ଶବବ୍ୟବଛେଦ ଘରେ ଜୀବିତ ଯୁବକ- ଚେତା ଫେରିବାରୁ ବିନା କପଡ଼ାରେ ଦୌଡ଼ିଲେ!

ପୋଷ୍ଟମର୍ଟମ ଘରୁ ଉଲଗ୍ନ ହୋଇ ଦୌଡ଼ିଲେ ଯୁବକ। ହୋସ୍ ଆସିନଥିଲେ ତାଙ୍କୁ ଶବ ଭାବି ତାଙ୍କର ଛାତି ଚିରି ବ୍ୟବଛେଦ ହୋଇଥାଆନ୍ତା। ଗୁନା ଜିଲ୍ଲା ହସ୍ପିଟାଲରୁ ଜୀବିତ ଯୁବକକୁ ପୋଷ୍ଟମର୍ଟମ ଲାଗି ପଠାଯାଇଥିବା ଭଳି ସଙ୍ଗୀନ ଓ ଚକିତ କଲା ଭଳି ଖବର ଆସିଛି। ପୁରା ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ଏ ଘଟଣା ଅଙ୍ଗୁଳି ଉଠାଇଛି। ଯୁବକ ଆରୋପ ଲଦିଛନ୍ତି ଯେ, ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା। ସେ ମୃତ ଭାବି ତାଙ୍କୁ ପୋଷ୍ଟମର୍ଟମ ସେଣ୍ଚରକୁ ପଠାଇ ଦିଆଯାଇଥିଲା। ଯେତେବେଳେ ତାଙ୍କୁ ହୋସ୍ ଆସିଲା, ସେ ପୋଷ୍ଟମର୍ଟମ ସେଣ୍ଟରରେ ଥିବା ଜାଣିବାକୁ ପାଇଲେ। ଶରୀରର ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହେବାର ଥିଲା। ଏହାକୁ ଦେଖି ସେ ଘାବରେଇ ବିନା କପଡ଼ାରେ ସେଠାରୁ ଦୌଡ଼ିଥିଲେ। ଘଟଣାକୁ ନେଇ ମାର୍ଚ୍ଚ ୧୮ରେ ସଂପୃକ୍ତ ଯୁବକ ସୋସିଆଲ ମିଡିଆରେ ଭିଡ଼ିଓ ଜାରି କରି ହସ୍ପିଟାଲର ଚରମ ଅବହେଳାକୁ ନେଇ ଗମ୍ଭୀର ଆରୋପ ଲଦିଛନ୍ତି। ମାର୍ଚ୍ଚ ୧୧ରେ ମାନସିକ ଚାପରୁ ସେ ସଲଫାସ ଖାଇଦେଇଥିଲେ। ପ୍ରେମପ୍ରସଙ୍ଗରେ ବିବାଦରୁ ସେ ଯୁବତୀ ଘର ପହଞ୍ଚିଥିଲେ। ସେଠାରେ ହିଁ ବିଷ ଖାଇଦେଇଥିଲେ। ସଂପୃକ୍ତ ଯୁବତୀ ତାଙ୍କୁ ହସ୍ପିଟାଲରେ ପହଞ୍ଚାଇଥିଲେ। ପୁରା ମାମଲାରେ ଏଭଳି ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ। ଶବବ୍ୟବଛେଦ ପ୍ରକ୍ରିୟା ଏକ ନିର୍ଧାରିତ ଆଇନ ପ୍ରକ୍ରିୟାରେ ହୁଏ। ଶବକୁ ପୁଲିସ ପଠାଏ। ଆବଶ୍ୟକ ଦସ୍ତାବିଜ ପରେ ହିଁ ବ୍ୟବଛେଦ ହୁଏ। ବିନା ପୁଲିସର ଅନୁମତି ଓ ଔପଚାରିକତାରେ କୌଣସି ବ୍ୟକ୍ତିକୁ ପୋଷ୍ଟମର୍ଟମ ପାଇଁ ପଠାଇବା ସମ୍ଭବପର ନୁହେଁ। ଯଦି ସଂପୃକ୍ତ ଯୁବକ ପାଖରେ କୌଣସି ପ୍ରମାଣ ଅଛି, ସେ ଦିଅନ୍ତୁ। ନିରପେକ୍ଷତାର ସହ ତଦନ୍ତ କରାଯିବ। ବିନା ପ୍ରମାଣରେ ଏଭଳି ଆରୋପ ଚିକିତ୍ସା ସଂସ୍ଥାର ବିଶ୍ୱସନୀୟତାକୁ କ୍ଷତି ପହଞ୍ଚାଇବ। ସଂପୃକ୍ତ ଯୁବକ ନିଜ ଉପରେ ବିତିଥିବା କଥାକୁ କହୁଛନ୍ତି ତ ସେପଟେ ପ୍ରଶାସନ ଏହାକୁ ନିରାଧାର ବୋଲି କହୁଛି। ଗୁନା ଜିଲ୍ଲାପାଳ କିଶୋର କୁମାର କନ୍ୟାଲ କହିଛନ୍ତି, ଏହି ଘଟଣାରେ ସତ୍ୟତା ନାହିଁ। ଏହାର ତଦନ୍ତ ଚାଲିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *