ମା’ଙ୍କ ବିସର୍ଜନ ବେଳେ ଦୁର୍ଘଟଣା, ଭାସିଗଲେ ଅନେକ

() ଭସାଣି ବେଳେ ଅଚାନକ ବନ୍ୟା ପାଣି ଆସିବାରୁ ଭାସିଗଲେ ଲୋକ। ପଶ୍ଚିମବଙ୍ଗର ଜଲପାଇଗୁଡ଼ିରେ ମାଲ ନଦୀରେ ଏଭଳି ଅଘଟଣ ଘଟିଛି। ବୁଧବାର ସଂଧ୍ୟାରେ ଏହି ଅଭାବନୀୟ ଘଟଣାରେ ୮ଜଣଙ୍କର ମୃତ୍ୟୁ ହେବା ସହ ଅନେକ ଆହତ ହୋଇଛନ୍ତି। ନଦୀରେ ସର୍ଚ୍ଚ ଅପରେସନ ଜାରି ରହିଛି। ମୃତକଙ୍କ ସଂଖ୍ୟା ବଢ଼ିବାର ବି ଆଶଙ୍କା ରହିଛି। ଏହାକୁ ନେଇ ପ୍ରଧାନମନ୍ତ୍ରୀଙ୍କଠୁ ନେଇ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଶୋକବ୍ୟକ୍ତ କରିଛନ୍ତି।

ମାଆଙ୍କୁ ମେଲାଣି ଦେଲାବେଳେ ଭାସିଗଲେ ଭକ୍ତ। ପଶ୍ଚିମବଙ୍ଗର ଜଲପାଇଗୁଡ଼ିରେ ମାଲ ନଦୀରେ  ମାଆ ଦୁର୍ଗାଙ୍କୁ ବିଦାୟ ଦେଲା ବେଳେ ଅଚାନକ ବନ୍ୟା ପାଣି ଆସିଗଲା। ଆଉ ଦେଖୁ ଦେଖୁ ଅନେକ ଶ୍ରଦ୍ଧାଳୁ ଭାସିଗଲେ। ଏ ଦୃଶ୍ୟ ସେଠାରେ ଦେଖଣାହାରୀଙ୍କୁ ବିଚଳିତ କରିଥିଲା। ଭାସିଯାଉଥିବା ଲୋକଙ୍କୁ ବଞ୍ଚାଇବା ଲାଗି ଅନେକ ନଦୀକୁ ବି ଡେଇଁଥିଲେ। କେତେକଙ୍କୁ ଉଦ୍ଧାର କରିବା ସମ୍ଭବ ହୋଇଥିଲା ବେଳେ ଅନେକଙ୍କୁ ଉଦ୍ଧାର କରାଯାଇପାରିନଥିଲା। ଏହି ଅଘଟଣରେ ଗୁରୁବାର ସକାଳ ୯ଟା ସୁଦ୍ଧା ୪ ମହିଳା ଶ୍ରଦ୍ଧାଳୁଙ୍କ ସମେତ ୮ ଜଣଙ୍କ ମୃତ୍ୟୁ ଖବର ପୁଷ୍ଟି କରିଥିଲା ପ୍ରଶାସନ। ମୃତକଙ୍କ ସଂଖ୍ୟା ବଢିବାର ଆଶଙ୍କା ରହିଛି। ବନ୍ୟା ପାଣିରେ ନିଖୋଜଙ୍କୁ ଠାବ କରିବାକୁ ଏନଡିଆରଏଫ ଓ ସିଭିଲ ଡିଫେନ୍ସ ଟିମ୍ ବି ପହଞ୍ଚି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା। ଏଭଳି ଅଘଟଣକୁ ନେଇ ପ୍ରଧାନମନ୍ତ୍ରୀ ଗଭୀର ଶୋକବ୍ୟକ୍ତ କରିଛନ୍ତି। ମୃତକଙ୍କ ପରିବାରପ୍ରତି ସମବେଦନା ଜ୍ଞାପନ କରିଛନ୍ତି। ମୂର୍ତ୍ତି ବିସର୍ଜନ ବେଳେ ଏମିତି ଅଭାବନୀୟ ଘଟଣାକୁ ନେଇ ବଙ୍ଗ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ବି ଶୋକପ୍ରକାଶ କରିବା ସହ ମୁଖ୍ୟମନ୍ତ୍ରୀ ଓ ଜଲପାଇଗୁଡ଼ି ଜିଲ୍ଲାପ୍ରଶାସନକୁ ରେସକ୍ୟୁ କାମକୁ ତ୍ୱରାନ୍ୱିତ ସହ ମୃତକଙ୍କ ପରିବାରକୁ ଏ ଦୁଃଖଦ ସମୟରେ ସହାୟତା ଦେବାକୁ ଅନୁରୋଧ କରିଛନ୍ତି।

ଭାସିଯାଉଥିଲା ବେଳେ ପ୍ରାୟ ୬୦ଜଣଙ୍କୁ ଉଦ୍ଧାର ସହ ୧୫ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେପଟେ ଭସାଣୀ ବେଳେ ଉତ୍ତରପ୍ରଦେଶ ଓ ରାଜସ୍ଥାନରେ ବି ସମାନ ଅଘଟଣ ଘଟିଛି। ରାଜସ୍ଥାନର ଆଜମେର ଜିଲ୍ଲାରେ ଭସାଣୀ ବେଳେ  ଗଭୀର ଖାଲରେ ଭର୍ତ୍ତି ବର୍ଷାପାଣିରେ ବୁଡ଼ି ୬ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଛି। ସମସ୍ତ ମୃତ ଶରୀରକୁ ଉଦ୍ଧାର ସହ ପରିବାରକୁ ହସ୍ତାନ୍ତର କରାଯାଇଛି। ମୂର୍ତ୍ତି ବିସର୍ଜନ କରିବାକୁ ଯାଉଥିବା ଲୋକେ ଭାବିଥିଲେ କି, ଏହା ଛୋଟ ଖାଲ। ସେଥିଲାଗି ଜାଣି ନ ପାରି ତା ଉପରେ ମୂର୍ତ୍ତି ନେଲାବେଳେ ସମସ୍ତେ ବୁଡ଼ି ଯାଇଥିଲେ। ୟୁପିର ଆଗ୍ରାରେ  ଯମୁନା ନଦୀରେ ମୂର୍ତ୍ତି ବିସର୍ଜନ ବେଳେ ୩ଜଣ ଯୁବକ ଭାସି ଯାଇଛନ୍ତି। ବିଳମ୍ୱିତ ରାତି ସୁଦ୍ଧା ସର୍ଚ୍ଚ ଅପରେସନ ଜାରି ଥିଲେ ବି ତିନି ଜଣଙ୍କର ପତ୍ତା ମିଳିନଥିଲା।

ଗଲା ସେପ୍ଟେମ୍ୱର ୯ ତାରିଖରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ମହାରାଷ୍ଟ୍ରରେ ୨୦ ଓ ହରିଆଣାରେ ୮ଜଣଙ୍କ ମୃତ୍ୟୁ ହୋଇଥିଲା। ମୂର୍ତ୍ତି ବିସର୍ଜନ ବେଳେ ସାବଧାନତା ଅବଲମ୍ୱନ କରିବାକୁ ପ୍ରଶାସନ ଯଦିଓ ସଚେତନ ଓ ସତର୍କ କରୁଛି,ତା ସତ୍ତ୍ୱେ ବି ମୂର୍ତ୍ତି ବିସର୍ଜନ ବେଳେ ଏମିତି ଅନେକ ଅଭାବନୀୟ ଘଟଣାର ପୁନରାବୃତ୍ତି ଜାରି ରହିଛି। ଯାହାକୁ ବିଡ଼ମ୍ୱନା।

ପ୍ରଦୀପ ନାୟକଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *