ଷମତା କାରଣରୁ ତାଙ୍କ ବାପା ମାଆ ଦିଲ୍ଲୀ ହାଇକୋର୍ଟରେ ଇଛାମୃତ୍ୟୁ ପାଇଁ ଅପିଲ କରିଥିଲେ। ଯାହାକୁ ଜୁଲାଇ ୮, ୨୦୨୫ରେ ହାଇକୋର୍ଟ ଖାରଜ କରିଦେଇଥିଲେ। ଏହା ପରେ ପରିବାର ସୁପ୍ରିମକୋର୍ଟ ଯାଇଥିଲେ। ୮ ମାସ ପରେ ମାର୍ଚ୍ଚ ୧୧, ୨୦୨୬ରେ ହରିଶଙ୍କ ଇଛାମୃତ୍ୟୁକୁ ଅନୁମତି ଦେଇଥିଲେ। ମାର୍ଚ୍ଚ ୧୪ରେ ହରିଶଙ୍କୁ ଗାଜିଆବାଦରୁ ଦିଲ୍ଲୀ ଏମ୍ସକୁ ନିଆଯାଇଥିଲା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *