ହରିଆଣା ରାଜ୍ୟସଭାରେ ୫ କଂଗ୍ରେସ ବିଧାୟକଙ୍କ କ୍ରସଭୋଟିଂ- ୪ ଜଣଙ୍କ ନାଁ ସାର୍ବଜନୀନ କଲା – ଜଣଙ୍କୁ ଲୁଚାଇଲା କାହିଁକି

ହରିଆଣାରେ ରାଜ୍ୟସଭା ନିର୍ବାଚନରେ କ୍ରସଭୋଟିଂ କରିଥିବା ୪ ବିଧାୟକଙ୍କ ନାଁ କଂଗ୍ରେସ ସାର୍ବଜନୀନ କରିଛି। ପ୍ରଭାରୀ ବିକେ ହରିପ୍ରସାଦ ୪ ବିଧାୟକଙ୍କ ନାଁ ସାର୍ବଜନୀନ କରିଥିଲା ବେଳେ ପଞ୍ଚମ ବିଧାୟକଙ୍କ ନାଁ କହିନାହାନ୍ତି। ପଞ୍ଚମ ଭୋଟ କ୍ରସଭୋଟିଂ ହୋଇଥିଲା ନା ନାକଚ, ତାହା ସ୍ପଷ୍ଟ ହୋଇନଥିବାରୁ ଏହା ଉପରେ ଅନୁଧ୍ୟାନ କରି ପରେ କୁହାଯିବ ବୋଲି କହିଛନ୍ତି ପ୍ରଭାରୀ। କ୍ରସଭୋଟିଂ କରିଥିବା ୪ ବିଧାୟକଙ୍କୁ ନୋଟିସ୍ ଦେଇ ଜବାବ ତଲବ କରିଛି ଦଳ। ଜବାବ ମିଳିବା ପରେ କାର୍ଯାନୁଷ୍ଠାନ ହେବ। ଦିଲ୍ଲୀରେ ପ୍ରେସମିଟ୍ କରି ହରିପ୍ରସାଦ କହିଛନ୍ତି, କ୍ରସଭୋଟିଂ କରିଥିବା ବିଧାୟକ ହେଲେ ନାରାୟଣଗଡ଼ ବିଧାୟକ ଶୈଲୀ ଚୌଧୁରୀ, ପୁହ୍ନାନାର ମହମ୍ମଦ ଇଲିୟାସ, ହଥିନରୁ ମହମ୍ମଦ ଇସ୍ରାଇଲ୍ ଓ ସାଢ଼ୋରା ବିଧାୟକ ରେନୁ ବାଲା। ଏମାନେ ଦଳୀୟ ଲାଇନରେ ନ ଯାଇ ରାଜ୍ୟସଭା ନିର୍ବାଚନରେ ବିଜେପି ସମର୍ଥିତ ନିର୍ଦଳୀୟ ପ୍ରାର୍ଥୀଙ୍କୁ ଭୋଟ୍ ଦେଇଛନ୍ତି। ଏ ମାମଲାରେ ସବୁଠୁ ବଡ଼ ପ୍ରଶ୍ନ, ପଞ୍ଚମ ବିଧାୟକଙ୍କୁ ନେଇ ଉଠିଛି। ମୋଟ୍ ୫ ବିଧାୟକ କ୍ରସ ଭୋଟିଂ କରିବା କଥା ସାମ୍ନାକୁ ଆସିଥିଲା। କିନ୍ତୁ ସମ୍ଭବତଃ ଏମାନଙ୍କ ଭିତରୁ ଜଣଙ୍କ ଭୋଟ୍ ରଦ୍ଦ ହୋଇଛି। ସେଥିଲାଗି ତାକୁ କ୍ରସଭୋଟିଂ ଏବେ କହିବା ଅନୁଚିତ୍ ହେବ। ଏହା ଉପରେ ବହୁ ଜଲଦି ସ୍ଥିତି ସ୍ପଷ୍ଟ ହେବ। ସତୀଶ ନାନ୍ଦଲଙ୍କୁ ଯେଉଁ ଭୋଟ ମିଳିଛି, ସେଥିରେ ୫ଜଣ କ୍ରସଭୋଟିଂ କରିଛନ୍ତି। ତାହେଲେ କେବଳ ୪ ଜଣଙ୍କ ନାଁ କାହିଁକି ସାମ୍ନାକୁ ଆଣିଲା ଦଳ। ଜଣଙ୍କୁ କାହିଁକି ଲୁଚାଉଛି। ଏହି ମାମଲାରେ ଭୁପେନ୍ଦ୍ର ହୁଡ୍ଡା କହିଛନ୍ତି, ଦିନେ ଦୁଇ ଦିନ ଭିତରେ ସବୁ ସ୍ପଷ୍ଟ ହେବ। ବିଧାୟକ ଗୋକୁଳ ସେତିୟା ଓ ମଞ୍ଜୁ ଚୌଧୁରୀଙ୍କ ଉପରେ କ୍ରସଭୋଟିଂ ଆରୋପ ଆସିବାରୁ ସେମାନେ ବୁଧବାର ସକାଳେ ଚଣ୍ଡିଗଡ଼ କଂଗ୍ରେସ ଅପିସ ଆଗରେ ଧାରଣାରେ ବସିଥିଲେ। ସେମାନେ ଦାବି କରିଥିଲେ, ସେମାନେ ଦଳୀୟ ପ୍ରାର୍ଥୀଙ୍କୁ ଭୋଟ ଦେଇଛନ୍ତି। ଯେଉଁମାନେ କ୍ରସଭୋଟିଂ କରିଛନ୍ତି, ସେମାନଙ୍କ ନାଁ ସାର୍ବଜନୀନ କରାଯାଉ। ଘଟଣାସ୍ଥଳରେ ଭୁପେନ୍ଦ୍ର ପହଞ୍ଚି ଉଭୟଙ୍କୁ ବୁଝାସୁଝା କରି କ୍ଲିନଚିଟ୍ ଦେଇଥିଲେ। ଆଉ କହିଥିଲେ, ଯେଉଁମାନେ କ୍ରସଭୋଟିଂ କରିଛନ୍ତି, ସେମାନଙ୍କ ନାଁ ହାଇକମାଣ୍ଡଙ୍କୁ ପଠାଇ ଦିଆଯାଇଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *