ଜାତୀୟ ରାଜପଥ ଦୁର୍ଘଟଣା:  ୪୦ରୁ ଅଧିକ ଗାଡ଼ି କ୍ଷତିଗ୍ରସ୍ତ

Spread the love

ପୁନେ:  ପୁନେରେ ବଡ଼ ଦୁର୍ଘଟଣା ଘଟିଛି। ଜାତୀୟ ରାଜପଥରେ ୪୦ରୁ ଅଧିକ ଗାଡ଼ି କ୍ଷତିଗ୍ରସ୍ତ ହୋଇଛି। ଏକ ଟ୍ରକ୍ ଭାରସାମ୍ୟ ହରାଇ ଧକ୍କା ଦେବାରୁ ୪୦ରୁ ଅଧିକ ଗାଡ଼ି କ୍ଷତିଗ୍ରସ୍ତ ହେବା ସହ ଅନେକ ଆହତ ହୋଇଛନ୍ତି। ଟ୍ରକର ବ୍ରେକ୍ ଫେଲ୍ ହୋଇଯିବାରୁ ପୁନେ-ବେଙ୍ଗାଲୁରୁ ଜାତୀୟ ରାଜପଥରେ ଏଭଳି ବଡ଼ ଦୁର୍ଘଟଣା ଘଟିଛି।

ରବିବାର ସଂଧ୍ୟାର ଘଟଣା। ନାଭେଲ ପୋଲ ଉପରେ ଏକ ଟ୍ୟାଙ୍କରର ବ୍ରେକ୍ ଫେଲ୍ ହୋଇଯିବାରୁ ଏହା ନିୟନ୍ତ୍ରଣ ହରାଇ ଜାତୀୟ ରାଜପଥରେ ଥିବା ଗାଡିଗୁଡିକୁ ଧକ୍କା ଦେଇଥିଲା। ଧକ୍କାର ତୀବ୍ରତା ଏତେ ଅଧିକ ଥିଲା ଯେ, ୪୦ରୁ ଅଧିକ ଗାଡ଼ି ପଛକୁ ପଛ ପିଟି ହୋଇଥିଲା। ୪୦ରୁ ଅଧିକ ଗାଡ଼ି କ୍ଷତିଗ୍ରସ୍ତ ହେବା ସହ ୩୦ଜଣ ଆହତ ହୋଇଥିଲେ। ଆହତଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲା। ୧୦ରୁ ୧୫ ଲୋକ ସାମାନ୍ୟ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ହିଁ ସେମାନଙ୍କୁ ପ୍ରାଥମିକ ଚିକିତ୍ସା କରାଯାଇଥିଲା। ଅବଶ୍ୟ ଟ୍ରକ୍ ଅନେକ ଗାଡ଼ିକୁ ଧକ୍କା ଦେବା ସତ୍ତ୍ୱେ ସୌଭାଗ୍ୟବଶତଃ କାହାର ମୃତ୍ୟୁ ହୋଇନି।

ଲୋକଙ୍କୁ ଉଦ୍ଧାର କରିବାକୁ ତୁରନ୍ତ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ଓ ପୁନେ ମେଟ୍ରାପଲିଟାନ୍ ରିଜିଅନ ଡେଭେଲପମେଣ୍ଟ ଅଥୋରିଟି କର୍ମଚାରୀ ପହଞ୍ଚିଥିଲେ। ସିଂହଗଡ଼ ଓ ଦତ୍ତଓ୍ୱାଡି ଥାନାର ଅଧିକାରୀ ଓ କର୍ମଚାରୀ ପହଞ୍ଚି କ୍ଷତିଗ୍ରସ୍ତ ଗାଡ଼ିକୁ ତୁରନ୍ତ ରାସ୍ତାରୁ ହଟାଇବା ସହ ଟ୍ରାଫିକ୍ କ୍ଲିଅର କରାଯାଇଥିଲା। ୧୦ରୁ ୧୫ଟି ଆମ୍ୱୁଲାନ୍ସ ପହଞ୍ଚି ଆହତଙ୍କୁ ହସ୍ପିଟାଲ ନେବାରେ ନିୟୋଜିତ ହୋଇଥିଲେ। କାରଣ ଦୁର୍ଘଟଣା ପରେ ପ୍ରାୟ ୨ କିଲୋମିଟର ଯାଏ ଗାଡ଼ି ପୁରା ଜାମ୍ ହୋଇଯାଇଥିଲା। ଯେଉଁ ଟ୍ରକଟି ଧକ୍କା ଦେଇଥିଲା, ତାହା ଥିଲା ଏକ କଣ୍ଟେନର ଟ୍ରକ୍। ଯାହାକୁ ସତାରାରୁ ମୁମ୍ୱାଇକୁ ଯାଉଥିଲା। ରାତି ୮ଟା ୪୫ ମିନିଟ ପାଖାପାଖି ଟ୍ରକର ଚାଳକ ନିୟନ୍ତ୍ରଣ ହରାଇଥିଲେ। ପୋଲ ତଳକୁ ଓହ୍ଲାଇବା ବେଳେ ଆଗରେ ଥିବା ପ୍ରାୟ ୪୦ରୁ ବେଶୀ ଗାଡ଼ିକୁ ଧକ୍କା ଦେଇଥିଲା ଟ୍ରକ୍। ଏମିତିରେ ଯେଉଁଠି ଦୁର୍ଘଟଣା ଘଟିଲା, ତାହା ଥିଲା ବ୍ଲାକସ୍ପଟ୍। ଟ୍ୟାଙ୍କର ଧକ୍କା ଦେବା ପରେ ଗାଡ଼ିରୁ ତେଲ ବାହାରି ପୁରା ରାସ୍ତାରେ ବହିଥିଲା। ଫଳରେ ରାସ୍ତାରେ ସ୍ଲିପ୍ କରିଥିଲା ଅନେକ ଗାଡ଼ି।

ତେବେ ନାଭେଲ ପୋଲ ଉପରେ ଭାରି ଯାନ ଚଳାଚଳ କେତେ ସୁରକ୍ଷିତ, ତାକୁ ନେଇ ଗଲା ବର୍ଷ ସେଭ୍ ଲାଇଫ୍ ଫାଉଣ୍ଡେସନ ସେଫଟି ଅଡିଟ୍ କରିଥିଲା। ରିପୋର୍ଟକୁ ପୁନେ ଜିଲ୍ଲା ପ୍ରଶାସନ ବି ଏନଏଚଏଆଇକୁ ପଠାଇଦେଇଥିଲା। ଆଉ ଜାତୀୟ ରାଜପଥ କର୍ତ୍ତୃପକ୍ଷ ସୋମବାର ଏ ନେଇ ସମସ୍ତ ଏଜେନ୍ସିକୁ ଡାକି ଏହାର ସମୀକ୍ଷା କରିଛନ୍ତି। ସେପଟେ ରାଜପଥର ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିବା ରିଲାଏନ୍ସ ଇନଫ୍ରାଷ୍ଟ୍ରକଚରର କହିବା କଥା, ଟ୍ରକ୍‌କୁ ନ୍ୟୁଟ୍ରାଲ ଗିଅରରେ ରଖିଥିଲେ ଚାଳକ। ସେଥିଲାଗି ନିୟନ୍ତ୍ରଣ କରିପାରିଲେନି।

ପ୍ରଦୀପ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *