ଗଜପତି: ଗଞ୍ଜେଇ ଚୋରା ଚାଲାଣରେ ଗିରଫଦାରିକୁ କେନ୍ଦ୍ର କରି ଥାନା ପରିସରରେ ଘଟିଛି ଲଙ୍କାକାଣ୍ଡ। ବେଆଇନ ଭାବେ ଗିରଫ ଅଭିଯୋଗରେ ଥାନା ଭିତରେ ଧସେଇ ପସି ଭଙ୍ଗା ରୁଜା କରିଛନ୍ତି ଶତାଧିକ ଆଦିବାସୀ। ତଥାପି ମନ ବୁଝିଲାନି ଯେ ଥାନା କର୍ମଚାରୀଙ୍କୁ ଗୋଡେଇ ଗୋଡେଇ ପିଟିବା ସହ,ଥାନାର ଆସବାବପତ୍ର ଭାଙ୍ଗି ନଷ୍ଟ କରିଛନ୍ତି। ମାମଲା ପ୍ରତ୍ୟାହାର ଦାବୀରେ ଥାନାକୁ ଘେରାଉ କରି ରଖି ଆନ୍ଦୋଳନ ଜାରି ରଖିଛନ୍ତି ଉତ୍ୟକ୍ତ ଲୋକେ। ଏବେବି ଉତେଜନା ମୂଳକ ପରିସ୍ଥିତି ଲାଗି ରହିଥିବାବେଳେ ବ୍ୟାପକ ପୋଲିସ ମୁତୟନ କରାଯାଇଛି। ଗଜପତି ଜିଲ୍ଲାରୁ ଦେଖିବା ଏହି ରିପୋର୍ଟ।
ଥାନା ଭିତରେ ପଶିଲେ। ପୁଲିସକୁ ଗୋଡ଼ାଇ ଗୋଡ଼ାଇ ପିଟିଲେ। ଏତିକିରେ ମନ ଶାନ୍ତ ହେଲାନି ଯେ। ଥାନାରେ ଥିବା ଆସବାବପତ୍ର, କମ୍ପ୍ୟୁଟର ଯାହା ଆଖି ଆଗରେ ପଡ଼ିଲା ଭାଙ୍ଗିଲେ। ଗଜପତି ଜିଲ୍ଲା ଅଡ଼ବା ଥାନା ପରିସରଏମିତି ପାଲଟିଥିଲା ରଣକ୍ଷେତ୍ର। ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଝରଣପୁର ଗାଁର ଜଣେ ବ୍ୟକ୍ତିଙ୍କୁ ଗିରଫ ପ୍ରତିବାଦରେ ଏଭଳି ନିଆଁ ଲାଗିଥିଲା ମଙ୍ଗଳବାର ସକାଳୁ ସକାଳୁ। ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବା ପରେ ତେଜିଥିଲା ପ୍ରତିବାଦର ସ୍ୱର। ପ୍ରତିବାଦ କରିଥିଲେ ଶତାଧିକ ଗ୍ରାମବାସୀ। ଥାନା ଘେରାଓ ସହ ମିଛ ମାମଲା ପ୍ରତ୍ୟାହାର ନ ହେଲା ଯାଏ ଆନ୍ଦୋଳନ ଚାଲିବ ବୋଲି ଚେତାବନୀ ଦେଇଛି ବିକ୍ଷୋଭକାରୀ।
ସେପଟେ ପୋଲିସର ବରିଷ୍ଠ ଅଧିକାରୀ ଓ ଉପଜିଲ୍ଲାପାଳଙ୍କ ନେତୃତ୍ୱରେ ପ୍ରଶାସନିକ ଅଧିକାରୀ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବାରେ ଲାଗିଥିଲେ। ଏଥିରେ ବିଫଳ ହେବାରୁ ସ୍ଥାନୀୟ ଜନପ୍ରତିନିଧି ଓ ବୁଦ୍ଧିଜୀବିଙ୍କୁ ନେଇ ଏକ ଶାନ୍ତି କମିଟି ଗଠନ ପାଇଁ ପ୍ରୟାସ ଆରମ୍ଭ ହୋଇଛି। ଘଟଣା ସ୍ଥଳରେ ୫ ପ୍ଲାଟୁନ୍ ପୋଲିସ ସହ ଅତିରିକ୍ତ ଏସପି ବାମଦେବ ସିଂଙ୍କ ସମେତ ତିନିଜଣ ଡିଏସପି, ବହୁ ଥାନାଧିକାରୀ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି।
ଘଟଣାକୁ ନେଇ ସମାଧାନ କେମିତି ବାହାରିବ, ତାକୁ ନେଇ ଦିନ ତମାମ ଆଲୋଚନା ସହ କୌଣସି ଅପ୍ରୀତିକର ପରିସ୍ଥିତିର ଯେଭଳି ପୁନରାବୃତ୍ତି ନ ହୁଏ, ତା ଉପରେ ନଜର ରଖିଛି ପ୍ରଶାସନ।
Naxatra News is now on Whatsapp
Join and get latest news update delivered to you via whatsapp
Join Now