ଚେନ୍ନାଇ: କର୍ଣ୍ଣାଟକରେ ନାବାଳିକା ଯୌନ ଶୋଷଣ ମାମଲାରେ ଲିଙ୍ଗାୟତ ମଠ ମହନ୍ତ ଶିବମୂର୍ତ୍ତିକୁ ୫ ଦିନିଆ ପୁଲିସ ହାଜତକୁ ପଠାଇଦେଇଛନ୍ତି କୋର୍ଟ। ଗୁରୁବାର ପୁଲିସ ତାଙ୍କୁ ଗିରଫ କରିଥିଲା। ଚିତ୍ରଦୁର୍ଗସ୍ଥିତ ମୁରୁଗା ଲିଙ୍ଗାୟତ ମଠ ପ୍ରସିଦ୍ଧି ହାସଲ କରିଥିବା ବେଳେ ରାଜ୍ୟରେ ଆସନ୍ତା ବର୍ଷ ନିର୍ବାଚନ ହେବାକୁ ଯାଉଛି। ତେଣୁ ମାମଲାକୁ ନେଇ ଉଭୟ ବିରୋଧୀ ଓ ସତ୍ତା ଦଳ ରାଜନୀତି କରୁଛନ୍ତି।
ମହନ୍ତ ଶିବମୂର୍ତ୍ତି ମଠରେ ନାବାଳିକାଙ୍କୁ ଯୌନ ଶୋଷଣ କରୁଥିବା ଅଭିଯୋଗ ହୋଇଛି। ମୈସୁର ପୁଲିସ ଦୁଇ ନାବାଳିକାଙ୍କ ଅଭିଯୋଗ ପରେ ମହନ୍ତଙ୍କ ବିରୋଧରେ ଏଫଆଇଆର ଦାୟର କରିଥିଲା। ନାବାଳିକାମାନେ ଏକ ଏନଜିଓ ସାହାଯ୍ୟରେ ବାଳ କଲ୍ୟାଣ ସମିତି ନିକଟରେ ଅଭିଯୋଗ କରିଥିଲେ। ମହନ୍ତଙ୍କ ବ୍ୟତିତ ମଠର ଅନ୍ୟ ୪ ଜଣଙ୍କ ନାମରେ ମଧ୍ୟ ଅଭିଯୋଗ ହୋଇଛି।
ଅଭିଯୋଗ ଅନୁଯାୟୀ, ମଠ ଦ୍ବାରା ପରଚାଳିତ ଏକ ସ୍କୁଲର ହଷ୍ଟେଲରେ ରହୁଥିବା ୧୫ରୁ ୧୬ ବର୍ଷୀୟା ଛାତ୍ରୀଙ୍କୁ ପ୍ରାୟ ସାଢେ ତିନି ବର୍ଷ ପର୍ଯ୍ୟନ୍ତ ମହନ୍ତ ଯୌନ ନିର୍ଯାତନା ଦେଇ ଆସୁଥିଲେ। ଏହି ପରି ଅମାନବୀୟ ଘଟଣା ଜାନୁଆରୀ ୨୦୧୯ରୁ ଜୁନ ୨୦୨୨ ପର୍ଯ୍ୟନ୍ତ ନିରନ୍ତର ଚାଲିଥିଲା। ଏନଜିଓ ମୁତାବକ ମହନ୍ତ ଅଭିଯୋଗକାରିଣୀ ଦୁଇ ନାବାଳିକାଙ୍କୁ ନୁହେଁ ଅନ୍ୟ ନାବାଳିକାଙ୍କୁ ମଧ୍ୟ ଯୌନ ଉତ୍ପୀଡନ ଦେଇ ଆସୁଥିଲେ।
ହଷ୍ଟେଲର ଛାତ୍ରୀ ଅନୁସୂଚିତ ଜାତି ଓ ଜନଜାତିର ହୋଇଥିବାରୁ ଶିବମୂର୍ତ୍ତିଙ୍କ ବିରୋଧରେ ଅନୁସୂଚିତ ଜାତି ଓ ଜନଜାତି ଅତ୍ୟାଚାର ନିରୋଧକ ଆଇନ ଅନ୍ତର୍ଗତ ମାମଲା ରୁଜୁ ହୋଇଛି। ଏହି ମାମଲାରେ ପୁଲିସ ଶୁକ୍ରବାର ଅନ୍ୟ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଅନ୍ୟପଟେ ମହନ୍ତଙ୍କ ସ୍ବାସ୍ଥ୍ୟା ବିଗିଡିବାରୁ ତାଙ୍କୁ ହସ୍ପିଟାଲରେ ଭିର୍ତ୍ତି କରାଯାଇ ତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now